www.samajalive.in
Sunday, December 7, 2025
18.1 C
Bhubaneswar

+୨ରେ କମିଲା ୫୫୭୨୪ ସିଟ୍‌, ୨୦୨୨-୨୩ ଶିକ୍ଷା ବର୍ଷରେ ୨୦୫୩ ଶିକ୍ଷାନୁଷ୍ଠାନରେ ହେବ ନାମଲେଖା

ଭୁବନେଶ୍ବର: ରାଜ୍ୟରେ ମାଟ୍ରିକ୍‌ ପରୀକ୍ଷା ସରିଥିବାବେଳେ ଆସନ୍ତା ୨୧ରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ +୨ ନାମଲେଖା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ୫୫ ହଜାର ୭୨୪ +୨ ସିଟ୍‌ କମାଯାଇଛି। ଗତବର୍ଷ ମାଟ୍ରିକ୍‌ ପରୀକ୍ଷା ହୋଇ ନ ଥିବାରୁ ରାଜ୍ୟରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ଗତବର୍ଷ ପ୍ରାୟ ୫୦ ହଜାର ଆସନ ବୃଦ୍ଧି କରାଯାଇଥିଲା। ଚଳିତ ବର୍ଷ ଏହି ସିଟ୍‌ କମାଯିବା ସହ ଚୂଡ଼ାନ୍ତ ସିଟ୍‌ ସଂଖ୍ୟା ନିର୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ପାଇଁ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ବିଦ୍ୟାର୍ଥୀ ଫର୍ମପୂରଣ କରିଥିବାବେଳେ ସେଥିମଧ୍ୟରୁ ପ୍ରାୟ ୫ ଲକ୍ଷ ୨୮ ହଜାର ପରୀକ୍ଷା ଦେଇଛନ୍ତି। ଗତବର୍ଷ ପ୍ରାୟ ୫ ଲକ୍ଷ ୬୨ ହଜାର ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ। ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍‌ଥିବାରୁ ସିଟ୍‌ ସଂଖ୍ୟା କମାଇବାକୁ ନିଷ୍ପତ୍ତି ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ।

- Advertisement -

୨୦୨୧-୨୨ ଶିକ୍ଷାବର୍ଷରେ ୨୦୫୩ କନିଷ୍ଠ ମହାବିଦ୍ୟାଳୟରେ ମୋଟ ୫ ଲକ୍ଷ ୪ ହଜାର ୭୩୩ ସିଟ୍‌ ରହିଥିଲା। ଦଶମରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବା ସତ୍ତ୍ବେ ମୋଟ ୩ ଲକ୍ଷ ୮୪ ହଜାର ୬୨୮ ସିଟ୍‌ ପୂରଣ ହୋଇଥିଲେ। ରାଜ୍ୟରେ ମୋଟ ୧ ଲକ୍ଷ ୨୦ ହଜାର ୧୦୫ ସିଟ୍‌ ଖାଲି ପଡ଼ିଥିଲା। ୨୦୨୦-୨୧ ଶିକ୍ଷାବର୍ଷରେ ୪ ଲକ୍ଷ ୪୩ ହଜାର ୩୮୩ ସିଟ୍‌ ଥିବାବେଳେ ଗତବର୍ଷ ଏହାକୁ ପ୍ରାୟ ୫୦ ହଜାର ବୃଦ୍ଧି କରାଯାଇଥିଲା।

ଚଳିତ ବର୍ଷ ୨୦୨୨-୨୩ ଶିକ୍ଷାବର୍ଷରେ ମୋଟ ୨୦୫୩ କନିଷ୍ଠ ମହାବିଦ୍ୟାଳୟ ପାଇଁ ସାମ୍ସ ଜରିଆରେ ନାମଲେଖା ଅନୁଷ୍ଠିତ ହେବ। ମୋଟ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ୧୦୫୧ଟି +୨ କନିଷ୍ଠ ମହାବିଦ୍ୟାଳୟ ସହ ସମସ୍ତ ଘରୋଇ କନିଷ୍ଠ ମହାବିଦ୍ୟାଳୟର କଳା,ବାଣିଜ୍ୟ, ବିଜ୍ଞାନ, ସଂସ୍କୃତ ଓ ଧନ୍ଦାମୂଳକ ପାଠ୍ୟକ୍ରମର ମୋଟ ୪ ଲକ୍ଷ ୪୯ ହଜାର ୯ଟି ସିଟ୍‌ ଚୂଡ଼ାନ୍ତ ହୋଇଛି। ସାମ୍ସ ଜରିଆରେ ନାମଲେଖା ଅନୁଷ୍ଠିତ ହେବ। ଚଳିତ ବର୍ଷ କଳାରେ ସର୍ବାଧିକ ୨ ଲକ୍ଷ ୪୦ ହଜାର ୨୫୦ ସିଟ୍‌ ଥିବାବେଳେ ବିଜ୍ଞାନରେ ୧ ଲକ୍ଷ ୪୫ ହଜାର ୫୭୫, ବାଣିଜ୍ୟରେ ୪୧ ହଜାର ୨୪୦, ସଂସ୍କୃତରେ ୧୧ ହଜାର ୭୧୨ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ୧୦ ହଜାର ୨୩୨ ସିଟ୍‌ରେ ନାମଲେଖା ପାଇଁ ନିଷ୍ପତ୍ତି ନିଆଯାଇଛି। ନାମଲେଖା ସମ୍ବନ୍ଧୀୟ ନିୟମାବଳୀ ନିର୍ଦେଶାଳୟ ପକ୍ଷରୁ ପ୍ରସ୍ତୁତ ଚାଲିଛି। ମାଟ୍ରିକ୍‌ ଫଳ ପ୍ରକାଶ ପାଇବା ପରେ +୨ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଫଳ ପ୍ରକାଶ ପୂର୍ବରୁ ସମସ୍ତ ପ୍ରସ୍ତୁତି ସାରିବାକୁ ପ୍ରାଥମିକତା ଦେଉଛି ନିର୍ଦେଶାଳୟ।

ଅନ୍ୟପକ୍ଷରେ ଚଳିତ ବର୍ଷ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ସରିବା ପରେ ଯଦି ସିଟ୍‌ ସଙ୍କଟ ପଡ଼େ ତେବେ ସିଟ୍‌ ସଂଖ୍ୟା ବଢାଇବାକୁ ଯୋଜନା କରାଯାଇଛି। ଘରୋଇ ଶିକ୍ଷାନୁଷ୍ଠାନର ଆସନ ବୃଦ୍ଧି କରାଯିବ ନାହିଁ। କେବଳ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କନିଷ୍ଠ ମହାବିଦ୍ୟାଳୟର ସିଟ୍‌ ବଢାଯିବ। ଭିତ୍ତିଭୂମି ଥିବା କନିଷ୍ଠ ମହାବିଦ୍ୟାଳୟର ମୋଟ ସିଟ୍‌ର ୧୦ ପ୍ରତିଶତ ବୃଦ୍ଧି କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଯୋଜନା କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ +୨ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଚଳିତଥର ନାମଲେଖା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ଆସନ ସମସ୍ୟା ହେବନି ବୋଲି ସେ କହିଛନ୍ତି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories