ସଭ୍ୟତାର ଆଲୁଅଠୁ ଦୂରରେ ‘ଲୋଧା’

ଫଳମୂଳ ଖାଇ ବଞ୍ଚୁଥିବା ମଣିଷଙ୍କ ଦୁଃଖ ଦୂର ପ୍ରତିଶ୍ରୁତିରେ ସୀମିତ

ନୀଳଗିରି: ‘ଲୋଧା’। ଆଦିବାସୀମାନଙ୍କ ମଧ୍ୟରେ ଭିନ୍ନ ଏକ ଗୋଷ୍ଠୀର ଲୋକ ସେମାନେ। ଅତୀତରେ ଆଖି ପିଛୁଳାକେ କେଉଁ ବାଟୋଇର ତଣ୍ଟି କାଟିବା, କୁରାଢ଼ିରେ ହାଣି କାହାର ମୁଣ୍ଡ ଗଣ୍ଡି ଅଲଗା କରିଦେବା, କାହାକୁ ଛୁରି ଭୁସି ମାରିବା, ଆଖପାଖ ଗାଁରେ ହାଣକାଟ, ଲୁଟପାଟ କରିବା ଆଦି କାର୍ଯ୍ୟ ସେମାନଙ୍କୁ ରକ୍ତମୁଖା ହିଂସ୍ର ମଣିଷର ପରିଚୟ ଦେଇଥିଲା। ସେମାନଙ୍କ ନାମ ଶୁଣିଲେ ଛାତି ଶିହରି ଉଠୁଥିଲା। ବେଳ ରତ ରତ ହେଲେ ବା ଏକା ଏକା ସେମାନଙ୍କ ଇଲାକା ଦେଇ ଯିବାକୁ କେହି ସାହସ କରୁ ନ ଥିଲେ। ତେବେ ସମୟକ୍ରମେ ସେମାନେ ବଦଳିଲେ ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ। ନିଜ ଜୀବନ ଧାରା ବଦଳିଯିବ ବୋଲି ବାଲେଶ୍ୱର ଜିଲା, ନୀଳଗିରି ଉପଖଣ୍ଡ କୁଲଡିହା ଅଭୟାରଣ୍ୟରେ ରହୁଥିବା ଶତାଧିକ ‘ଲୋଧା’ ଯେଉଁ ସ୍ୱପ୍ନ ଦେଖିଲେ ବି ତାହା ଅଧୁରା ହୋଇ ରହିଯାଇଛି। ଦିନେ ଗଛରେ ମଞ୍ଚା ବାନ୍ଧି ରହୁଥିବା ଜନ୍ତୁ ରାଇଜର ସେହି ଜଙ୍ଗଲୀ ମଣିଷମାନେ ଏବେ ଘଞ୍ଚ ଜଙ୍ଗଲରେ କୁଡ଼ିଆରେ ରହୁଛନ୍ତି। ଜଙ୍ଗଲର ଫଳମୂଳ, କନ୍ଦା, କାଇ, ନାଲି ପିଂପୁଡ଼ି ପତୁଆ, ଶାଗ ଆଦି ଖାଇ ଓ ଝରଣାର ପାଣି ପିଇ ବଞ୍ଚୁଛନ୍ତି। ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ପ୍ରଶାସନର ଲମ୍ବା ପ୍ରତିଶ୍ରୁତି ପ୍ରତାରଣା ପାଲଟିଛି।

ପ୍ରାୟ ୪୦/୪୫ ବର୍ଷ ପୂର୍ବେ ମୟୂରଭଞ୍ଜ ଜିଲାର ଶରତ/ନେଦାମ ଅଞ୍ଚଳରୁ ମାତ୍ର ୪/୫ ଜଣ ଲୋଧା ସମ୍ପ୍ରଦାୟର ଲୋକ କୁଲଡିହା ଅଭୟାରଣ୍ୟ ଭିତରକୁ ଲୁଚି ପଳାଇ ଆସିଥିଲେ। ଦୀର୍ଘ ଦିନ ଧରି ଅଭୟାରଣ୍ୟର ଘଞ୍ଚ ଅଞ୍ଚଳ ଚେମଚଟା ନିକଟରେ ଗଛ ଉପରେ ମଞ୍ଚା ବାନ୍ଧି ରହିଲେ। ପରେ ସେହି ଘଞ୍ଚ ଜଙ୍ଗଲରେ କୁଡ଼ିଆ ତିଆରି କଲେ। ସେହି ଅଞ୍ଚଳ ହାତୀ, ଭାଲୁ, ବାରହା, ବାଘଙ୍କ ଆଡ୍ଡା ସ୍ଥଳୀ ହୋଇଥିବାରୁ ଏହି ହିଂସ୍ର ଜନ୍ତୁଙ୍କ ସହ ସେମାନେ ସବୁବେଳେ ସାମ୍ନାସାମ୍ନି ହୁଅନ୍ତି। ପ୍ରଥମେ ବଣଜାତ ଫଳମୂଳ ଓ ଅନ୍ୟ ଦ୍ରବ୍ୟ ସେମାନଙ୍କର ଖାଦ୍ୟ ହୋଇଥିବାବେଳେ ସମୟକ୍ରମେ ସେମାନେ ଜଙ୍ଗଲ ମଧ୍ୟରେ ସମତଳ ଜମିରେ ଧାନ ଚାଷ କଲେ। ଭାତ ଓ ଜଙ୍ଗଲଜାତ ପନି ପରିବା ଖାଇଲେ। କିନ୍ତୁ ୮/୧୦ ବର୍ଷ ହେବ ବନ ବିଭାଗ ଚାଷ ବନ୍ଦ କରିଦେବାରୁ ସେମାନେ ପେଟ ପୂରାଇବାକୁ ହଇରାଣ ହେଉଛନ୍ତି। ତେବେ ମୟୂରଭଞ୍ଜ ଜିଲା ପ୍ରଶାସନ ଏହି ଲୋଧାମାନଙ୍କୁ କପ୍ତିପଦା ବ୍ଲକର ମାଙ୍କଡ଼ପଡ଼ା ପଞ୍ଚାୟତର ଲୋକ ଦର୍ଶାଇ ଖାଦ୍ୟ ସୁରକ୍ଷା ଯୋଜନାରେ ମୁଣ୍ଡ ପିଛା ୫ କିଲୋ ଚାଉଳ ଦେଉଥିବାରୁ ସେମାନେ କିଛି ଦିନ ପାଇଁ ଦି ମୁଠା ଦାନା ପାଉଛନ୍ତି। ଅଧିକାଂଶ ଦିନ ଜଙ୍ଗଲଜାତ ଫଳମୂଳ ଆଦି ଖାଇ ବଞ୍ଚୁଛନ୍ତି।

prayash

ସେମାନେ ମଧ୍ୟ ଶାଳଫୁଲ ଓ ଅନ୍ୟ ଜଙ୍ଗଲ ଜାତ ଦ୍ରବ୍ୟକୁ କପ୍ତିପଦାରେ ଶାଗମାଛ ଦରରେ ବିକିି ଦି ପଇସା ପାଉଥିବାରୁ ନିତ୍ୟ ବ୍ୟବହାର୍ଯ୍ୟ କିଛି ଜିନିଷ କିଣିପାରୁଛନ୍ତି। ୧୪ କିମି ଦୂର କପ୍ତିପଦାକୁ ଯିବା ପାଇଁ ସେମାନଙ୍କୁ ପାହାଡ଼ କାଟି ରାସ୍ତା କରିବାକୁ ପଡ଼ିଛି।

ଏବେ ଚେମଚଟାରେ ୨୨ ପରିବାରରେ ୧୦୪ ଜଣ ଲୋଧା ଅଛନ୍ତି। ସେମାନଙ୍କ ଭିତରେ ୪୦ରୁ ଊର୍ଦ୍ଧ୍ବ ପିଲା ରହିଥିବାବେଳେ କେହି ଖଡ଼ି ଛୁଇଁ ନାହାନ୍ତି। ସେମାନଙ୍କ ବସ୍ତିରେ ଚାଳ ଛପରରେ ଅଙ୍ଗନବାଡ଼ି ଘର କରାଯାଇଥିଲେ ହେଁ କେହି କର୍ମୀ ନାହାନ୍ତି। ଦେହ ଖରାପ ହେଲେ ଡାକ୍ତରଙ୍କ ପାଖକୁ ଯିବା ସମ୍ଭବ ହେଉ ନ ଥିବାବେଳେ ଲୋଧାମାନେ ଜଙ୍ଗଲର ଶାଳଗ୍ରାମ ଠାକୁରାଣୀଙ୍କୁ ଡାକିବା ଛଡ଼ା ଅନ୍ୟ ଉପାୟ ନ ଥାଏ। ଲୋଧାଙ୍କ ସମ୍ପର୍କରେ ‘ସମାଜ’ରେ ଖବର ପ୍ରକାଶ ପାଇବା ପରେ ବାଲେଶ୍ୱରର ତତ୍କାଳୀନ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦେଶରେ ୨୦୨୧ ମସିହା ଜୁଲାଇ ୩୦ରେ ସ୍ଥାନୀୟ ପ୍ରଶାସନର ଅଧିକାରୀମାନେ ସେମାନଙ୍କ ପାଖରେ ପହଞ୍ଚିଥିଲେ। ସେରଗଡ଼-ବାରିପଦା ମୁଖ୍ୟ ରାସ୍ତାର ଝରଣଘାଟି, ଭାଲିଆପୋଷି ନିକଟରେ ପକ୍କା ଘର କରି ସେମାନଙ୍କୁ ରଖାଯିବାକୁ ସ୍ଥିର ହେଲା। ସେମାନଙ୍କ ପିଲାଙ୍କୁ ନିକଟସ୍ଥ ସରକାରୀ ବିଦ୍ୟାଳୟ ଛାତ୍ରାବାସରେ ରଖାଯାଇ ପାଠ ପଢ଼ାଇବା, ନୂତନ ବସତି ସ୍ଥାନରେ ସୌର ଆଲୋକ, ଅଙ୍ଗନବାଡ଼ି କେନ୍ଦ୍ର, ବିଦ୍ୟାଳୟ ଓ ରାସ୍ତାଘାଟ ନିର୍ମାଣ ଆଦି ଯୁଦ୍ଧକାଳୀନ ଭିତ୍ତିରେ କରାଯିବାକୁ ନିଷ୍ପତ୍ତି ହେଲା। ସେମାନଙ୍କୁ ମୟୂରଭଞ୍ଜ ବଦଳରେ ବାଲେଶ୍ୱର ଜିଲାରେ ସାମିଲ କରାଯାଇ ସମସ୍ତ ସରକାରୀ ସୁବିଧା ଯୋଗାଇଦିଆଯିବ ବୋଲି ମଧ୍ୟ କୁହାଯାଇଥିଲା।

ତେବେ ଉଭୟ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲା ପ୍ରଶାସନର ପ୍ରତିଶ୍ରୁତି ଲୋଧାମାନଙ୍କ ପାଇଁ ପ୍ରତାରଣା ପାଲଟିଛି। ସେମାନଙ୍କ ଥଇଥାନ ପାଇଁ ବନ, ରାଜସ୍ୱ ଓ ମଙ୍ଗଳ ବିଭାଗ ତ୍ୱରିତ ପଦକ୍ଷେପ ନେବେ ବୋଲି କୁହାଯାଇଥିଲେ ବି ସେମାନଙ୍କ କଥା ନା କେହି ବୁଝୁଛନ୍ତି, ନା ସେମାନେ ବିକାଶର ଆଲୁଅକୁ ଛୁଇଁ ପାରୁଛନ୍ତି। ଏଥିପାଇଁ ବାଟବଣା ହୋଇ ପଡ଼ିଛନ୍ତି ଏହି ଲୋଧା ଆଦିବାସୀମାନେ। ନୀଳଗିରି ଡବ୍ଲ୍ୟୁଇଓ ଶୈଳେନ୍ଦ୍ର ଶତପଥୀଙ୍କୁ ଉକ୍ତ ପ୍ରସଙ୍ଗ ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ ଯେ ସର୍ଭେ କରାଯାଇ ସମସ୍ତ ତଥ୍ୟ କୁଲଡିହା ବନ ବିଭାଗ ଠାରେ ଦାଖଲ କରାଯାଇଛି। ବିଭାଗ ପକ୍ଷରୁ କୌଣସି ଉତ୍ତର ଏଯାବତ ମିଳିପାରି ନ ଥିବା ଯୋଗୁ ବିକାଶ କାର୍ଯ୍ୟ ଆଗେଇପାରିନି।

kalyan agarbati

Comments are closed.