www.samajalive.in
Tuesday, December 9, 2025
26.1 C
Bhubaneswar

ଓଡ଼ିଆ ପୁଅଙ୍କୁ ଆତଙ୍କବାଦୀ ଘୋଷଣା କରିବା ଚକ୍ରାନ୍ତ; ପାକ୍‌କୁ ଭାରତର ମିତ୍ରରାଷ୍ଟ୍ରଙ୍କ ଚେତାବନୀ

ମିଳିତ ଜାତିସଂଘ: ଭାରତକୁ ମିଥ୍ୟା ମାମଲାରେ ଫସାଇ ଅନ୍ତର୍ଜାତୀୟ ସ୍ତରରେ ବଦ୍‌ନାମ କରିବା ପାଇଁ ପାକିସ୍ତାନ ଚଳାଇଥିବା ଚକ୍ରାନ୍ତ ପୁଣି ବିଫଳ ହୋଇଛି। ଆଫଗାନିସ୍ତାନରେ କାର୍ଯ୍ୟରତ ଭାରତର ୪ ଜଣ ନାଗରିକଙ୍କ ମଧ୍ୟରୁ ୨ଜଣଙ୍କୁ ଆତଙ୍କବାଦୀ ଭାବେ ଘୋଷଣା କରିବା ପାଇଁ ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦରେ ଏକ ପ୍ରସ୍ତାବ ଆଗତ କରିବାକୁ ଚାହୁଁଥିଲା । ଏହି ୪ ଭାରତୀୟ ନାଗରିକଙ୍କ ମଧ୍ୟରେ ଓଡ଼ିଶାର ଗୋବିନ୍ଦ ପଟ୍ଟନାୟକ ନାମ ଥିଲା । ତେବେ ଭାରତର ମିତ୍ର ରାଷ୍ଟ୍ରଙ୍କ ବିରୋଧ ଯୋଗୁଁ ପାକିସ୍ତାନର ହୀନ ଉଦ୍ୟମ ପଣ୍ଡ ହୋଇଥିଲା ।

ବୁଧବାର ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନର ଇମ୍ରାନ ଖାଁ ସରକାର ଆଫଗାନିସ୍ତାନରେ କାର୍ଯ୍ୟରତ ୨ ଭାରତୀୟ ନାଗରିକଙ୍କୁ ଜାତିସଙ୍ଘ ଅଧିନିୟମ-୧୨୬୭ ଅନୁଯାୟୀ ଆତଙ୍କବାଦୀ ଘୋଷଣା ପାଇଁ ଦାବି କରିଥିଲା। ତେବେ ଭାରତର ମିତ୍ର ରାଷ୍ଟ୍ର ତଥା ସୁରକ୍ଷା ପରିସଦର ସ୍ଥାୟୀ ସଦସ୍ୟ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ସହ ଅସ୍ଥାୟୀ ସଦସ୍ୟ ବେଲଜିୟମ ଏବଂ ଜର୍ମାନୀ ଏପରି ପ୍ରସ୍ତାବକୁ ବିରୋଧ କରିଥିଲେ। ବିନା କିଛି ପ୍ରାମାଣିକ ତଥ୍ୟରେ ଭାରତ ବିରୋଧରେ ଏପରି ପ୍ରସ୍ତାବ ଆଗତ କରିବା ନ୍ୟାୟ ସମ୍ମତ ନୁହେଁ ବୋଲି ଉପରୋକ୍ତ ରାଷ୍ଟ୍ରଗୁଡ଼ିକ ପାକିସ୍ତାନର ପ୍ରତିନିଧିଙ୍କୁ କହିଥିଲେ। ଭାରତ ବିରୋଧରେ ପାକିସ୍ତାନ ବାରମ୍ବାର ଏପରି ହୀନ ଉଦ୍ୟମ ଚଳାଇ ଆସୁଛି। ଏଥିରୁ ବିରତ ନରହିଲେ ଜାତିସଂଘ ପାକିସ୍ତାନ ଭବିଷ୍ୟତରେ କେବେବି ବିଶ୍ବାସକୁ ନେବ ନାହିଁ ବୋଲି ଚେତାବନୀ ଦେଇଥିଲେ। ଭାରତ ପ୍ରତି ସମର୍ଥନ ଜାହିର କରିଥିବାରୁ ଜାତିସଂଘ​‌​‌ରେ ନିଯୁକ୍ତ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ ତିରୁମୂର୍ତ୍ତି ଉପରୋକ୍ତ ରାଷ୍ଟ୍ରମାନଙ୍କୁ ସାଧୁବାଦ ଜଣାଇଛନ୍ତି ।
ଅଲକାଏଦା ପ୍ରତିବନ୍ଧିତ ସୂଚୀ (ଜାତିସଂଘ ଅଧିନିୟମ-୧୨୬୭)ରେ ସାମିଲ କରିବା ପାଇଁ ପାକିସ୍ତାନ ସୁରକ୍ଷା ପରିଷଦକୁ ଭାରତୀୟ ନାଗରିକ ଅଙ୍ଗାରା ଅପ୍ପାଜୀ, ଗୋବିନ୍ଦ ପଟ୍ଟନାୟକ, ଅଜୟ ମିସ୍ତ୍ରୀ ଓ ବେଣୁମାଧବ ଡୋଙ୍ଗରାଙ୍କ ନାମ ପ୍ରଦାନ କରିଥିଲା । ଏମାନଙ୍କ ମଧ୍ୟରୁ ଓଡ଼ିଶାର ଗୋବିନ୍ଦ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶର ଅଙ୍ଗାରା ଅପ୍ପାଜୀଙ୍କୁ ଆତଙ୍କବାଦୀ ଭାବେ ଘୋଷଣା କରିବାକୁ ପାକିସ୍ତାନ ଦାବି କରିଥିଲା। ପାକିସ୍ତାନ ଜାତିସଂଘର ରାଜନୀତିକରଣ କରୁଥିବା ଭାରତ ଅଭିଯୋଗ କରିଥିଲା। ପରେ ଉପରୋକ୍ତ ରାଷ୍ଟ୍ରମାନେ ପାକିସ୍ତାନର ହୀନ ଉଦ୍ୟମକୁ ଭଣ୍ଡୁର କରିଦେଇଥିଲେ। ଆନ୍ଧ୍ରପ୍ରଦେଶର ଅଙ୍ଗାରା ଅପ୍ପାଜୀ ଗତ ଜାନୁଆରୀ ମାସରେ ଆଫଗାନିସ୍ତାନର ରାଜଧାନୀ କାବୁଲ ଯାଇଥିଲେ। ସେଠାରେ ସେ ଏକ ବ୍ୟାଙ୍କରେ ସଫ୍ଟୱୟାର ଡେଭଲପର ଭାବେ କାର୍ଯ୍ୟ କରୁଥିଲେ। ଅଙ୍ଗାରାଙ୍କ ଉପରେ ପାକିସ୍ତାନ ୧୩ ଫେବୃଆରୀ ୨୦୧୭ରେ ଲାହୋରସ୍ଥିତ ଏକ ମଲ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜଡିତ ଥିବା ଦର୍ଶାଇ ଥିଲା। ସେହିପରି ଓଡ଼ିଶାରେ ଜନ୍ମିତ ୫୫ ବର୍ଷୀୟ ଗୋବିନ୍ଦ ପଟ୍ଟନାୟକ କାବୁଲ​‌ରେ‌ ଫିନିକ୍ସ କନସଲଣ୍ଟାନ୍ସିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି । ୨୦୧୮ରେ ବେଲୁଚିସ୍ତାନର ମସ୍ତୁଙ୍ଗ ଅଞ୍ଚଳରେ ପାକିସ୍ତାନୀ ରାଜନେତା ସିରାଜ ରାୟସାନୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିବା ଇମ୍ରାନ ସରକାର ଅଭିଯୋଗ କରିଥିଲେ।
ପୂର୍ବରୁ ଅର୍ଥାତ୍‌ ଚଳିତ ବର୍ଷ ଜୁନ୍‌ରେ ଭାରତର ଅନ୍ୟ ଦୁଇ ନାଗରିକ ଅଜୟ ମିସ୍ତ୍ରୀ ଓ ବେଣୁମାଧବ ଡୋଙ୍ଗରାଙ୍କୁ ଆତଙ୍କବାଦୀ ଭାବେ ଘୋଷଣା କରିବା ପାଇଁ ସୁରକ୍ଷା ପରିଷଦରେ ଦାବି ଜଣାଇଥିଲା। ସେତେବେଳେ ଆମେରିକା ପାକିସ୍ତାନର ଏହି ଚକ୍ରାନ୍ତକୁ ଭଣ୍ଡୁର କରିଦେଇଥିଲା । ପାକିସ୍ତାନ ଭାରତ ବିରୋଧରେ ବାରମ୍ବାର ମିଥ୍ୟା ଅଭିଯୋଗ କରୁଥିବାରୁ ଏଥିରୁ ନିବୃତ୍ତ ରହିବା ପାଇଁ ଉପରୋକ୍ତ ରାଷ୍ଟ୍ରମାନେ ଇମ୍ରାନ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories