ଗାନ୍ଧୀ ମାର୍ଗରେ ଗର୍ଜିଲେ ୨୦ ହଜାର ଶିକ୍ଷକ, କର୍ମଚାରୀ
ଚୁକ୍ତିଭିତ୍ତିକ ଉଚ୍ଛେଦ ପ୍ରଥାରେ ଅବିଚାର ଅଭିଯୋଗ
ଭୁବନେଶ୍ବର : ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିଛନ୍ତି। ଏହା ସରକାରଙ୍କ ସ୍ବାଗତଯୋଗ୍ୟ ପଦକ୍ଷେପ; କିନ୍ତୁ ପ୍ରଥା ଉଚ୍ଛେଦରେ ସମସ୍ତ ବିଭାଗରେ ନିଯୁକ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ ବିଚାର କରାଯାଇ ନାହିଁ। କିଛି ବିଭାଗର କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯାଇ ଥିବାବେଳେ ଆଉ କିଛି ବିଭାଗର ବରିଷ୍ଠ କର୍ମଚାରୀଙ୍କୁ ଏଥିରେ ଉପେକ୍ଷା କରାଯାଇଛି। ସରକାରଙ୍କ ଏଭଳି ପାତରଅନ୍ତର ନୀତି ଯୋଗୁଁ ବହୁ ଚୁକ୍ତିଭିତ୍ତିକ ବରିଷ୍ଠ କର୍ମଚାରୀ ସେମାନଙ୍କ ନ୍ୟାଯ୍ୟ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି। ସମସ୍ତଙ୍କୁ ସମାନ ଅଧିକାରରେ ୨୦୧୩ ନୀତିରେ ଅନ୍ତର୍ଭୁକ୍ତ କରି ୬ବର୍ଷ ଚୁକ୍ତିଭିତ୍ତିକ ଚାକିରି କାଳ ସମୟକୁ ମୂଳ ଚାକିରିରେ ଗଣନା ଏବଂ ୬ଟି ଦରମା ବୃଦ୍ଧି କରିବା ଦାବି ନେଇ ଓଡ଼ିଶା ସରକାରୀ ହାଇସ୍କୁଲ ଏନପିଏସ ଶିକ୍ଷକ ସଂଘ ଅନିର୍ଦିଷ୍ଟ କାଳ ପାଇଁ ଲୋୟର ପିଏମ୍ଜିରେ ଧାରଣାରେ ବସିଛି।
ରବିବାର ୨୦ ହଜାରରୁ ଊର୍ଦ୍ଧ୍ବ ଚୁକ୍ତିଭିତ୍ତିକ କର୍ମଚାରୀ ୨ଦଫା ଦାବି ନେଇ ଗାନ୍ଧୀମାର୍ଗରେ ଗର୍ଜିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣାସ୍ଥଳ ଛଡାଯିବ ନାହିଁ। ସୋମବାର ବିଦ୍ୟାଳୟ ବନ୍ଦ କରି ଧାରଣାସ୍ଥଳରେ ବସିବେ ଶିକ୍ଷକ। ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ଆଇଚ ଏବଂ ସାଧାରଣ ସମ୍ପାଦକ ଶୁଭ୍ରଜିତ ପ୍ରତିହାରୀ କହିଛନ୍ତି, ୨୦୦୪ରୁ ସମସ୍ତ ବିଭାଗରେ ନିଯୁକ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ୨୦୧୩ ନୀତିରେ ଅନ୍ତର୍ଭୁକ୍ତ କରି ସମାନ ସୁବିଧା ଦିଆଯାଉ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ କରିଛନ୍ତି। ଏହାକୁ ସଂଘ ସ୍ବାଗତ କରୁଛି; କିନ୍ତୁ ଦୁଃଖ ଓ ପରିତାପର ବିଷୟ ୨୦୧୩ ନୀତିରେ ଅନ୍ତର୍ଭୁକ୍ତ କର୍ମଚାରୀଙ୍କୁ ଏଥିରେ ଅଗ୍ରାଧିକାର ଦିଆଯାଉଛି। ତା’ ପୂର୍ବରୁ ନିଯୁକ୍ତ ଶିକ୍ଷକଙ୍କ ପ୍ରତି ଅବହେଳା ହୋଇଛି। ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ସମସ୍ତ ଶିକ୍ଷକଙ୍କୁ ସମାନ ଦୃଷ୍ଟିରେ ଦେଖି ୨୦୦୪ରୁ ୨୦୨୨ ମଧ୍ୟରେ ନିଯୁକ୍ତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ୨୦୧୩ ନୀତିରେ ଅନ୍ତର୍ଭୁକ୍ତ କରି ସୁବିଧା ସୁଯୋଗ ଦିଆଯାଉ।
୨୦୦୪ରୁ ୨୦୧୪ ମଧ୍ୟରେ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ନିଯୁକ୍ତ ଶିକ୍ଷକ ଓ ଶିୟକ୍ଷିତ୍ରୀ, ସ୍ବାସ୍ଥ୍ୟ ବିଭାଗର ପାରାମେଡିକାଲ ସେବିକା ଓ ଫାର୍ମାସିଷ୍ଟ, ମତ୍ସ୍ୟ, ଯୋଜନା ଓ ସମନ୍ବୟ, ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ନିଯୁକ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ସମାନ ଦାବିରେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଯଦି ସରକାର ଦାବି ପୂରଣ ନ କରନ୍ତି ତେବେ ୨୩ରୁ ଆରମ୍ଭ ହେବାକୁ ଥିବା ଦଶମଶ୍ରେଣୀ ସମ୍ମେଟିଭ-୧ ପରୀକ୍ଷା ପରିଚାଳନାରେ ପ୍ରାୟ ୧୭ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପକ୍ଷରୁ ଅସହଯୋଗ କରାଯିବ। ଅନ୍ୟାନ୍ୟ ବିଭାଗର ପ୍ରାୟ ୫ ହଜାର କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିବେ। ଉଚ୍ଛେଦ ପ୍ରଥାରେ ଅବିଚାର କରାଯାଇଥିବାରୁ ବିଭାଗ ଗୁଡିକରେ କନିଷ୍ଠମାନେ ବରିଷ୍ଠ ହେଉଥିବା ବେଳେ ବରିଷ୍ଠଙ୍କୁ କନିଷ୍ଠ କରି ଦିଆଯାଉଛି। ଦରମାରେ ମଧ୍ୟ ତାରତମ୍ୟ ଦେଖାଦେଇଛି।
ଆନ୍ଦୋଳନରେ ପ୍ରଧାନଶିକ୍ଷକ, ସୁପରିଟେଣ୍ଡେଣ୍ଟ, ପ୍ରଶ୍ନପତ୍ର ବିତରଣ ଅଧିକାରୀ ସାମିଲ ହୋଇଛନ୍ତି। ଅନ୍ୟପଟେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉପସଚିବ ଏବଂ ଅତିରିକ୍ତ ସଚିବଙ୍କ ସହିତ ଆଲୋଚନା କରିବାକୁ ସଂଘର କର୍ମକର୍ତ୍ତାଙ୍କୁ ଡକା ଯାଇଥିଲା। ସଂଘ ଉପସଚିବ ଓ ଅତିରିକ୍ତ ସଚିବଙ୍କ ସହିତ ଆଲୋଚନା କରିବାକୁ ଚାହଁୁନାହିଁ। ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସହିତ ସଂଘ ଆଲୋଚନା କରି ପ୍ରତିଶ୍ରୁତି ପାଇଲେ ଧାରଣା ପ୍ରତ୍ୟାହାର କରିବ ବୋଲି କୁହାଯାଇଛି। ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି, ଶିବସୁନ୍ଦର ପଣ୍ଡା, ପ୍ରଫୁଲ୍ଲ ସାହୁ, ନମିତା ବିଶୋଇ, େଜ୍ୟାତିର୍ମୟୀ ପଣ୍ଡା ପ୍ରମୁଖ ବିେକ୍ଷାଭରେ ସାମିଲ ହୋଇଥିଲେ।
Comments are closed.