ନାଇଜେରିଆରେ ଆତ୍ମଘାତୀ ବିସ୍ଫୋରଣ: ୩୧ ମୃତ
ମାଇଡୁଗୁରୀ : ଉତ୍ତର-ପୂର୍ବ ନାଇଜେରିଆ ରାଜ୍ୟ ବୋର୍ନୋରେ ଦୁଇଟି ଆତ୍ମଘାତୀ ବିସ୍ଫୋରଣରେ ଅନ୍ୟୁନ୍ ୩୧ ଜଣ ପ୍ରାଣ ହରାଇଛନ୍ତି ଓ ଅନେକ ଆହତ ହୋଇଛନ୍ତି। ବର୍ନୋ ସହରର ଦାମ୍ବୋଆ ଅଞ୍ଚଳରେ ଶନିବାର ରାତିରେ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି। ଏହି ବିସ୍ଫୋରଣ ପଛରେ ବୋକୋ ହରାମ ଉଗ୍ରବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଇଦ୍ ଉତ୍ସବ ପାଳିବାକୁ ଏକାଠି ହୋଇଥିବା ଲୋକମାନେ ଏହି ଆକ୍ରମଣର ଶିକାର ହୋଇଥିଲେ। ସେମାନଙ୍କ ଉପରକୁ ସହର ବାହାରୁ ଗ୍ରେନେଡ୍ ଓ ରକେଟ୍ ମାଡ଼ କରାଯାଇଥିଲା। ଏହାସହ ଭିଡ଼ ମଧ୍ୟରେ ଜିହାଦୀ ଦୁଇଟି ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲେ। ଆତ୍ମଘାତୀ ବିସ୍ଫୋରଣରେ ଏପର୍ଯ୍ୟନ୍ତ ୩୧ ଜଣଙ୍କ ମୃତ୍ୟୁ ଘଟିଥିବା ଜଣେ ସରକାରୀ ଅଧିକାରୀ ପ୍ରକାଶ କରିଛନ୍ତି। ଚିକିତ୍ସାଧୀନ ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ପ୍ରକାଶ ଯେ ଏହା ପୂର୍ବରୁ ମଇ ୧ରେ ନାଇଜେରିଆରେ ଏକ ମସଜିଦ୍ ଆଗରେ ଦୁଇଟି ଆତ୍ମଘାତୀ ବିସ୍ଫୋରଣରେ ୮୬ ଜଣ ପ୍ରାଣ ହରାଇଥିଲେ।