୭୭ ଲକ୍ଷ ଟଙ୍କାର ଚାଉଳ ନେଇ ଫେରାର ଆନ୍ଧ୍ର ଯୁବକ ଗିରଫ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ପିତାତଳିଠାରେ ଥିବା ଏକ ଚାଉଳ ମିଲରୁ ବିଶ୍ବାସ ଜନ୍ମାଇ ୭୭ ଲକ୍ଷ ଟଙ୍କାର ଚାଉଳ ନେଇ ଫେରାର ରହିଥିବା ଅଭିଯୁକ୍ତକୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲା ତାନୁକୁ ପୁଲିସ ଥାନା ଅନ୍ତର୍ଗତ ତାନୁକୁର ଆଇ ମହେନ୍ଦ୍ର ବର୍ମା ବୋଲି ପୁଲିସ ସୁଚନା ଦେଇଛି। ଗତ ୨୦୨୪ , ଜାନୁଆରୀ ୬ ତାରିଖରେ ପିତାତଳିଠାରେ ଥିବା ମା ଅନ୍ନପୂର୍ଣ୍ଣା ଚାଉଳ କଳର ମାଲିକାଣୀ ଏସ ଲିଜ୍ୟାଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଅନୁଯାୟୀ ଆନ୍ଧ୍ରର ଦୁଇ ବେପାରୀ ମହେନ୍ଦ୍ର ବର୍ମା ଓ ଏନ୍ ରାଜୁ ଗତ ୫ ବର୍ଷ ତଳେ ଚାଉଳ କଳକୁ ଆସି ସେମାନଙ୍କ ଠାରୁ ଚାଉଳ କିଣିବେ ବୋଲି କଥା ହେବା ସହ ରିତିମତ ଭାବେ ଟଙ୍କା ଦେଇ ଚାଉଳ କିଣି ନେଉଥିଲେ। ଏହା ପରେ ଚଞ୍ଚକତା କରି ୭୭ ଲକ୍ଷ ୨୬ ହଜାର ୩୯୮ ଟଙ୍କା ର ଚାଉଳ କିଣିବା ସହ ତୁରନ୍ତ ସେମାନଙ୍କୁ ଟଙ୍କା ପଇଠ କରିଦେବେ କହି ଚାଉଳ ନେଇ ଯାଇଥିଲେ। କିନ୍ତୁ କଥାବାର୍ତ୍ତା ଅନୁସାରେ ଠିକ୍ ସମୟରେ ଉଭୟଙ୍କ ପକ୍ଷରୁ ଲିଜ୍ୟାଙ୍କୁ ଟଙ୍କା ପଇଠ କରାଯାଇନଥିଲା । ଏହାକୁ ନେଇ ଅନେକ ଥର ସେମାନଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ଟଙ୍କା ମିଳିନଥିଲା। ଏହାକୁ ନେଇ ଗତ ବର୍ଷ କେତେକ ମଧ୍ୟସ୍ଥଙ୍କ ଉପସ୍ଥିତିରେ ମହେନ୍ଦ୍ର ଓ ଚାଉଳ କଳ ମାଲିକଙ୍କ ମଧ୍ୟରେ ଆଲୋଚନା ହେବା ସହ ମହେନ୍ଦ୍ରଙ୍କ ପକ୍ଷରୁ ଟଙ୍କା ଦେବା ନିମନ୍ତେ ଦିନ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହାପରେ ମଧ୍ୟ ଟଙ୍କା ନମିଳିବାରୁ ଲଜ୍ଜ୍ୟାଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ କୁହାଯାଇଛି ୪୭୩/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଆଜି ଅଭିଯୁକ୍ତ ମହେନ୍ଦ୍ର ବ୍ରହ୍ମପୁର ଆସୁଥିବା ଖବର ପାଇ ପୁଲିସର ଏକ ଟିମ ଗିରିସୋଲା ଛକରେ ଛପି ରହିଥିବାବେଳେ ଅଭିଯୁକ୍ତ ମହେନ୍ଦ୍ରକୁ କାବୁ କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି।
Comments are closed.