ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର କେବେ? ଶୀତଳ ଭଣ୍ଡାରରେ ଫାଇଲ

ଡେସ୍କ: ଚଳିତ ବର୍ଷ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦିନ ୨୦୨୨ ନିମନ୍ତେ ଓଡ଼ିଆ ଭାଷାର ଚଳଚ୍ଚିତ୍ର ‘ଦମନ’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ଓଡିଶାବାସୀଙ୍କ ପାଇଁ ଆଜିର ଦିନଟି ସଫଳତା ଓ ଗର୍ବ ଏବଂ ଗୌରବର ଦିନ। କିନ୍ତୁ ରାଜ୍ୟରେ ଓଡ଼ିଆ ଚଳଚ୍ଚିତ୍ରର ବିକାଶ ନିମନ୍ତେ ସେଭଳି କୌଣସି ପଦକ୍ଷେପ ଗ୍ରହଣ କରାଯାଉଥିବା ମନେ ହେଉନାହିଁ। କରୋନା ସଂକ୍ରମଣର ଭୟାବହତା ଓ ଅନ୍ୟାନ୍ୟ କାରଣ ଯୋଗୁ ୨୦୨୦, ୨୦୨୧ ଓ ୨୦୨୨ ବର୍ଷ ନିମନ୍ତେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦିଆଯାଇପାରି ନ ଥିଲା କିନ୍ତୁ ଏ ଦିଗରେ ରାଜ୍ୟ ସରକାର କେବଳ ପ୍ରକ୍ରିୟା ଆରମ୍ଭ କରି ଚୁପ ବସିଛନ୍ତି।

ସୂଚନା ଅନୁଯାୟୀ, ୨୦୨୦, ୨୦୨୧ ଓ ୨୦୨୨ ବର୍ଷ ନିମନ୍ତେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ନିମନ୍ତେ ମନୋନୟନ ଲାଗି ରାଜ୍ୟର ପୂର୍ବ ସରକାର ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଜରିଆରେ ଏକ ମନୋନୟନ କମିଟି ଗଠନ କରିଥିଲେ। ସେହି କମିଟିରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ର, ଫିଲ୍ମ ସେନ୍ସର ବୋର୍ଡର ପୂର୍ବତନ ରାଜ୍ୟ କାର୍ଯ୍ୟାଳୟ ମୁଖ୍ୟ ଗୋପାଳକୃଷ୍ଣ ମହାପାତ୍ର, ବିଶିଷ୍ଟ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକ ଶେଖର ଘୋଷ, ବିଶିଷ୍ଟ କବି ଓ ସାହିତ୍ୟିକ ତଥା ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଅମରେଶ ପଟ୍ଟନାୟକ ଏବଂ ଅତୀତର ବିଶିଷ୍ଟ ଚଳଚ୍ଚିତ୍ର ନାୟିକା ବନଜ ମହାନ୍ତି ସଦସ୍ୟ ରହିଥିଲେ। କମିଟି ପକ୍ଷରୁ ବହୁ ବିଚାର ବିମର୍ଷ ପରେ ୩ ବର୍ଷ ପାଇଁ ମନୋନୟନ କମିଟି ଚଳିତ ବର୍ଷ ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମକୁ ମାର୍ଚ୍ଚ ମାସରେ ତାଲିକା ପ୍ରଦାନ କରିଥିଲା।

କେବଳ ସେତିକି ନୁହେଁ, ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ମଧ୍ୟ ରାଜ୍ୟ ସରକାରଙ୍କ ନିକଟକୁ ମନୋନୟନ ତାଲିକା ପଠାଇ ଦେଇଥିବା ଜଣାପଡିଛି। କିନ୍ତୁ ୯ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର ଓ ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ରାଜ୍ୟ ସରକାରଙ୍କ ଓଡ଼ିଆ ଚଳଚ୍ଚିତ୍ର ଜଗତ ପ୍ରତି ଏଭଳି ଅସୂୟା ଭାବକୁ ଚଳଚ୍ଚିତ୍ର ଜଗତ ଓ ପ୍ରଯୋଜକ ମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି। ଦେଖିବାକୁ ବାକି ରହିଲା, କେବେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିବ?

Comments are closed.