www.samajalive.in
Monday, December 15, 2025
24.1 C
Bhubaneswar

ଘଟଣାର ୮ ବର୍ଷ ପରେ ଆଂଶିକ ନ୍ୟାୟ ପାଇବେ ନରହରି ସେଠୀଙ୍କ ପରିବାର

ଭୁବନେଶ୍ୱର: ୨୦୧୪ ମସିହାରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଆଖଡ଼ାଶାଳ ଗ୍ରାମର ନରହରି ସେଠୀ ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ଓଡ଼ିଶା ମାନବାଧିକାର କମିଶନ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଅତ୍ୟାଚାରିତ ପରିବାରକୁ ମାସିକ ୩ ହଜାର ଟଙ୍କା ପେନସନ, ପିଲାଙ୍କ ଶିକ୍ଷା, ୩ ମାସର ରାସନ ସାମଗ୍ରୀ ଆସନ୍ତା ୪ ମାସ ମଧ୍ୟରେ ଯୋଗାଇ ଦେବାକୁ କମିଶନ ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କୁ ସୁପାରିଶ କରିଛନ୍ତି। ଏହି ସୁପାରିଶ କାର୍ଯ୍ୟକାରୀ ହେଲେ ଘଟଣାର ୮ ବର୍ଷ ପରେ ନିର୍ଯ୍ୟାତିତ ପରିବାର ଆଂଶିକ ନ୍ୟାୟ ପାଇ ପାରିବେ ବୋଲି ଆଶା ସଞ୍ଚାରିତ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ୨୦୧୧ ଓ ୨୦୧୪ ମଧ୍ୟରେ ନରହରିଙ୍କ ପରିବାର ଉପରେ ଚାରିଥର ଆକ୍ରମଣ ହୋଇଥିବା ମାମଲା ଗୁଡ଼ିକ ଅଦ୍ୟାବଧି ବିଭିନ୍ନ ବିଚାରାଳୟରେ ପଡ଼ିରହିଛି ଏବଂ ଦୋଷୀମାନେ ଦଣ୍ଡିତ ହୋଇନାହାଁନ୍ତି। ଘଟଣାର ବିବରଣୀରୁ ଜଣାପଡ଼ିଛି ଯେ ଆଖଡ଼ାଶାଳ ଗ୍ରାମରେ ନରହରି ସେଠୀ ଅନୁସୂଚିତ ଜାତିର ହୋଇଥିଲେ ମଧ୍ୟ ନିଜର ପରିଶ୍ରମ ଓ ଉଦ୍ୟମ ବଳରେ ଆର୍ଥିକ ସ୍ୱଚ୍ଛଳତା ହାସଲ କରିଥିଲେ। ଏହା ଫଳରେ ସେହି ଗ୍ରାମର କିଛି ସବର୍ଣ୍ଣମାନେ ନରହରି ସେଠୀଙ୍କ ପରିବାର ଉପରେ ବାରମ୍ବାର ଆକ୍ରମଣ କରିଥିଲେ। ୨୦୧୧ ମସିହାରେ ଘର ପୋଡ଼ିବା ଓ ସଂଘବଦ୍ଧ ଆକ୍ରମଣ କରିବା ପରେ ୨୦୧୩ ମସିହାରେ ଆକ୍ରମଣକାରୀମାନେ ଘର ପୋଡ଼ିବା ସହିତ ନରହରି ସେଠୀଙ୍କ ପତ୍ନୀ ନିର୍ମଳା ସେଠୀଙ୍କ ଗୋଡ଼କୁ ହାଣି ଦେଇଥିଲେ। ୨୦୧୪ ମସିହାରେ ପୁନଶ୍ଚ ସଂଘବଦ୍ଧ ଆକ୍ରମଣ କରି ନରହରି ସେଠୀଙ୍କୁ ହତ୍ୟା କରିଥିଲେ। ୨୦୧୩ ମସିହା ଆକ୍ରମଣ ପରେ ନିର୍ମଳା ସେଠୀ ଦୀର୍ଘଦିନ ଧରି ଚିକିତ୍ସିତ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇନପାରି ଭିନ୍ନକ୍ଷମରେ ପରିଣତ ହୋଇଥିଲେ। ଏଭଳି ବାରମ୍ବାର ଜାତିଭିତ୍ତିକ ଅତ୍ୟାଚାର ଓ ବିଭତ୍ସ ହତ୍ୟା ଘଟଣାରେ ଆଇନ ଅନୁସାରେ ସଠିକ୍ ଭାବରେ ଆର୍ଥିକ ସହାୟତା ଓ ଥଇଥାନ ବ୍ୟବସ୍ଥା କରାଯାଇନଥିଲା। ରାଜ୍ୟର ଅଗ୍ରଣୀ ଗଣସଂଗଠନ ଆମ୍ବେଦକର ଲୋହିଆ ବିଚାର ମଞ୍ଚ ଏହି ଘଟଣାରେ ହସ୍ତକ୍ଷେପ କରି ୨୦୧୯ ମସିହାରେ ଓଡ଼ିଶା ମାନବାଧିକାର କମିଶନଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ। ନିର୍ଯ୍ୟାତିତ ପରିବାର ତରଫରୁ ବିଚାର ମଞ୍ଚର ସଭାପତି ସଂଗ୍ରାମ କେଶରୀ ମଲିକ ଉକ୍ତ ମାମଲା ଉପସ୍ଥାପନା କରିଥିଲେ।
ସମ୍ପ୍ରତି ଓଡ଼ିଶା ମାନବାଧିକାର କମିଶନଙ୍କ ନିର୍ଦ୍ଦେଶକ୍ରମେ ୦୧.୦୧.୨୦୧୫ରିଖ ଠାରୁ ପେନସନ ଦେବା, ନିର୍ଯ୍ୟାତିତ ପରିବାରକୁ ଥଇଥାନ କରିବା ଏବଂ କର୍ତ୍ତବ୍ୟରେ ଅବହେଳା କରିଥିବା ଅଧିକାରୀମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ସୁପାରିଶ ରହିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories