ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ

ପିପିଲି: ସମାଜରେ ବରିଷ୍ଠ ନାଗରିକମାନେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ସେମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ ସହ ସାଂପ୍ରତିକ ପରିସ୍ଥିତିରେ ବରିଷ୍ଠ ନାଗରିକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ଜରୁରୀ ଆବଶ୍ୟକ ବୋଲି ବରିଷ୍ଠ ନାଗରିକ ମଞ୍ଚ, ପିପିଲିର ପ୍ରଥମ ବାର୍ଷିକ ବନ୍ଧୁମିଳନ ଉତ୍ସବରେ ଯୋଗଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି।

ବରିଷ୍ଠ ନାଗରିକ ମଞ୍ଚର ସଭାପତି ତଥା ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତିର ଓଡ଼ିଶା ପ୍ରାନ୍ତ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ସ୍ଥାନୀୟ କ୍ରୀଷ୍ଣା ଗାର୍ଡେନ ଠାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡ଼ ସମ୍ବିତ ପାତ୍ର, ଭୁବନେଶ୍ୱର ସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ୱାର୍ଲ୍ଡ ଫାଉଣ୍ଡେସନର ଅଧ୍ୟକ୍ଷ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ, ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ, ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ସାଧାରଣ ସଂପାଦକ ରାଜକିଶୋର ସାମନ୍ତରାୟ, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସମିତି, ପୁରୀର ସଂପାଦକ ତଥା ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ପୁରୀ ଜିଲା ସଂପାଦକ ଅରବିନ୍ଦ ଶତପଥୀ ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। ମଣିଷ ଭିତରେ ଦେବତ୍ୱର ସନ୍ଧାନ ପାଇଁ ପ୍ରଚେଷ୍ଟା ସଂପର୍କରେ ଅତିଥିମାନେ ପ୍ରକାଶ କରିବା ସହ ବରିଷ୍ଠ ନାଗରିକଙ୍କ ପ୍ରତି ସମସ୍ତଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱବୋଧତା ସଂପର୍କରେ ପ୍ରକାଶ କରିଥିଲେ। ବରିଷ୍ଠ ନାଗରିକମାନେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ରକୁ ବିଧାୟକ ଓ ସାଂସଦଙ୍କୁ ପ୍ରଦାନ କରାଯାଇଥିଲା। ପିପିଲି ଅଞ୍ଚଳର ବରିଷ୍ଠ ନାଗରିକଙ୍କ ପାଇଁ ଏହି ସଂଘର ଆବଶ୍ୟକତା ସଂପର୍କରେ ସଭାପତି ପ୍ରଫୁଲ୍ଳ ଚନ୍ଦ୍ର ପଣ୍ଡା ଆଲୋକପାତ କରିବା ସହ ସଂଘର ବିଭିନ୍ନ ସମାଜସେବା କାର୍ଯ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ।

ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ସୁଲେଖକ ଅର୍ଜ୍ଜୁନ ଘଡେଇଙ୍କ ଦ୍ୱାରା ସଂପାଦିତ ଅନୁଷ୍ଠାନର ବାର୍ଷିକ ମୁଖପତ୍ର ‘ଉପାସନା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ପିପିଲି, ଗୁଡିଆପୋଖରୀ ଓ ଦାଣ୍ଡମୁକୁନ୍ଦପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀଙ୍କ ସମେତ ଶିଶୁ କଳାକାର ଦିବ୍ୟାଶା ଦର୍ଶିନୀ ପ୍ରଧାନ ଓ ମନ୍ମୋୟୀ ପ୍ରଧାନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସେବା କ୍ଷେତ୍ରରେ ପିପିଲି ପୌରାଞ୍ଚଳର ଯୁବ ସଂଗଠକ ସୁଶାନ୍ତ କୁମାର ସାହୁ ଓ ତାଙ୍କ ସହଧର୍ମିଣୀ ବିଦୁଲତା ସାହୁଙ୍କୁ ସ୍ୱତନ୍ତ୍ର ଭାବେ ସଂବର୍ଦ୍ଧିତ କରାଯାଇଥିବା ବେଳେ ୫୨ଜଣ ବରିଷ୍ଠ ନାଗରିକ ଓ ସେମାନଙ୍କ ସହଧର୍ମିଣୀଙ୍କୁ ସଂବର୍ଦ୍ଧିତ କରାଯାଇଥିଲା। ଅବସରପ୍ରାପ୍ତ ଶିକ୍ଷକ ରମାକାନ୍ତ ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସେଠାରେ ଆୟୋଜିତ ବରିଷ୍ଠ ନାଗରିକ ମଞ୍ଚର ବିଭିନ୍ନ ସେବାକାର୍ଯ୍ୟର ଫଟୋଚିତ୍ର ପ୍ରଦର୍ଶନୀକୁ ଅତିଥିମାନେ ବୁଲି ଦେଖିଥିଲେ।

Comments are closed.