ଜିଏସଟି ବିଭାଗକୁ ବଡ ସଫଳତା, କାରରୁ ମିଳିଲା ଦେଢ କ୍ଵିଣ୍ଟାଲ ରୂପା

ସମ୍ବଲପୁର: ସମ୍ବଲପୁର ସିଟି ଜିଏସଟି ବିଭାଗକୁ ବଡ ସଫଳତା ମଙ୍ଗଳବାର ଦିନ ମିଳିଛି। ଅବକାରୀ ବିଭାଗ ପକ୍ଷରୁ ଚୋରା ଗଞ୍ଜେଇ ଚାଲାଣ ନିମନ୍ତେ ସମ୍ବଲପୁର ଜିଲା ରେଙ୍ଗାଲିର ଝୁରିପଡ଼ା ଅଞ୍ଚଳରେ ବ୍ୟାପକ ଚେକିଂ କରାଯାଉଥିଲା। ସେହି ସମୟରେ ଏକ ଲାଲ ରଙ୍ଗର ଦାମୀକିଆ କାରକୁ ସନ୍ଦେହ ଆଧାରରେ ଅବକାରୀ ଦଳ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଗଞ୍ଜେଇ ବଦଳରେ ବିପୁଳ ମାତ୍ରାରେ ରୂପ ଓ ରୂପା ନିର୍ମିତ ବିଭିନ୍ନ ସମାଗ୍ରୀ ଥିବାର ଦେଖି ସିଟି ଜିଏସଟି ବିଭାଗକୁ ଖବର ଦେଇଥିଲେ। ଏଣୁ ତୁରନ୍ତ ଅଧିକାରୀ ଟେକଚାନ୍ଦ ମେହେରଙ୍କ ନେତୃତ୍ୱ ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ଚୋରାରେ ଚାଲାଣ ହେଉଥିବା ରୂପା ଗୁଡିକୁ ଜବତ କରି ହେପାଜତରେ ନେଇଥିଲେ।

ଜିଏସଟି ବିଭାଗ ପକ୍ଷରୁ ଯାଞ୍ଚ ସମୟରେ ରୂପା ନିର୍ମିତ ପାଉଁଞ୍ଜି, ଝୁମକା, ମୂର୍ତ୍ତି, ଗ୍ଲାସ ଆଦି ବିଭିନ୍ନ ରୂପା ନିର୍ମିତ ସାମଗ୍ରୀ ଗୁଡିକ ସମେତ ସମୁଦାୟ ୧ କ୍ଵିଣ୍ଟାଲ ୬୬ କିଗ୍ରା ୪ଶହ ଗ୍ରାମ ରୂପା ରହିଥିବାର ଜଣାପଡ଼ିଥିଲା। କାରର ସିଟ ତଳେ ଲୁକ୍କାୟିତ ଭାବରେ ରୂପା ଗୁଡିକୁ ମହାରାଷ୍ଟ୍ର ରାଜ୍ୟରୁ ଝାରଖଣ୍ଡ ରାଜ୍ୟର ରାଁଚୀ ଅଞ୍ଚଳକୁ ଚାଲାଣ କରାଯାଉଥିବାର ପ୍ରାଥମିକ ତଦନ୍ତ ସମୟରେ ଜଣାପଡ଼ିଛି। ଏଣୁ ଧରାପଡ଼ିଥିବା ରୂପା, କାର ଓ ଗାଡିରେ ଥିବା ୩ ଜଣ ବ୍ୟକ୍ତିଙ୍କୁ ଜିଏସଟି ବିଭାଗ ପକ୍ଷରୁ ହେପାଜତରେ ନେଇ ତଦନ୍ତ ଆରମ୍ଭ କରାଯାଇଛି ବୋଲି ଅଧିକାରୀ ଟେକଚାନ୍ଦ ମେହେର କହିଛନ୍ତି।

ଜବତ ହୋଇଥିବା ରୂପା ଗୁଡିକର ଆନୁମାନିକ ମୂଲ୍ୟ ୧ କୋଟି ୫୦ ଲକ୍ଷ ଟଙ୍କା ହେବ ଏବଂ କାଗଜପତ୍ର ସମ୍ପର୍କରେ ଜିଏସଟି ବିଭାଗ ପକ୍ଷରୁ ଯାଞ୍ଚ କରାଯାଉଛି ଏବଂ ଏହା ଉପରେ ଜରିମାନା ଆଦାୟ କରାଯିବ ବୋଲି ଶ୍ରୀ ମେହେର କହିଛନ୍ତି। ସମସ୍ତ ସାମଗ୍ରୀ ଗୁଡିକୁ ସମ୍ବଲପୁର ଟ୍ରେଜେରୀରେ ଜମା କରାଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ସମ୍ବଲପୁର ଜିଲାରେ ଜିଏସଟି ବିଭାଗ ପକ୍ଷରୁ ଏତେ ପରିମାଣରେ ରୂପା ପୁର୍ବରୁ ଜବତ ହୋଇ ନ ଥିଲା ବୋଲି ଜଣାପଡ଼ିଛି।

Comments are closed.