୧୪୦ ଗ୍ରାମ ଧଳା ଜହର ଜବତ, ଯୁବକ ଗିରଫ

ସମ୍ବଲପୁର: ସମ୍ବଲପୁରରେ ଦିନକୁ ଦିନ ବିଭିନ୍ନ ପ୍ରକାରର ମାରାତ୍ମକ ନିଶା ଦ୍ରବ୍ୟ ଗୁଡିକର ଅବୈଧ୍ୟ ବ୍ୟବସାୟ ଚାଲୁଥିବା ବେଳେ ମଝିରେ ମଝିରେ ବିଭିନ୍ନ ସରକାରୀ ଏଜେନ୍ସିଙ୍କ ଦ୍ୱାରା ଚଢ଼ଉରେ ବିପୁଳ ପରିମାଣରେ ବିଭିନ୍ନ ପ୍ରକାରର ନିଶା ଦ୍ରବ୍ୟ ଜବତ ହେଉଛି। ଏଭଳି ଏକ ଘଟଣାରେ ସମ୍ବଲପୁରର ଅବକାରୀ ବିଭାଗ ତରଫରୁ ଚଢ଼ଉ କରାଯାଇ ବିପୁଳ ପରିମାଣରେ ମାରାତ୍ମକ ଧଳ ଜହର ଜବତ କରାଯାଇଛି। ଏ ସମ୍ପର୍କରେ ସମ୍ବଲପୁର ଅବକାରୀ ବିଭାଗର ଡେପୁଟି ସୁପରିନଟେଣ୍ଡାନ୍ଟ ଅସିତ ମଲ୍ଲିକ ସୂଚନା ଦେଇ କହିଛନ୍ତି ଯେ, ଗତକାଲି ଆମକୁ ବିଶ୍ୱସ୍ତସୂତ୍ରରୁ ଖବର ମିଳିଥିଲା ଯେ, ଇସ୍ପାତ ଏକ୍ସପ୍ରେସ ଜରିଆରେ କୋଲକତା ରୁ ସମ୍ବଲପୁର ଅଞ୍ଚଳକୁ ବିପୁଳ ମାତ୍ରାରେ ଧଳା ଜହର ଅବୈଧ୍ୟ ରୂପେ ଚାଲାଣ କରାଯାଉଛି। ଏଣୁ ଆମର ଏକ କର୍ମଚାରୀଙ୍କୁ କୋଲକତାରୁ ସମ୍ବଲପୁର ମଧ୍ୟରେ ଏକ ଷ୍ଟେସନରେ ଇସ୍ପାତ ଏକ୍ସପ୍ରେସରେ ବସାଇଥିଲୁ। ସେହି କର୍ମଚାରୀ ଜଣକ ଉକ୍ତ ଧଳା ଜହର ଚାଲାଣକାରୀ ମାନଙ୍କୁ ଚିହ୍ନଟ କରି ଆମକୁ ନିୟମିତ ସୂଚନା ପ୍ରଦାନ କରୁଥିଲେ। ତେବେ ସମ୍ବଲପୁର ଷ୍ଟେସନ ନିକଟକୁ ଆସିବା ପୂର୍ବରୁ ଫାଟକ ଅଞ୍ଚଳ ନିକଟରେ ରେଳଗାଡି ଧିମା ହେବାରୁ ସେହି ସମୟରେ ସେମାନେ ଡେଇଁ ଦୌଡିବା ଆରମ୍ଭ କରିଥିଲେ। ଆମର କର୍ମଚାରୀ ମାନେ ସେମାନଙ୍କୁ ଗୋଡାଇ ଥିଲେ ସୁଦ୍ଧା ସେମାନେ ଖସି ଯିବାରେ ଗତକାଲି ସଫଳ ହୋଇଥିଲେ। ତେବେ ଆମ ପାଖରେ ଫେରାର ହୋଇଥିବା ବ୍ୟକ୍ତି ମାନଙ୍କର ଘର ସୁନାପାଲି ଅଞ୍ଚଳରେ ଥିବାର ଜାଣିଥିବାରୁ ଆମେ ଗତକାଲି ରାତ୍ରିରୁ ତାଙ୍କ ଘର ନିକଟରେ ଜଗି ରହିଥିଲେ। ଆଜି ସକାଳ ପ୍ରାୟ ୭ଟା ସମୟରେ ଧରାପଡ଼ିଥିବା ଏସ. କେ. ସବ୍ୱିରକୁ ଆମେ ଧରିବାରେ ସଫଳ ହୋଇଥିଲୁ। ତାକୁ ଯାଞ୍ଚ କରିବାରୁ ତା ନିକଟରୁ ୧୪୦ ଗ୍ରାମ ଧଳା ଜହର ଜବତ କରିଥିଲୁ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୪ ଲକ୍ଷ ଟଙ୍କା ହେବ। ଅନ୍ୟ ଫେରାର ଅଭିଯୁକ୍ତକୁ ଆମେ ଧରିବାକୁ ଉଦ୍ୟମ ଜାରି ରଖିଛୁ ଏବଂ ଖୁବ ଶିଘ୍ର ସେ ଧରା ପଡ଼ିଯିବ। ଏବେ ଧରାପଡ଼ିଥିବା ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଅବକାରୀ ବିଭାଗରେ ମାମଲା ଗୁଡିକ ରହିଥିବା ବେଳେ ପୁଲିସ ନିକଟରେ କଣ ଅପରାଧିକ ଇତିହାସ ରହିଛି, ତାହା ଆମେ ମାଗିଛୁ। ଏଣୁ ଏକ ମାମଲା ରୁଜୁ କରାଯାଇ ଧଳା ଜହର ଗୁଡିକୁ ଜବତ କରିବା ସହିତ ଅଭିଯୁକ୍ତ ଏସ. କେ. ସବ୍ୱିରକୁ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଅନେକବାର ବିପୁଳ ଧଳା ଜହର ଧରାପଡ଼ିଥିବା ବେଳେ ଅନେକ ଯୁବକ, ପୁରୁଷ ଓ ମହିଳା ଗିରଫ ମଧ୍ୟ ହୋଇଛନ୍ତି।

Comments are closed.