ନୂଆପାଟଣାରେ ବାସୁଙ୍ଗାପାଟ କାର୍ଯ୍ୟ ତଦାରଖ କଲେ ଶ୍ରୀମନ୍ଦିର ଦଇତାପତି
ତିଗିରିଆ: ପୁରୀ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥ ଯାତ୍ରା ପାଖେଇ ଆସୁଛି। ଏହାର ଯଥେଷ୍ଟ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଦଇତାପତିମାନଙ୍କ ଦ୍ଵାରା ବାସୁଙ୍ଗାପାଟ କାର୍ଯ୍ୟ ତଦାରଖ କରାଯାଇଛି। ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଚତୁର୍ଦ୍ଧା ବିଗ୍ରହଙ୍କ ଅଙ୍ଗ ସେବାରେ ବ୍ୟବହାର କରାଯାଉଥିବା ଏହି ବାସୁଙ୍ଗାପାଟ ପ୍ରତିବର୍ଷ ହସ୍ତତନ୍ତ ପ୍ରସିଦ୍ଧ ତଥା ଖଣ୍ଡୁଆପାଟ ଉତ୍ପାଦନ କରୁଥିବା ତିଗିରିଆ ନୂଆପାଟଣାରୁ ଯାଇଥାଏ। ଏହି ପାଟବସ୍ତ୍ର ଶ୍ରୀମନ୍ଦିର ପ୍ରଶାସନକୁ ସରକାରଙ୍କ ସେରିଫେଡ ନୂଆପାଟଣା ଶାଖା ତରଫରୁ ପ୍ରତିବର୍ଷ ଯୋଗାଇ ଦିଆଯାଇଥାଏ। ଏବର୍ଷ ମଧ୍ୟ ଏହି ବାସୁଙ୍ଗାପାଟ ତିଆରି କାର୍ଯ୍ୟ ଆରମ୍ଭ ହୋଇଛି। ପାଟ ନିର୍ମାଣ କାର୍ଯ୍ୟ ତଦାରଖ କରିବା ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଦଇତାପତିମାନଙ୍କୁ ନେଇ ଏକ ଗଠିତ ଏକ ସ୍ଵତନ୍ତ୍ର ପ୍ରତିନିଧି ଦଳ ଶୁକ୍ରବାର ନୂଆପାଟଣା ସ୍ଥିତ ସେରିଫେଡ୍ ଶାଖାରେ ପହଞ୍ଚି ପାଟର ଗୁଣବତ୍ତା, ତିଆରି ଶୈଳୀ ଆଦି ତଦାରଖ କରିବା ସହିତ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଦଇତାପତି କାର୍ତ୍ତିକ ଦାସମହାପାତ୍ର, ରାମଚନ୍ଦ୍ର ପାତ୍ର, ସନ୍ତୋଷ ପୁହାଣ, କିର୍ତ୍ତୀ ପ୍ରକାଶ ଦାସମହାପାତ୍ର, ଜଗବନ୍ଧୁ ଦାସମହାପାତ୍ର, ଶିବ ପ୍ରସାଦ ଦାସମହାପାତ୍ର, ଜୟନ୍ତ ଦାସମହାପାତ୍ର, ଚନ୍ଦ୍ର ଶେଖର ମଙ୍ଗରାଜ, ଓଡିଶା ସେରିଫେଡ ସଭାପତି ଭାଗୀରଥୀ ନନ୍ଦ, ସେରିଫେଡ ନିର୍ଦ୍ଦେଶକ ସରୋଜ ପଟେଲ ପ୍ରମୂଖ ଉପସ୍ଥିତ ଥିଲେ।
Comments are closed.