ଋଣ ଭାର ଛୁଇଁଲା ୫୩ହଜାର କୋଟି

ଭୁବନେଶ୍ୱର: ରାଜ୍ୟରେ ଆର୍ଥିକ ପରିଚାଳନାରେ ନିୟନ୍ତ୍ରଣ କରିବାପାଇଁ ରାଜ୍ୟ ସରକାର ୨୦୧୩-୧୪ ଆର୍ଥିକ ବର୍ଷରୁ ୪ବର୍ଷ ମଧ୍ୟରେ ପ୍ରାୟ ୫୩ହଜାର କୋଟି ଟଙ୍କା ଋଣ କରିଛନ୍ତି। ୨୦୧୩-୧୪ରେ ଋଣଭାର ୪୪ହଜାର ୭୧୪କୋଟି ଟଙ୍କା ରହିଥିବାବେଳେ ୨୦୧୭-୧୮ବର୍ଷରେ ଏହି ପରିମାଣ ୯୭ହଜାର ୧୬୪କୋଟି ଟଙ୍କାରେ ପହଞ୍ଚିଥିଲା ବୋଲି ସିଏଜିଙ୍କ ରିପୋର୍ଟରେ ଜଣାଯାଇଛି।

ଗୁରୁବାର ପିଏଜିଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନ ମହାଲେଖାକାର ମଧୁମିତା ବସୁ କହିଥିଲେ ଯେ ଭାରତର ସମ୍ବିଧାନର ୨୯୩ ଧାରା ଅନୁସାରେ ରାଜ୍ୟ ସରକାର ବିଧାନସଭା ଦ୍ବାରା ସ୍ଥିରୀକୃତ ସମୟସୀମା ମଧ୍ୟରେ ରାଜ୍ୟର ସଙ୍ଗଠିତ ପାଣ୍ଠିର ସୁରକ୍ଷା ପାଇଁ ଋଣ କରିପାରିବେ। ଏହାବାଦ୍ ରାଜ୍ୟ ସରକାରଙ୍କ ୨୦୦୫ ଅଧିନିୟମ ଅନୁଯାୟୀ ରାଜ୍ୟ ସରକାରଙ୍କ ଦାୟିତ୍ବ ହେଉଛି ଯେ ରାଜ୍ୟରେ ଆର୍ଥିକ ପରିଚାଳନାକୁ ଦୃ​‌ଷ୍ଟିରେ ରଖି କ୍ରମାଗତ ଭାବେ କିଭଳି ରାଜସ୍ବ ନିଅଣ୍ଟ ହ୍ରାସ ହୋଇପାରିବ ଏବଂ ଆର୍ଥିକ ସ୍ଥିରତା ବଜାୟ ରହିବ ତାକୁ ଗୁରୁତ୍ବ ଦେବେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ୨୦୧୩-୧୪ ଆର୍ଥିକ ବର୍ଷରେ ୨୩ହଜାର ୩୧୪କୋଟି ଟଙ୍କା ସରକାରୀ ଭାବେ ଋଣ କରିଥିଲେ। ସେତେବେଳେ ରାଜ୍ୟରେ ମୋଟ ଉତ୍ପାଦ ୧୫ ପ୍ରତିଶତ ଥିବାବେଳେ ସେଥିମଧ୍ୟରୁ ଘରୋଇ ଉତ୍ପାଦ ୮ ପ୍ରତିଶତ ଏବଂ ସାମଗ୍ରିକ ଉତ୍ପାଦ ୭ପ୍ରତିଶତ ଥିଲା। ଏହାପରେ କ୍ରମାଗତ ଭାବେ ସରକାର ଋଣ କରିଛନ୍ତି।

ସିଏଜିଙ୍କ ରିପୋର୍ଟ ଅନୁଯାୟୀ ୨୦୧୪-୧୫ରେ ୨୬ହଜାର ୮୪୯କୋଟି ଟଙ୍କା ସରକାର ଋଣ କରିଥିବାବେଳେ ୨୦୧୫-୧୬ରେ ୩୩ହଜାର ୭୫୭କୋଟି, ୨୦୧୬-୧୭ରେ ୪୨ହଜାର ୧୮କୋଟି ଏବଂ ୨୦୧୭-୧୮ ବର୍ଷରେ ଏହି ପରିମାଣ ୫୨ହଜାର କୋଟି ଟଙ୍କାରେ ପହଞ୍ଚିଛି। ୨୦୧୭-୧୮ରେ ଘରୋଇ ଉତ୍ପାଦ ୧୩ପ୍ରତିଶତ ରହିଥିବାବେଳେ ସାମଗ୍ରିକ ଉତ୍ପାଦ ୧୧ପ୍ରତିଶତ ରହିଛି। ଯାହାକି ମୋଟ ଉତ୍ପାଦଠାରୁ ୧ପ୍ରତିଶତ କମ୍ ରହିଛି। ରାଜ୍ୟ ସରକାରଙ୍କ ମୋଟ ଆର୍ଥିକ ବୋଝ ୨୦୧୭-୧୮ ସୁଦ୍ଧା ୯୭ହଜାର ୧୬୪କୋଟି ଟଙ୍କାରେ ପହଞ୍ଚିଛି। ୨୦୧୩-୧୪ରେ ୪୪ହଜାର ୭୧୪ କୋଟି ଋଣ ଥିବାବେଳେ ଏହା ବଢ଼ି ୨୦୧୪-୧୫ରେ ୫୦ହଜାର ୪୯୩ କୋଟିରେ ପହଞ୍ଚିଥିଲା। ୨୦୧୫-୧୬ରେ ୫୯ହଜାର ୭୫୩କୋଟି ଟଙ୍କା ଋଣ ଭାର ରହିଥିବାବେଳେ ୨୦୧୬-୧୭ରେ ୭୧ହଜାର ୬୨୩କୋଟି ଟଙ୍କା ଥିଲା।

Comments are closed.