ରାୟଗଡ଼ା ରେଳ ଡିଭିଜନ କାର୍ଯ୍ୟାଳୟ ନିର୍ମାଣ ଶୀଘ୍ର

ଭୁବନେଶ୍ବର: ଓଡ଼ିଶାର ରାୟଗଡ଼ାରେ ଏକ ନୂଆ ରେଳ ଡିଭିଜନ ଖୋଲିବାକୁ ରେଳ ମନ୍ତ୍ରଣାଳୟ ଟେଣ୍ଡର ଆହ୍ବାନ କରିଥିଲା। ଚଳିତ ବର୍ଷ ଅଗଷ୍ଟ ମାସରେ ରାୟଗଡ଼ା ନୂଆ ରେଳ ଡିଭିଜନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଏହି ଟେଣ୍ଡର ଆହ୍ବାନ କରାଯାଇଥିଲା। ସେତେବେଳେ ୭୩ କୋଟି ଟଙ୍କାର ଟେଣ୍ଡର ଆହ୍ବାନ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଏହାର ମୂଲ୍ୟ ୧୦୬ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ରାୟଗଡ଼ା ନୂଆ ରେଳ ଡିଭିଜନରେ ଦକ୍ଷିଣ ଓଡ଼ିଶାର ସବୁ ରେଳପଥ ସହିତ ଦକ୍ଷିଣ ଛତିଶଗଡ଼ର କିଛି ଅଞ୍ଚଳ ଅନ୍ତର୍ଭୁକ୍ତ ହେବ।

ଫଳରେ ପୂର୍ବତଟ ରେଳପଥ ଅଧୀନରେ ପୂର୍ବବତ୍‌ ତିନିଟି ଡିଭିଜନ ଖୋର୍ଦ୍ଧା ରୋଡ୍‌, ସମ୍ବଲପୁର ଓ ରାୟଗଡ଼ା ରହିବ।
ଏହା ସତ୍ତ୍ବେ ଓଡ଼ିଶାର ସବୁ ଅଞ୍ଚଳ ପୂର୍ବତଟ ରେଳପଥରେ ରହିବ ନାହିଁ। ଉତ୍ତର ଓଡ଼ିଶାର କିଛି ଜିଲାର ସବୁ ରେଳପଥ ଦକ୍ଷିଣପୂର୍ବ ରେଳପଥ ଅଧୀନରେ ରହିଛି। ଏସବୁ ଡିଭିଜନକୁ ପୂର୍ବତଟ ଅଧୀନକୁ ଆଣିବାକୁ ବିଭିନ୍ନ ମହଲରେ ଦାବି ହେଉଛି। ରେଳ ବିଭାଗ ପକ୍ଷରୁ କୁହାଯାଇଛି ଯେ ଗୋଟିଏ ରାଜ୍ୟର ସବୁ ରେଳପଥକୁ ଏକ ରେଳ ଜୋନ୍‌ରେ ରଖିବା ପ୍ରଶାସନିକ ଓ ଅନ୍ୟ ଦୃଷ୍ଟିରୁ ସମ୍ଭବ ନୁହେଁ। ତେଣୁ କିଛି କିଛି ଅଞ୍ଚଳକୁ ପାର୍ଶ୍ବବର୍ତ୍ତୀ ଡିଭିଜନ ଓ ଜୋନ୍‌ରେ ରଖାଯାଇଛି। ସେହିପରି ସ୍ବତନ୍ତ୍ର ତେଲଙ୍ଗାନା ରାଜ୍ୟ ଗଠନ ପରେ ବିଭାଜିତ ଆନ୍ଧ୍ରରେ ରେଳ ଜୋନ୍‌ ନ ଥିଲା। ସେତେବେଳେ ଆନ୍ଧ୍ରକୁ ଏକ ରେଳ ଜୋନ୍‌ ଦେବାକୁ କେନ୍ଦ୍ର ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ମୋଦୀ ସରକାର ପୂରଣ କରିଛନ୍ତି।

Comments are closed.