ଯୁବ କ୍ରୀଡାବିତ୍‌ ମାନଙ୍କର ପ୍ରତିଭା ପ୍ରଦର୍ଶନ ପାଇଁ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ଏକ ଉତ୍କୃଷ୍ଟ ପ୍ଲାଟଫର୍ମ : କ୍ରୀଡ଼ାମନ୍ତ୍ରୀ

କଳିଙ୍ଗ ଷ୍ଟାଡିୟମ୍ ରେ ଆରମ୍ଭ ହେଲା ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ, ପ୍ରଥମଦିନରେ ଓଡ଼ିଶାକୁ ମିଳିଲା ୨୭ଟି ପଦକ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଠାରେ ଆଜି ଠାରୁ ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ଆରମ୍ଭ ହୋଇଛି। ଓଡ଼ିଶାକୁ ପ୍ରଥମ ଦିନରେ ୨୭ଟି ପଦକ ମିଳିଛି।

ଆଜିର ଉଦଘାଟନୀ ସମାରୋହରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ନିଜର ଅଭିଭାଷଣରେ ଶ୍ରୀ ସୂରଜ ସମସ୍ତ କ୍ରୀଡ଼ାବିତ୍ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ର ଆୟୋଜନ ମାଧ୍ୟମରେ ସମସ୍ତ ଯୁବ କ୍ରୀଡାବିତ୍‌ ମାନେ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ଏକ ଉତ୍କୃଷ୍ଟ ପ୍ଲାଟଫର୍ମ ପାଇ ପାରୁଛନ୍ତି ବୋଲି ମତପ୍ରକାଶ କରିଥିଲେ।

ସେ କହିଥିଲେ ଯେ, ଓଡ଼ିଶାରେ ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ଆୟୋଜନ ହେବା ଏବଂ ପ୍ରଥମ ଦିନରେ ଓଡ଼ିଶାକୁ ୨୭ଟି ପଦକ ମିଳିବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଏଥିପାଇଁ ମୁଁ ସମସ୍ତ କ୍ରୀଡାବିତ୍‌ ଏବଂ ସେମାନଙ୍କର ପ୍ରଶିକ୍ଷକମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆଗାମୀ ୨ ଦିନରେ ସମସ୍ତ କ୍ରୀଡାବିତ୍ ମାନେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ପଦକ ଜିତି ନିଜ ନିଜ ରାଜ୍ୟ ତଥା ଦେଶ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିବେ ବୋଲି ମୁଁ ଆଶା କରୁଛି ।

ଆଜି ପ୍ରଥମ ଦିନର ପ୍ରତିଯୋଗିତାରେ ୧୮ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ ପ୍ରତିଯୋଗିତା(ବାଳକ ବର୍ଗ) ରେ କ୍ରୀଡାବିତ୍ ପ୍ରତୀକ ମହାରଣାଙ୍କୁ ସ୍ବର୍ଣ୍ଣ ପଦକ ମିଳିଥିବା ବେଳେ ଚିନ୍ମୟ ନାଗଙ୍କୁ କାଂସ୍ୟ ପଦକ ମିଳିଛି। ସେହିପରି ୨୦ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ ପ୍ରତିଯୋଗିତା(ବାଳକ ବର୍ଗ)ରେ କ୍ରୀଡାବିତ୍‌ ଦୋଣ୍ଡପତି ଜୟରାମଙ୍କୁ ସ୍ବର୍ଣ୍ଣ ପଦକ ମିଳିଥିବା ବେଳେ ମହେନ୍ଦ୍ର ସନ୍ତାଙ୍କୁ ରୌପ୍ୟ ପଦକ ମିଳିଛି। ୨୦ ବର୍ଷରୁ କମ୍ ୫୦୦୦ ମିଟର ଦୌଡ଼ ପ୍ରତିଯୋଗିତା (ବାଳକ ବର୍ଗ) ରେ ପ୍ରଦୀପ ମହତାଙ୍କୁ ରୌପ୍ୟ ପଦକ ମିଳିଛି। ୧୮ ବର୍ଷରୁ କମ୍ ଲଙ୍ଗଜମ୍ପ (ବାଳିକା ବର୍ଗ) ରେ ସଂଜୁ ହନ୍ତାଳଙ୍କୁ କାଂସ୍ୟ ପଦକ ପ୍ରାପ୍ତ ହୋଇଛି । ୧୮ବର୍ଷରୁ କମ୍‌ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ମଧ୍ୟ ସଂଜୁ ହନ୍ତାଳଙ୍କୁ କାଂସ୍ୟ ପଦକ ପ୍ରାପ୍ତ ହୋଇଛି।

ସେହିପରି ଭାବେ ୧୬ ବର୍ଷରୁ କମ୍‌ ସଟପୁଟ ଥ୍ରୋ (ବାଳକ ବର୍ଗ ) ରେ ସୌମ୍ୟ ରଞ୍ଜନ ପ୍ରିୟଦର୍ଶୀଙ୍କୁ ରୌପ୍ୟ ପଦକ ମିଳିଛି । ସାଗର ଏକ୍କାଙ୍କୁ ୧୮ ବର୍ଷରୁ କମ୍ ହାଇଜମ୍ପ (ବାଳକ ବର୍ଗ ) ପ୍ରତିଯୋଗିତାରେ କାଂସ୍ୟ ପଦକ ମିଳିଛି । ଓମକାର ନନ୍ଦଙ୍କୁ ୧୮ ବର୍ଷରୁ କମ୍ ସଟପୁଟ ଥ୍ରୋ (ବାଳକ ବର୍ଗ) ରେ ସ୍ବର୍ଣ୍ଣ ପଦକ ମିଳିଥିବା ବେଳେ ଅଂଶିକା ରାଉତରାୟଙ୍କୁ ୨୦ ବର୍ଷରୁ କମ୍‌ ସଟପୁଟ ଥ୍ରୋ (ବାଳିକା ବର୍ଗ ) ରେ ସ୍ବର୍ଣ୍ଣ ପଦକ ମିଳିଛି ।

୧୬ ବର୍ଷରୁ କମ୍ ଜାଭେଲିନ୍‌ ଥ୍ରୋ (ବାଳକ ବର୍ଗ) ରେ ସତ୍ୟରଞ୍ଜନ ରାୟଙ୍କୁ ରୌପ୍ୟ ପଦକ ଏବଂ ଦେବସ୍ତୁତି ମୋହନଙ୍କୁ କାଂସ୍ୟ ପଦକ ମିଳିଛି । ୧୮ ବର୍ଷରୁ କମ୍‌ ଡିସ୍‌କସ୍‌ ଥ୍ରୋ (ବାଳିକା ବର୍ଗ ) ରେ ପୁରବୀ ପାଢ଼ୀଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି ।

୨୦ ବର୍ଷରୁ କମ୍ ଲଙ୍ଗଜମ୍ପ (ବାଳକ ବର୍ଗ ) ପ୍ରତିଯୋଗିତାରେ ନରେଶ ରୋହିଦାସଙ୍କୁ କାଂସ୍ୟ ପଦକ ମିଳିଛି । ହର୍ଡଲ୍ସ ଇଭେଣ୍ଟ ରେ ୧୬ ବର୍ଷରୁ କମ୍ ୮୦ ମିଟର ହର୍ଡଲ୍ସ(ବାଳିକା ବର୍ଗ) ରେ ଦୀପ୍ତିମୟୀ ଦାସଙ୍କୁ ରୌପ୍ୟ ପଦକ ମିଳିଛି । ୧୮ ବର୍ଷରୁ କମ୍ ୧୦୦ ମିଟର ହର୍ଡଲ୍ସ(ବାଳିକା ବର୍ଗ ) ରେ ବାସନ୍ତୀ ମାଝୀଙ୍କୁ ରୌପ୍ୟ ପଦକ ଏବଂ ଗୁରୁପୂଜା ପରିଡାଙ୍କୁ କାଂସ୍ୟ ପଦକ ମିଳିଛି । ୨୦ ବର୍ଷରୁ କମ୍ ୧୦୦ ମିଟର ହର୍ଡଲ୍ସ (ବାଳିକା ବର୍ଗ) ରେ ଅମ୍ରିତା ଡୁଙ୍ଗଡୁଙ୍ଗଙ୍କୁ କାଂସ୍ୟ ପଦକ ମିଳିଛି।

୧୪ବର୍ଷରୁ କମ୍ (ବାଳିକା ବର୍ଗ) ଟ୍ରାଇଥଲାନ୍‌ ବି ପ୍ରତିଯୋଗିତାରେ ଏଲ. ସ୍ନିଗ୍ଧାଙ୍କୁ ରୌପ୍ୟ ପଦକ ମିଳିଥିବା ବେଳେ ସମୀକ୍ଷା ସ୍ମରଣିକାଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି।

୧୬ ବର୍ଷରୁ କମ୍ ଜାଭେଲିନ ଥ୍ରୋ (ବାଳିକା ବର୍ଗ ) ରେ ଅଲୋକିକା ସ୍ୱାଇଁ ଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି। ୨୦ ବର୍ଷରୁ କମ୍ ୪୦୦ ମିଟର ଦୌଡ଼ ପ୍ରତିଯୋଗିତା (ବାଳକ ବର୍ଗ ) ରେ ଆସ୍ତିକ ପ୍ରଧାନଙ୍କୁ ରୌପ୍ୟ ପଦକ ଏବଂ ବାପି ହାଁସଦା ଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି।୧୮ ବର୍ଷରୁ କମ୍‌ ୪୦୦ ମିଟର ଦୌଡ଼ ପ୍ରତିଯୋଗିତା(ବାଳିକା ବର୍ଗ)ରେ ଅକ୍କୀରେଡ୍ଡୀଙ୍କୁ କାଂସ୍ୟ ପଦକ ମିଳିଛି। ୨୦ ବର୍ଷରୁ କମ୍ ୧୦୦୦ ମିଟର ରେସ ୱାକ୍ (ବାଳକ ବର୍ଗ)ରେ ସନ୍ତୋଷ ବେହେରାଙ୍କୁ କାଂସ୍ୟ ପଦକ ମିଳିଛି।

ସେହିପରି ଭାବେ ୨୦ ବର୍ଷରୁ କମ୍ ଲଙ୍ଗ ଜମ୍ପ (ବାଳକ ବର୍ଗ)ରେ ନରେଶ ରୋହିଦାସଙ୍କୁ କାଂସ୍ୟ ପଦକ ମିଳିଛି।

ପ୍ରକାଶଯୋଗ୍ୟ ଯେ, ଆସନ୍ତା ଅକ୍ଟୋବର ମାସ ୦୯ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ ଠାରେ ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ୍ ଅନୁଷ୍ଠିତ ହେବ । ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ସମୁଦାୟ ୧୦ଟି ରାଜ୍ୟ ଯଥା ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ମେଘାଳୟ, ନାଗାଲାଣ୍ଡ, ସିକିମ, ଅରୁଣାଚଳ ପ୍ରଦେଶ, ଆସାମ ଓ ମଣିପୁରରୁ ୬୦୦ରୁ ଉର୍ଦ୍ଧ୍ୱ ଯୁବ କ୍ରୀଡ଼ାବିତ୍‌ମାନେ ବିଭିନ୍ନ ଟ୍ରାକ୍ ଏବଂ ଫିଲ୍ଡ ଇଭେଣ୍ଟରେ ଅଂଶଗ୍ରହଣ କରିଛନ୍ତି ।

ବିହାରରୁ ସର୍ବାଧିକ ୧୩୪ ଜଣ କ୍ରୀଡାବିତ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ବେଳେ ନାଗାଲାଣ୍ଡରୁ ସର୍ବନିମ୍ନ ୫ ଜଣ କ୍ରୀଡାବିତ୍‌ ଭାଗନେଇଛନ୍ତି। ଓଡ଼ିଶାରୁ ଚଳିତବର୍ଷ ୧୧୫ଜଣ କ୍ରୀଡାବିତ୍‌ ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ୍ ରେ ଅଂଶଗ୍ରହଣ କରିଛନ୍ତି ।

Comments are closed.