ବଜେଟ୍‌‌ ୨୦୨୩-୨୪: କୃଷି ପାଇଁ ୨୪,୮୨୯ କୋଟିର ବ୍ୟୟବରାଦ

ଭୁବନେଶ୍ବର: ବିଧାନସଭାରେ ରାଜ୍ୟ ବଜେଟ୍‌‌ ୨୦୨୩-୨୪ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ପ୍ରଥମେ କୃଷି ବଜେଟ୍‌‌ ଉପସ୍ଥାପନ କରାଯାଇଛି। କୃଷି ପାଇଁ ବଜେଟ୍‌‌ରେ ୨୪,୮୨୯ କୋଟି ବ୍ୟୟବରାଦ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଧାନ ସଂଗ୍ରହ କାର୍ଯ୍ୟକ୍ରମ ପାଇଁ ୨ ହଜାର କୋଟିର ରିଭଲ୍‌ଭିଂ ଫଣ୍ଡ ସହ କାଳିଆ ସହାୟତା ପାଇଁ ୧୮୭୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିସହ କାଳିଆ ଯୋଜନାରେ ଚାଷୀ ଋଣ ସୁଧ ରିହାତି ପାଇଁ ୮୩୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ବଜେଟ୍‌ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରାପ୍ୟ ପ୍ରଦାନ ପାଇଁ ୬୦୦ କୋଟି ଓ ମିଲେଟ୍‌ ମିଶନ ପାଇଁ ୪୯୭ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।

prayash

ରାଜ୍ୟ ଫସଲ ଉତ୍ପାଦନ କ୍ଷେତ୍ରରେ ଓୟୁଏଟିର ଭୂମିକା ଉଲ୍ଲେଖନୀୟ। ଓୟୁଏଟିରେ କୃଷି ଗବେଷଣା ପାଇଁ ୧୬୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଉଦ୍ୟାନ କୃଷି ମଧ୍ୟ କୃଷକଙ୍କୁ ସଶକ୍ତ କରିଛି। ଉଦ୍ୟାନ କୃଷିର ବିକାଶ ପାଇଁ ଚଳିତ ବଜେଟ୍‌ରେ ୩୮୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। କୃଷି କ୍ଷେତ୍ରରେ ମହିଳା ଏସଏଚଜିଙ୍କୁ ପ୍ରୋତ୍ସାହନ ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଛି। କୃଷି କ୍ଷେତ୍ରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ୫ ବର୍ଷରେ ୩୬୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଛତୁ ମିଶନ ଓ ଫୁଲ ଚାଷ ମିଶନ ପାଇଁ ୧୦୦ କୋଟିର ବ୍ୟୟବରାଦ କରାଯାଇଛି।

ଅପରପକ୍ଷେ, ଜଳସେଚନକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ନଦୀ ଉପରେ ଆଉ ୧୬ଟି ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ହେବ। ଏଥିପାଇଁ ୮୫୪ କୋଟିର ବ୍ୟୟବରାଦ କରାଯାଇଛି। ପାର୍ବତୀ ଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ପାଇଁ ୫୦୦ କୋଟିର ବ୍ୟୟବରାଦ ସାଙ୍ଗକୁ ୨୦୨୫-୨୬ ସୁଦ୍ଧା ଅତିରିକ୍ତ ୧ ଲକ୍ଷ ଗଭୀର ନଳକୂପ ପାଇଁ ୪୧୯୮ କୋଟିର ବ୍ୟୟବରାଦ ହୋଇଛି। ବିଜୁ କୃଷକ ବିକାଶ ଯୋଜନାରେ ୧୫ଶହ ଉଠାଜଳସେଚନ ପ୍ରକଳ୍ପ ପାଇଁ ୪୦୦ କୋଟି ସହ ଅଚଳ ଉଠାଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର ପାଇଁ ୧୯୧ କୋଟିର ବ୍ୟୟବରାଦ କରାଯାଇଛି। ଆଉ ୪୫୦ଟି ଚେକ୍‌ ଡ୍ୟାମ୍‌ ନିର୍ମାଣ ପାଇଁ ୧୮୧ କୋଟି ବ୍ୟୟବରାଦ ହୋଇଛି। ଲୁଣା ବନ୍ଧ ସୁଦୃଢୀକରଣ ପାଇଁ ବଜେଟ୍‌ରେ ୯୬୧ କୋଟିର ବ୍ୟୟବରାଦ କରାଯାଇଛି।

kalyan agarbati

Comments are closed.