ନିପା: ଆଖି ବୁଜିଲେ କେରଳୀ ପରିବାରର ଚତୁର୍ଥ ବ୍ୟକ୍ତି

0

କୋଝିକୋଡ୍‍ : କେରଳର ସୁପିକାଡା ଗ୍ରାମ ନିବାସୀ ଏକ ପରିବାର ଉପରେ ପୁନଃ ଦୁଃଖର ପାହାଡ ଭାଙ୍ଗି ପଡିଛି। ନିପା ସଂକ୍ରମଣ ଯୋଗୁ ପୂର୍ବରୁ ଏହି ପରିବାରର ତିନି ଜଣ ସଦସ୍ୟ ପ୍ରାଣ ହରାଇଥିବାବେଳେ ଗୁରୁବାର ସକାଳେ ଅନ୍ୟ ଜଣେ ସଦସ୍ୟ ଭି. ମୂଷାଙ୍କର ମୃତ୍ୟୁ ଘଟିଛି। ୬୦ ବର୍ଷ ବୟସ୍କ ଭି. ମୂଷା କୋଝିକୋଡର ବେବି ମେମୋରିଆଲ୍‍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ସେ ନିପା ସଂକ୍ରମଣ ଯୋଗୁ ସର୍ବପ୍ରଥମେ ପ୍ରାଣ ହରାଇଥିବା ମହମ୍ମଦ ସବିତ ଏବଂ ମହମ୍ମଦ ସଲିଙ୍କ ପିତା। ସବିତ ଏବଂ ସଲିଙ୍କ ଭିଣୋଇଙ୍କର ମଧ୍ୟ ମେ’ ୫ରେ ଏହି ସଂକ୍ରମଣରେ ମୃତ୍ୟୁ ଘଟିଛି। ନର୍ସ ଲିନି ଏହି ପରିବାରର ସମସ୍ତ ୪ ଜଣ ସଂକ୍ରମିତ ଲୋକଙ୍କୁ ସେବା କରିବାବେଳେ ସଂକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିଲେ। ଭି. ମୂଷାଙ୍କ ମୃତ୍ୟୁ ପରେ ରାଜ୍ୟରେ ନିପା ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟା ସରକାରୀ ଭାବେ ୧୨ରେ ପହଞ୍ଚିଛି। ଅନ୍ୟପଟେ ଦୁଇଜଣ ବ୍ୟକ୍ତିଙ୍କ ରକ୍ତ ନମୁନାରେ ନିପା ଜୀବାଣୁ ମିଳିବା ପରେ ସେମାନଙ୍କ ଚିକିତ୍ସା ଜାରି ରହିଛି।
ଅନ୍ୟପଟେ କୋଝିକୋଡ, ମାଲାପୁରମ୍‍, ୱେନାଡ ଏବଂ କନ୍ନୁର ଜିଲା ବ୍ୟତୀତ କେରଳର ଅନ୍ୟ ଯେକøଣସି ସ୍ଥାନକୁ ଯାତ୍ରା କରିବା ସୁରକ୍ଷିତ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ପରିସ୍ଥିତିର ସମୀକ୍ଷା ତଥା ମୁକାବିଲା ନିମନ୍ତେ ରାଜ୍ୟ ସରକାର ମେ’ ୨୫ରେ ସର୍ବଦଳୀୟ ବୈଠକ ଡାକିଛନ୍ତି। କିଛି ଦିନ ପରେ ଗୀଷ୍ମଛୁଟି ସମାପ୍ତ ହେବାକୁ ଯାଉଥିବା ବେଳେ ପ୍ରଭାବିତ ଅଞ୍ଚଳର ବିଦ୍ୟାଳୟଗୁଡିକ ଖୋଲା ଯିବ କି ନାହିଁ ତାହା ଉପରେ ଶିକ୍ଷା ବିଭାଗ କୌଣସି ନିଷ୍ପତ୍ତିରେ ଉପନୀତ ହୋଇ ପାରି ନାହିଁ। ମାତ୍ର ସଂକ୍ରମିତ ଜିଲାଗୁଡିକର ସମସ୍ତ ଅଙ୍ଗନୱାଡିଗୁଡିକୁ ବନ୍ଦ ରଖିବା ଲାଗି ପ୍ରଶାସନ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି। ଏକ ସପ୍ତାହ ପରେ ସ୍କୁଲ ଖୋଲିବା ବେଳକୁ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇସାରିଥିବ ବୋଲି ପ୍ରଶାସନ ଆଶାବ୍ୟକ୍ତ କରିଛି। ଇତିମଧ୍ୟରେ ଅନ୍ୟ କୌଣସି ବ୍ୟକ୍ତି ନିପା ସଂକ୍ରମଣର ଶିକାର ହେବା ଅଭିଯୋଗ ମିଳି ନ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

Leave A Reply