Patra electronics

ଜୀବନକୁ ବାଜି ଲଗେଇ ଅଙ୍ଗନବାଡି ଯାଉଛନ୍ତି ଶିଶୁ

ଘଣ୍ଟାପଡା : ସ୍ୱାଧୀନତାର ଦୀର୍ଘ ୭୮ବର୍ଷ ବିତିଯାଇଛି ସତ କିନ୍ତୁ ଆଜି ବି ନାଳ ପାର ହୋଇ ଅଙ୍ଗନବାଡି ଯାଉଛନ୍ତି କୁନିକୁନି ଶିଶୁ । କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ଉଡେର ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ପରିବାର ରହୁଛନ୍ତି ହେଲେ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ଦୀର୍ଘ ବର୍ଷ ହେବ ୧୫ରୁ ଅଧିକ କୁନି କୁନି ଶିଶୁ ଜମି ହିଡ଼ ଦେଇ ଖୁଣ୍ଟିଗୋରା କେନ୍ଦ୍ରକୁ ଯିବା ଆସିବା କରୁଛନ୍ତି । ବାଟ ମଝିରେ ଏକ ନାଳ ରହିଛି ଫଳରେ ବର୍ଷା ଦିନରେ ଯାତାୟତ କରିବାରେ ପିଲାମାନେ ବହୁ ଅସୁବିଧା ଭୋଗିଥାନ୍ତି । ଶିଶୁଙ୍କୁ କାନ୍ଧରେ ବୋହି ଅଭିଭାବକ ମାନେ ନାଳ ପାର କରିଥାନ୍ତି । ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଏହି ନାଳ ପାର ହୋଇ ଖୁଣ୍ଟିଗୋରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇଥାନ୍ତି । ଫଳରେ ନାଲ ଉପରେ ଏକ ଛୋଟ ପୋଲ ନିର୍ମାଣ କରିବା ସହିତ ଗ୍ରାମରେ ଏକ ମିନି ଅଙ୍ଗନବାଡି କେନ୍ଦ୍ର ସ୍ଥାପନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ନେତା ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ଗ୍ରାମବାସୀ ଅନେକଥର ଗୁହାରି କରିଛନ୍ତି କିନ୍ତୁ ଉକ୍ତ ସମସ୍ୟା ପ୍ରତି କେହି କର୍ଣ୍ଣପାତ କରୁ ନଥିବା ଗ୍ରାମର ଗୌନ୍ତିଆ ପିତାମ୍ବର ଭୋଇ କହିଛନ୍ତି । ବେଳ ଥାଉ ଥାଉ ପୋଲ ନିର୍ମାଣ ପ୍ରତି ଗୁରୁତ୍ୱ ନ ଦେଲେ କେତେବେଳେ ଯେ କିଛି ଅଘଟଣ ନ ଘଟିବ ତାହା କହିହେବ ନାହିଁ । ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Comments are closed.