Patra electronics

ସବୁ ଜିଲାରେ ଖୋଲିବ ମେଡିକାଲ କଲେଜ: ସ୍ବାସ୍ଥ୍ୟମନ୍ତ୍ରୀ

ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥା ସହ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଚୁକ୍ତି

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଗଠନକୁ ୧୦୦ଦିନ ପୂରଣ ଅବସରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ରାଜ୍ୟର ୩୦ଜିଲାରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ଖୋଲିବ ବୋଲି ସୂଚନା ଦେଇଛନ୍ତି। ବର୍ତ୍ତମାନ ରାଜ୍ୟରେ ୧୧ଟି ମେଡିକାଲ କଲେଜ ରହିଛି। କନ୍ଧମାଳ ଓ ତାଳଚେରରେ ଆଉ ୨ଟି ମେଡିକାଲ କଲେଜ କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି। ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ଜିଲାରେ ମେଡିକାଲ କଲେଜ ଖୋଲାଯିବ। ଖୁବଶୀଘ୍ର ଏଥିନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇ କାମ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି।
ମେଡିକାଲ କଲେଜ ନିର୍ମାଣ ସହ ଅଧ୍ୟାପକ ନିଯୁକ୍ତି ଉପରେ ବି ସରକାର ଗୁରୁତ୍ବ ଦେଉଛନ୍ତି। ରାଜ୍ୟବାସୀଙ୍କୁ ଉନ୍ନତ ଓ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସରକାର ସଙ୍କଳ୍ପବଦ୍ଧ ଅଛନ୍ତି। ପୂର୍ବ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାତ୍ର ୯୦୦ ଘରୋଇ ହସ୍ପିଟାଲରେ ରୋଗୀଙ୍କୁ ସ୍ବାସ୍ଥ୍ୟସେବା ମିଳିପାରୁଥିଲା। ମୋହନ ସରକାର ୨୭ ହଜାର ହସ୍ପିଟାଲରେ ଆୟୁଷ୍ମାନ ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଉପଲବ୍ଧ କରିବେ। ଖୁବଶୀଘ୍ର ୩ ହଜାର ଡାକ୍ତର ଓ ପାରା ମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ପୁରୀ ମେଡିକାଲ କଲେଜରେ ବିଏସ୍‌ସି ନର୍ସିଂ ପାଠ୍ୟକ୍ରମ ଆରମ୍ଭ ହେବ। ସବୁ ଜିଲା ମୁଖ୍ୟ ଚିକିତ୍ସାଳୟରେ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।
୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ସବୁ ଜିଲାରେ ମେଡିକାଲ କଲେଜ ହେବ ବୋଲି କହିଥିଲେ। ଓଡ଼ିଶାରେ ବର୍ତ୍ତମାନ ୧୧ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ଅଛି। କେନ୍ଦ୍ର ଓ ରାଜ୍ୟର ସହଭାଗିତାରେ ଏହି କାମ ଚାଲୁଛି। ଆଗକୁ ଏହାକୁ ତ୍ୱରାନ୍ୱିତ କରାଯାଇ ସବୁ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି।
ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ ରାଜ୍ୟରେ ବିଜେପି ସରକାରର ୧୦୦ ଦିନ ପୂର୍ତ୍ତି ଅବସରରେ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥା ସହ ରାଜ୍ୟ ସରକାର ଚୁକ୍ତିି ସ୍ବାକ୍ଷର କରିଛନ୍ତି। ଆୟୋଜିତ ଅନୁବନ୍ଧ ସ୍ୱାକ୍ଷର ଉତ୍ସବରେ ମନ୍ତ୍ରୀ ଡ.ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ସରକାର ପ୍ରଥମ ଥର ପାଇଁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ପିଏଚ୍‌ଡ଼ି ପାଠ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଭୁବନେଶ୍ବର ଏମସ୍‌, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, ଭୁବନେଶ୍ବର ଆଇଆଇଟି ଏବଂ ଜାଭିୟର୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜ୍‌ମେଣ୍ଟ ସହ ଚୁକ୍ତି ସ୍ୱାକ୍ଷର କରିଥିଲେ। ସେହିପରି ଚଣ୍ଡୀଗଡ ପିଜି ଆଇଏମ୍‌ଇଆର୍‌, ଜିପ୍‌ମର, ଲକ୍ଷ୍ମୌ ଏସ୍‌ଜିପିଜିଆଇ, ଏଆଇଜି ହାଇଦ୍ରାବାଦ ଏବଂ ଭୁବନେଶ୍ୱର ନାଇଜର ସହିତ ଖୁବଶୀଘ୍ର ଚୁକ୍ତି ସ୍ୱାକ୍ଷର ହେବ ବୋଲି ସେ ସୂଚନା ଦେଇଥିଲେ। ଓଡ଼ିଶା ସ୍ୱାସ୍ଥ୍ୟବିଜ୍ଞାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱର ଖ୍ୟାତନାମା ଶିକ୍ଷାବିତ୍‌ ଯଥା ବ୍ରାଜିଲ୍‌ର ପ୍ରଫେସର ଡା. ରୁସ୍ତାଭୋ କାର୍‌ଭାଲୋ, ନୂଆଦିଲ୍ଲୀସ୍ଥିତ ମେଦାନ୍ତ ହସ୍‌ପିଟାଲ୍‌ର ପ୍ରଫେସର ଡା. ଆଦର୍ଶ ଚୌଧୁରୀ, ଜିବି ପନ୍ଥ ହସ୍‌ପିଟାଲ୍‌ର ପ୍ରଫେସର ଡା. ଅନୀଲ ଅଗ୍ରୱାଲ୍‌, ପଣ୍ଡିଚେରୀସ୍ଥିତ ଜିପ୍‌ମରର ପ୍ରଫେସର ଡାକ୍ତର ବିକ୍ରମ କେଟେ, ବିଶାଖାପାଟଣାସ୍ଥିତ ଜିଟିଏମ୍‌ର ପ୍ରଫେସର ଡାକ୍ତର ଗୀତାଞ୍ଜଳି ବାଡ୍‌ମାନାବନେ, ଜର୍ମାନୀର ପ୍ରଫେସର ଡାକ୍ତର ଯୋଗେଶ ବଶିଷ୍ଟଙ୍କ ସହ ଚୁକ୍ତି ସ୍ୱାକ୍ଷର ହେବ। ଏହାଦ୍ବାରା ଡାକ୍ତରୀ ବିଦ୍ୟାର୍ଥୀଙ୍କ ଶିକ୍ଷାର ଗୁଣାତ୍ମକ ବିକାଶ ଓ ଗବେଷଣା କ୍ଷେତ୍ରରେ ବ୍ୟାପକ ଉନ୍ନତି ଆସିପାରିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଆଶାବ୍ୟକ୍ତ କରିଥିଲେ। ଏହାଦ୍ୱାରା ରାଜ୍ୟର ସ୍ୱାସ୍ଥ୍ୟଶିକ୍ଷା ଓ ଗବେଷଣା କ୍ଷେତ୍ରରେ ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡା. ମାନସ ରଞ୍ଜନ ସାହୁ କହିଛନ୍ତି।

Comments are closed.