ଅର୍ଦ୍ଧଦଗ୍ଧ ଅବସ୍ଥାରେ ନବବିବାହିତା ଉଦ୍ଧାର, ହତ୍ୟା ଉଦ୍ୟମ ଅଭିଯୋଗ
ନନ୍ଦପୁର/ଲମତାପୁଟ : ବିବାହର ୨ ମାସରେ ନବବିବାହିତାଙ୍କୁ ଅର୍ଦ୍ଧଦଗ୍ଧ ଓ ଗୁରୁତର ଅବସ୍ଥାରେ ଶାଶୂଘରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୀଡ଼ିତାଙ୍କ ଶରୀରର ୯୦ଭାଗ ନିଆଁରେ ପୋଡ଼ି କ୍ଷତାକ୍ତ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ଲମତାପୁଟ ସ୍ଥିତ ଆଶାକିରଣ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଘଟଣା ସମ୍ପର୍କରେ ସୂଚନା ପାଇ ମାଲକାନଗିରି ଏମଭି-୧୦ ରୁ ଝିଅର ପିତା ଗଗନ ମଣ୍ଡଳ ଆସି ପାଡୁଆ ପୂଜାରୀପୁଟ ଗ୍ରାମରେ ବସବାସ କରୁଥିବା ସ୍ବାମୀ ପ୍ରଭାସ ସିଂ ଓ ପରିବାର ଲୋକଙ୍କ ନାମରେ ଝିଅକୁ ଯୌତୁକ ନିର୍ଯାତନା ଦେବା ଓ ଝିଅ ଉପରେ ଡିଜେଲ ଢାଳି ନିଆଁ ଲଗାଇ ପୋଡ଼ି ଜୀବନରୁ ମାରି ଦେବାକୁ ଉଦ୍ୟମ କରାଯାଇଥିବା ଦର୍ଶାଇ ପାଡୁଆ ଥାନାରେ ଏତଲା ଦେଇଛନ୍ତି । ଏତଲା ଆଧାରରେ ପାଡୁଆ ପୁଲିସ କେସ ନଂ ୭୪ ତା ୧୪/୫/୨୦୨୪ ପ୍ରକାରେ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନାଧିକାରୀ ଅଶୋକ ବିଶୋଇ ସୂଚନା ଦେଇଛନ୍ତି। ଏହି ଘଟଣା ନନ୍ଦପୁର ବ୍ଲକ ଓ ପାଡୁଆ ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ପିତାଙ୍କ ଏତଲା ମୁତାବକ ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ପୂଜାରିପୁଟ ଗ୍ରାମରେ ବସବାସ କରୁଥିବା ବଙ୍ଗାଳୀ ସମ୍ପ୍ରଦାୟର ପ୍ରଭାସ ସିଂଙ୍କ ସହ ଗତ ୧୨।୩।୨୦୨୪ ରିଖ ଦିନ ମାଲକାନଗିରି ଏମଭି-୧୦ ଅଞ୍ଚଳର ଗଗନ ମଣ୍ଡଳଙ୍କ ଝିଅ ଶିବାନୀ ମଣ୍ଡଳଙ୍କ ସହ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହର ଦୁଇମାସ ମଧ୍ୟରେ ଝିଅଙ୍କ ସହ ସ୍ବାମୀ, ଶାଶୁ, ଶଶୁରଙ୍କ ସମ୍ପର୍କ ଠିକ୍ ନଥିଲା। ଝିଅ ବାରମ୍ବାର ଫୋନ କରି ନିର୍ଯାତନା ସମ୍ପର୍କରେ ସୂଚନା ଦେଇଥିଲେ ମଧ୍ୟ ବାପଘର ଲୋକେ ମୌନ ରହିଥିଲେ । କିନ୍ତୁ ସୋମବାର ୧୨ଟା ସମୟରେ ଝିଅ ଶିବାନୀ ନିଆଁରେ ପୋଡ଼ି ଗୁରୁତର ହୋଇଥିବା ଖବର ଜ୍ବାଇଁଙ୍କ ବଡ଼ଭାଇ ଫୋନରେ ଦେଇଥିଲେ। ଝିଅ ଦେଇଥିବା ସୂଚନା ମୁତାବକ ଶ୍ବଶୂର ଘର ଲୋକେ ମିଶି ତା ଉପରେ ଡିଜେଲ ଢାଳି ନିଆଁ ଲଗାଇ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି ପିତା ଗଗନ । ଏତଲାକୁ ଆଧାର କରି ପାଡୁଆ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନାଧିକାରୀ ଅଶୋକ ବିଶୋଇ ସୂଚନା ଦେଇଛନ୍ତି।
Comments are closed.