ପ୍ରାଚୀନ ବାଦ୍ୟ ଧୂନକେଲ ପୁନରୁଦ୍ଧାର ପାଇଁ ଉଦ୍ୟମ
ବୌଦ୍ଧ: ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ ଫଳରେ ଅନେକ ପ୍ରକାର ବାଦ୍ୟଯନ୍ତ୍ର ପ୍ରସ୍ତୁତ ହୋଇ ସାରିଥିବା ବେଳେ ପ୍ରାଚୀନ ବାଦ୍ୟଯନ୍ତ୍ର ଓ କୌଶଳ ଧିରେ ଧିରେ ଲୋପ ପାଇଚାଲିଛି। କିଛିମାସ ପୂର୍ବରୁ ବୌଦ୍ଧରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗିତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ଦେଶଜ କାର୍ଯ୍ୟକ୍ରମ ଅବସରରେ ବୌଦ୍ଧର ପ୍ରାଚୀନ ଧୂନକେଲ ବାଦ୍ୟ ଉଚ୍ଚ ପ୍ରଶଂସିତ ହେବା ସହିତ ଏହାର ପୁନରୁଦ୍ଧାର କରାଯିବ ବୋଲି ନିଷ୍ପତି ନିଆଯାଇ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲା ସଂଗ୍ରହାଳୟଠାରେ ଏହି ଧୂନକେଲ ବାଦ୍ୟର ପ୍ରଶିକ୍ଷଣ ଚାଲିଥିବା ଜଣାଯାଇଛି। ନୂତନ ଯୁବ ପିଢି ଏହି ପ୍ରାଚୀନ ବାଦ୍ୟଯନ୍ତ୍ର ପ୍ରତି ଆକୃଷ୍ଟ ହେବା ସହିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ଦେଖାଯାଇଛି। ଧୂନକେଲୀ ବାଦ୍ୟ ନାମକରଣରୁ ହିଁ ଏହାର ବୈଷିଷ୍ଟ୍ୟ ସ୍ପଷ୍ଟ ଭାବରେ ବାରି ହୋଇପଡେ। ସାଧାରଣରେ ପ୍ରତ୍ୟେକ ଘରେ ଉପଲବ୍ଧ ମାଟିହାଣ୍ଡି, ବାଉଁଶରେ ନିର୍ମିତ କୁଲେଇ ଓ ଧନୂ ଏବଂ ଖଣ୍ଡିଏ ବାଡି ସାହାଯ୍ୟରେ ଏହି ବାଦ୍ୟଯନ୍ତ୍ର ନିର୍ମିତ ହୋଇଥାଏ। ମାଟିହାଣ୍ଡି ମୁହଁରେ କୁଲେଇ ଢଙ୍କାଯାଇ ତାହାରି ଉପରେ ଧନୂକୁ ଚାପି ଧରିବା ପରେ ବାଡି ସାହାଯ୍ୟରେ ଧନୁର ଗୁଣ ଓ ବାଡି ଘର୍ଷଣ ଦ୍ୱାରା ଧୂନକେଲୀ ବାଦ୍ୟରୁ ଶ୍ରୁତିମଧୁର ଶବ୍ଦ ବାହାରିଥାଏ। ବୌଦ୍ଧ ଜିଲାର ପ୍ରାୟ ପ୍ରତ୍ୟେକ ଗ୍ରାମରେ କୈଳାଶୀ ଯାତ୍ରା ସମୟରେ ଦେବୀଙ୍କ ଆବାହନ ପାଇଁ ଧୂନକେଲୀ ବାଦ୍ୟ ବାଜିଥାଏ। ଅନ୍ୟ ସମୟରେ ଏହି ବାଦ୍ୟ ଦେବୀଙ୍କ ମନ୍ଦିରରେ ରଖାଯାଇ ପୂଜାର୍ଚ୍ଚନା କରାଯାଏ। ବିଲୁପ୍ତ ପ୍ରାୟ ଏହି ଧୁନକେଲୀ ବାଦ୍ୟର ପୁନରୁଦ୍ଧାର ପାଇଁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉଦ୍ୟମକୁ ବୌଦ୍ଧର ବୁଦ୍ଧଜିବୀ ମହଲରେ ପ୍ରଶଂସା କରାଯାଇଛି। ବୌଦ୍ଧର ଅରୁଣ କୁମାର ମେଣ୍ଡିଲି, ଚିତରଂଜନ କର୍ଣ୍ଣ, ବିଭୀଷଣ ବେହେରା, ସୁଶାନ୍ତ କୁମାର ସେଠୀ, ଜିତେନ୍ଦ୍ର କୁମାର ମହାନ୍ତି, ଦେବେନ୍ଦ୍ର ଥାଟି, ମନୋଜ କୁମାର ବେହେରା, କୃଷ୍ଣ ବେହେରା ଓ ସସ୍ମିତା ବାରିକ୍ ପ୍ରମୁଖ ଧୂନକେଲ ପ୍ରଶିକ୍ଷଣ ନେଉଥିବା ଜଣାଯାଇଛି।
Comments are closed.