ରାଉଳଖୁଣ୍ଟା ଗାଁରେ ରାଜନୈତିକ ହିଂସା, ଭୋଟ ନ ଦେବାରୁ ମାଡ଼, ଗାଁରୁ ତଡ଼ି ଦେବାକୁ ଧମକ
ନୀଳଗିରି: ବାଲେଶ୍ବର ଜିଲା ନୀଳଗିରି ଥାନା ତଥା ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ରାଉଳଖୁଣ୍ଟା ଗାଁରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଭୋଟ ଦେଇ ନଥିବାରୁ ଅେପରା ଦେଖିବାକୁ ବସିଥିବା ଜଣେ କଲେଜ ଛାତ୍ରୀଙ୍କ ସମେତ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ରାଉଳଖୁଣ୍ଟା ଗାଁରେ ଦୋଳଯାତ୍ରା ଚାଲିଥିବା ଯୋଗୁ ସେହି ଗାଁର ଛାତ୍ରୀ ସ୍ୱାତୀପ୍ରଭା ବିଶ୍ୱାଳ (୨୩), ତାଙ୍କ ପିତା ସନ୍ତୋଷ, ସମ୍ପର୍କୀୟ ବଡ଼ ମା’ ବାସନ୍ତୀ ମହାନ୍ତି, ତାଙ୍କ ପୁଅ ରାକେଶ ସେଠାକୁ ଅପେରା ଦେଖିବାକୁ ଯାଇଥିଲେ। ସୋମବାର ରାତି ପ୍ରାୟ ସାଢ଼େ ୧୦ଟାରେ ଉକ୍ତ ଗାଁର ଚିତ୍ତରଞ୍ଜନ ମହାନ୍ତି, ସୁଜୟ ମହାନ୍ତି, ଅନୀଲ ମହାନ୍ତି, ସୃଷ୍ଟିଧର ମହାନ୍ତି, ଅନିରୁଦ୍ଧ ମହାନ୍ତି, ସନ୍ତୋଷ ମହାନ୍ତି, ସଞ୍ଜୟ ଦାସ ପ୍ରମୁଖ ଏକାଠି ହୋଇ ଛାତ୍ରୀଙ୍କ ପିତା ସନ୍ତୋଷଙ୍କୁ ଗାଳିଗୁଲଜ କରିବା ସହ ଯାତ୍ରା ଦେଖି ପାରିବନି ବୋଲି ଧମକ ଦେଇଥିଲେ। ଏଥିରେ ସେ ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ମୁଣ୍ଡରେ ପଥରରେ ଛେଚି ଲହୁଲୁହାଣ କରି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଆକ୍ରମଣକୁ ଛାତ୍ରୀ ଓ ସମ୍ପର୍କୀୟମାନେ ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ନିସ୍ତୁକ ମାଡ଼ ମରାଯାଇ ଥିବା ଅଭିଯୋଗ ହୋଇଛି। କାହିଁକି ବିଜେପିକୁ ଭୋଟ ନଦେଇ ସିପିଆଇକୁ ଭୋଟ ଦେଲ ବୋଲି ଆକ୍ରମଣକାରୀ ଧମକ ଦେଇ ଆକ୍ରମଣ କରିଥିବା ନେଇ ଛାତ୍ରୀ ଜଣକ ଏତଲାରେ ଦର୍ଶାଇଛନ୍ତି। ଏପରିକି ଏଭଳି କ୍ରମାଗତ ମାଡ଼ ଦିଆଯିବ ଏବଂ ଗାଁରୁ ତଡ଼ି ଦିଆଯିବ ବୋଲି ମଧ୍ୟ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ କେନ୍ଦ୍ରକରି ଶ୍ୟାମସୁନ୍ଦରପୁର ପଞ୍ଚାୟତର ସିପିଆଇ ନେତା ଓ କର୍ମୀଙ୍କ ସମେତ ଆହତ ପରିବାର ମଙ୍ଗଳବାର ନୀଳଗିରି ଥାନାରେ ଦ୍ୱାରସ୍ଥ ହୋଇଥିଲେ। ସେପଟେ ଆକ୍ରମଣରେ ଗୁରୁତର ହୋଇ ଛାତ୍ରୀଙ୍କ ପିତା ସନ୍ତୋଷ ପ୍ରଥମେ ନୀଳଗିରି ଓ ପରେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
Comments are closed.