ଏଟିଏମ ଠକେଇ ରୋକିବାକୁ ଆସିପାରେ ବଡ଼ ନିୟମ, ଦିନକୁ ୨ ଥର ଟଙ୍କା ଉଠାଣ ହୋଇପାରେ କଷ୍ଟକର

ନୂଆଦିଲ୍ଲୀ: ଏଟିଏମରୁ ଟଙ୍କା ବାହାର କରିବା ଯେତିକି ସହଜ, ସେତିକି ଠକେଇର ଶିକାର ହେବାର ବିପଦ ମଧ୍ୟ ରହିଛି। କିନ୍ତୁ ଏବେ ଏଟିଏମ୍‌ ଠକେଇ ରୋକିବାକୁ ଦେଶର ଅନେକ ବଡ଼ ବଡ଼ ବ୍ୟାଙ୍କ ଏକାଠି ହୋଇ ଏକ କଠିନ ନିଷ୍ପତ୍ତି ନେବା ଉପରେ ବିଚାର କରୁଛନ୍ତି। ଏହି ନିଷ୍ପତ୍ତି ଯଦି କାର୍ଯ୍ୟକାରୀ ହୁଏ, ତେବେ ଏହାର ପ୍ରଭାବ ସିଧାସଳଖ ଏଟିଏମ କାର୍ଡ ବ୍ୟବହାରକାରୀଙ୍କ ଉପରେ ପଡ଼ିବା ନିଶ୍ଚିତ।

ଏଟିଏମ ଜରିଆରେ ଠକେଇ ରୋକିବା ପାଇଁ ଦିଲ୍ଲୀ ଷ୍ଟେଟ ଲେଭଲ ବ୍ୟାଙ୍କର୍ସ କମିଟି(ଏସଏଲବିସି) ବ୍ୟାଙ୍କଗୁଡ଼ିକୁ କେତେକ ପରାମର୍ଶ ଦେଇଛି। ଯଦି ଏହି ପରାମର୍ଶଗୁଡ଼ିକୁ ବିଚାରକୁ ନେଇ କାର୍ଯ୍ୟକାରୀ କରାଯାଏ, ତା’ହେଲେ ଠକେଇ ଉପରେ ଅଙ୍କୁଶ ଲଗାଯାଇପାରିବ। ଏସଏଲବିସି ପରାମର୍ଶ ଅନୁସାରେ, ଗୋଟିଏ ଦିନରେ ଦୁଇଥର ଏଟିଏମ ଟ୍ରାଞ୍ଜାକ୍ସନ କରିବା ମଧ୍ୟରେ ଅତି କମରେ ୬ରୁ ୧୨ ଘଣ୍ଟା ବ୍ୟବଧାନ ରହିବ। ଏହା ହେଲେ ଜଣେ ବ୍ୟକ୍ତି ଥରେ ଏଟିଏମ୍‌ରେ ଟ୍ରାଞ୍ଜାକ୍ସନ କଲେ ତୁରନ୍ତ ଆଉ ଥରେ ଟ୍ରାଞ୍ଜାକ୍ସନ କରିପାରିବେ ନାହିଁ। ତାଙ୍କୁ ଅତି କମ୍‌ରେ ୬ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ। ଏସଏଲବିସି ପକ୍ଷରୁ ଆହୁତ ଏହି ବୈଠକରେ ୧୮ଟି ବ୍ୟାଙ୍କର କର୍ତ୍ତୃପକ୍ଷ ସାମିଲ ହୋଇଥିଲେ। ବୈଠକରେ ଏଟିଏମ ଠକେଇ ରୋକିବାକୁ ଅନ୍ୟାନ୍ୟ ଉପାୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏପରି କି ଏଟିଏମ୍‌ରୁ ଟଙ୍କା ଉଠାଣ ସମୟରେ ଜମାକାରୀଙ୍କ ଜମାଖାତା ସହିତ ପଞ୍ଜୀକୃତ ହୋଇଥିବା ମୋବାଇଲ ନମ୍ବରକୁ ଓଟିପି ପଠାଯିବା ଉପରେ ବି ଆଲୋଚନା ହୋଇଛି। ତେବେ କାନାରା ବ୍ୟାଙ୍କ ଏହି ସୁବିଧା ଆରମ୍ଭ କରିସାରିଛି। କାନାରା ବ୍ୟାଙ୍କ ୧୦ ହଜାର ଟଙ୍କାରୁ ଅଧିକ ପରିମାଣର ଅର୍ଥ ଏଟିଏମରୁ ଉଠାଇବା ଉପରେ ଓଟିପି ସେବା ଆରମ୍ଭ କରିଛି।

Comments are closed.