ଓଡ଼ିଆରେ ନାମଫଳକ ଲେଖିବା ପାଇଁ ଜିଲା ଓ ବ୍ଲକସ୍ତରରେ ସଚେତନତା ପଦଯାତ୍ରା

କେନ୍ଦୁଝରଗଡ଼ : ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ପ୍ରତିଷ୍ଠା ହୋଇଥିଲା । ଓଡ଼ିଆ ଭାଷାକୁ ନେଇ ଆମ ପରିଚୟ କିନ୍ତୁ ଉପଯୁକ୍ତ ସଚେତନତା ଅଭାବରୁ ଆଜିବି ଅଧିକାଂଶ ଦୋକାନ ବଜାରରେ ଲାଗିଥିବା ନାମ ଫଳକରେ ଓଡ଼ିଆ ଭାଷାର ବ୍ୟବହାର ହେଉନାହିଁ । ତେବେ ଆମ ଭାଷାର ମର୍ଯ୍ୟାଦା ଓ ସମ୍ମାନ ବୃଦ୍ଧି ପାଇଁ ସାରା ରାଜ୍ୟରେ ୧ରୁ ୧୪ ଅପ୍ରେଲ ପର୍ଯ୍ୟନ୍ତ ‘ଓଡ଼ିଆ ପକ୍ଷ-୨୦୨୫’ର ଶୁକ୍ରବାର ଚତୁର୍ଥ ଦିବସରେ ଓଡ଼ିଆରେ ନାମ ଫଳକ ଅଭିଯାନ ଆୟୋଜିତ ହୋଇଛି । ଏହି କ୍ରମରେ କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ସଚେତନତା ପଦଯାତ୍ରା ଅଭିଯାନର ଶୁଭାରମ୍ଭ ହୋଇଛି । ଜିଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବଜାରରେ ପଦଯାତ୍ରା ମାଧ୍ୟମରେ ଦୋକାନ ବଜାର, ଶିଳ୍ପାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ ଜିଲାରେ ପ୍ରତିଷ୍ଠିତ ଯେ କୌଣସି ସଂସ୍ଥା ନିଜର ନାମ ଫଳକକୁ ଓଡ଼ିଆରେ ଲେଖିବା ପାଇଁ ପ୍ରଶାସନ ପକ୍ଷରୁ ସଂସ୍ଥାର ମାଲିକ, କର୍ତ୍ତୃପକ୍ଷ ତଥା ଜନସାଧାରଣଙ୍କୁ ଉତ୍ସାହିତ କରାଯାଇଛି । ଜିଲା ଶ୍ରମ ବିଭାଗ ଆନୁକୂଲ୍ୟରେ ଶୁକ୍ରବାର ଆୟୋଜିତ ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ମନ୍ଦରଧର ମହାଳିକ ମୁଖ୍ୟଅତିଥି ଭାବେ ଯୋଗଦେଇ ସଚେତନତା ପଦଯାତ୍ରାର ଶୁଭାରମ୍ଭ କରିଥିବା ବେଳେ ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ପ୍ରଭାଗୀୟ ଶ୍ରମ ଆୟୁକ୍ତ ସୂର୍ଯ୍ୟନାରାୟଣ ମାଳି, ଜିଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀ, କେନ୍ଦୁଝରଗଡ଼ ପୌରପାଳିକା ନିର୍ବାହୀ ଅଧିକାରୀ ଲଳିତ କୁମାର ନାଏକ, ଜିଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାଏକ, ଅତିରିକ୍ତ ଶ୍ରମ ଅଧିକାରୀ ସୁଚିସ୍ମିତା ପାଣିଗ୍ରାହୀ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ପ୍ରମୁଖ ଉପସ୍ଥିତ ଥିଲେ । ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନର ନାମ ଓଡ଼ିଆରେ ଲେଖା ନଥିଲା ସେହି ଦୋକାନ ମାଲିକ ମାନଙ୍କୁ ଓଡ଼ିଆରେ ଲେଖିବା ପାଇଁ ସଚେତନ କରାଯାଇଥିଲା ।

Comments are closed.