ଇଞ୍ଜିନିୟରଙ୍କ ଘରୁ ୨୦୦ କୋଟିର ସମ୍ପତ୍ତି ଜବତ
ନଏଡା : ଆୟବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଆଜି ନଏଡାଠାରେ ଜଣେ ପ୍ରକଳ୍ପ ଇଞ୍ଜିନିୟରଙ୍କ ବାସଭବନରେ ଚଢାଉ କରାଯାଇ ପାଖପାଖି ୨୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଇଞ୍ଜିନିୟର ବ୍ରିଜପାଲ ସିଂଙ୍କ ଘରୁ ବିଭାଗ ଚଢାଉ ବେଳେ ସୌଖିନ କାର, ନଗଦ ଟଙ୍କା, ସୁନା ଅଳଙ୍କାର ଏବଂ ବ୍ୟାଙ୍କ ଆକାଉଣ୍ଟ ଏବଂ ଲକର ସମ୍ବର୍ଦ୍ଦିତ କେତେକ କାଗଜପତ୍ର ଜବତ କରିଛି। ଏଥିରୁ କେତେକ ସମ୍ପତ୍ତି ବ୍ରିଜପାଲ ଏବଂ ତାଙ୍କର ନିକଟ ସମ୍ପର୍କୀୟଙ୍କର ବୋଲି ଜଣାଯାଇଛି। ଏଥିରେ ବ୍ରିଜପାଲଙ୍କର ସେକ୍ଟର ୧୧୦ ସ୍ଥିିତ ବକ୍ୱେଂଟ ହଲ୍, ସେକ୍ଟର ୩୩ର ତିନି ମହଲା ବିଶିଷ୍ଟ ବଙ୍ଗଳା, ସେକ୍ଟର ୬୬ର ଜମି, ମୋଦି ନଗରସ୍ଥିତ ଫାର୍ମ ହାଉସ୍, ପିଲଖୁଆସ୍ଥ ପବ୍ଲିକ୍ ସ୍କୁଲ, ଫରିଦାବାଦର ସେକ୍ଟର ୯୧ ସ୍ଥିତ ବଙ୍ଗଳା ଏବଂ ବୁଲନ୍ଦସରଠାରେ ଥିବା କେତେକ ପ୍ଲଟ୍ ରହିଛି। ଏତଦ୍ବ୍ୟତୀତ ଚଢଉବେଳେ କାର, କୋଟି କୋଟି ଟଙ୍କାର ସୁନା ଅଳଙ୍କାର ସହ ୧୦ ଲକ୍ଷ ଟଙ୍କାର ନଗଦ ଅର୍ଥ ମିଳିଥିଲା। ନିଜର ନିକଟ ସମ୍ପର୍କୀୟଙ୍କୁ ନଏଡା କର୍ତ୍ତୃପକ୍ଷଙ୍କ ପ୍ରକଳ୍ପରେ ଶ୍ରୀ ବ୍ରିଜପାଲ କାର୍ଯ୍ୟ ଯୋଗାଇ ଦେବାଉଥିବା ନେଇ ଅଭିଯୋଗ ହୋଇଥିଲା। ବିଭିନ୍ନ ଦୁର୍ନୀତି ଘଟଣାକୁ ନେଇ ବର୍ତ୍ତମାନ ବ୍ରିଜପାଲଙ୍କ ବିରୋଧରେ ଆଇନଗତ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ।