www.samajalive.in
Monday, December 8, 2025
14.1 C
Bhubaneswar

ଗିଲ୍‌ଙ୍କ ଶତକ, ଯଶସ୍ବୀଙ୍କ ୮୭; ଭାରତ ୫/୩୧୦

ଏଜ୍‌ବାଷ୍ଟନ: ବୁଧବାରଠାରୁ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଦ୍ବିତୀୟ ଟେଷ୍ଟମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଉଭୟ ଦଳ ସମ୍ମାନ ଭାଗ କରିଛନ୍ତି। ଶୁଭମନ ଗିଲ୍‌ କ୍ରମାଗତ ୨ୟ ଟେଷ୍ଟରେ ଶତକ ମାରିଥିବା ବେଳେ ଯଶସ୍ବୀ ଜୟସୱାଲ ୧୩ ରନ୍‌ ପାଇଁ ଏଥିରୁ ବଞ୍ଚିତ ହୋଇଛନ୍ତି। ମହମ୍ମଦ ଆଝାରୁଦ୍ଦିନଙ୍କ ପରେ ୨ୟ ଭାରତୀୟ ଅଧିନାୟକ ଭାବେ ଇଂଲଣ୍ଡରେ କ୍ରମାଗତ ୨ୟ ଟେଷ୍ଟରେ ଗିଲ୍‌ ଶତକ ଅର୍ଜନ କରିଛନ୍ତି। ଗିଲ୍‌ ଓ ଯଶସ୍ବୀଙ୍କ ବ୍ୟାଟିଂ ସଫଳତା ବଳରେ ପ୍ରଥମ ଦିନରେ ଭାରତ ପ୍ରଥମ ଇନିଂସରେ ୫ ୱିକେଟ୍‌ ହରାଇ ୩୧୦ ରନ୍‌ କରିପାରିଛି। ଭାରତ ୨୧୧ ରନ୍‌ରେ ୫ଟି ୱିକେଟ ହରାଇବା ପରେ ଶୁଭମନ ଗିଲ୍‌ ଓ ରବୀନ୍ଦ୍ର ଜାଡ଼େଜା ଶେଷ ଦୁଇ ଘଣ୍ଟାରେ ଘରୋଇ ଦଳକୁ ୱିକେଟ୍‌ ନ ଦେଇ ଅବିଭାଜିତ ୯୯ ରନ୍‌ ଯୋଡ଼ି ଭାରତକୁ ଭଲ ସ୍ଥିତିରେ ପହଞ୍ଚାଇଛନ୍ତି।

ଇଂଲଣ୍ଡ ଟସ୍ ଜିତି ଫିଲ୍‌ଡିଂ କରିଥିଲା। ନୂଆ ବଲ୍‌ରେ କ୍ରିସ୍‌ ୱକ୍‌ସ ଓ ବ୍ରାଇଡନ୍ କାର୍ସ ଚମତ୍କାର ବୋଲିଂ କରିଥିଲେ। ବିଶେଷକରି କ୍ରିସ୍‌ ୱକ୍‌ସ ପ୍ରଭାବଶାଳୀ ବୋଲିଂ କରିଥିଲେ। ପ୍ରଥମ ଟେଷ୍ଟରେ ଶତକ ମାରିଥିବା କେ.ଏଲ୍‌. ରାହୁଲ ବାରମ୍ବାର ବିଟ୍‌ ହେବା ପରେ ୱକ୍‌ସଙ୍କ ଏକ ସର୍ଟ ବଲ୍‌କୁ ଡିଫେନ୍‌ସ କରିବାକୁ ଯାଇ ବଲ୍‌କୁ ନିଜ ଷ୍ଟମ୍ପ୍‌କୁ ମାରିଥିଲେ। ୨୬ ବଲ୍‌ରୁ ରାହୁଲ ମାତ୍ର ୨ ରନ୍‌ କରିଥିଲେ। ତାଙ୍କ ପ୍ରଥମ ସ୍ପେଲ୍‌ରେ ୱକ୍‌ସ ୭ ଓଭରରୁ ମାତ୍ର ୧୫ ରନ୍‌ ଦେଇ ରାହୁଲଙ୍କ ୱିକେଟ୍‌ ନେଇଥିଲେ। ଦୁଇ ଥର ଅମ୍ପାୟାରଙ୍କ ନିଷ୍ପତ୍ତି ଯୋଗୁଁ ଅଳ୍ପକେ ୱିକେଟ୍‌ ନେବାରୁ ୱକ୍‌ସ ବଞ୍ଚିତ ହୋଇଥିଲେ। ଅନ୍ୟପକ୍ଷରେ ଯଶସ୍ବୀ ଜୟସୱାଲ ଅଫ୍‌ସାଇଡ୍‌ରେ ଦର୍ଶନୀୟ ସଟ୍‌ସବୁ ଖେଳିଥିଲେ। ସାଇ ସୁଦର୍ଶନ ନ ଥିବାରୁ ୩ନଂ ସ୍ଥାନରେ ବ୍ୟାଟିଂ କରିଥିବା କରୁଣ ନାୟାର ମଧ୍ୟ ଚିତ୍ତାକର୍ଷକ ସଟ୍‌ ଖେଳିଥିଲେ। ୨ୟ ୱିକେଟ୍ ପାଇଁ ବାମହାତି ଯଶସ୍ବୀ ଜୟସୱାଲ ଓ କରୁଣ ନାୟାର ପାଖାପାଖି ୧୫ ଓଭରରେ ୮୦ ରନ୍‌ ଯୋଡ଼ିଥିଲେ। ବ୍ରାଇଡନ କାର୍ସଙ୍କ ଏକ ବଲ୍‌ ଅଧିକ ବାଉନ୍‌ସ କରିବାରୁ ଏଥରେ ପରାସ୍ତହୋଇ କରୁଣ ସ୍ଲିପ୍‌ରେ କ୍ୟାଚ୍‌ ଦେଇଥିଲେ। କରୁଣ ନାୟାର ୫୦ ବଲ୍‌ରୁ ୫ଟି ଚୌକା ସହ ୩୧ ରନ୍‌ କରିଥିଲେ।

- Advertisement -

ଭୋଜନ ବିରତି ପରେ ଯଶସ୍ବୀ ଜୟସୱାଲ ଓ ଶୁଭମନ ଗିଲ୍‌ ଚମତ୍କାର ବ୍ୟାଟିଂକରି ୩ୟ ୱିକେଟ୍‌ ପାଇଁ ୬୬ ରନ୍‌ ଯୋଡ଼ିଥିଲେ। ହେଲେ ଗୋଟିଏ ଭୁଲ୍‌ ସଟ୍‌ ​‌େ​‌ଯାଗୁଁ ଯଶସ୍ବୀ ମାତ୍ର ୧୩ ରନ୍‌ ପାଇଁ ବ୍ୟକ୍ତିଗତ ୬ଷ୍ଠ ଏବଂ ଇଂଲଣ୍ଡ ବିପକ୍ଷରେ ୪ର୍ଥ ଶତକରୁ ବଞ୍ଚିତ ହୋଇଥିଲେ। ଯଶସ୍ବୀ ଜୟସୱାଲ ୧୦୭ ବଲ୍‌ରୁ ୧୩ଟି ଚୌକା ସହ ୮୭ ରନ୍‌କରି ୱିକେଟ୍‌ ରକ୍ଷକଙ୍କୁ କ୍ୟାଚ୍‌ ଦେଇଥିଲେ। ଇଂଲଣ୍ଡ ବିପକ୍ଷରେ ୭ଟିଯାକ ଟେଷ୍ଟରେ ଯଶସ୍ବୀ ଅତିକମ୍‌ରେ ୫୦ ରନ୍‌ କରିଛନ୍ତି। ପରେ ଅଧିନାୟକ ଶୁଭମନ ଗିଲ୍‌ ଓ ଉପଅଧିନାୟକ ଋଷଭ ପନ୍ତ ସ୍କୋର୍‌କୁ ଆଗେଇ ନେଇଥିଲେ। ଦୁହେଁ ୪ର୍ଥ ୱିକେଟ୍‌ ପାଇଁ ୪୭ ରନ୍‌ ଯୋଡ଼ିଥିଲେ।

ପ୍ରଥମ ଟେଷ୍ଟରେ ୨ଟି ଶତକ ହାସଲ କରିଥିବା ଋଷଭ ପନ୍ତ ୨୫ ରନ୍‌କରି ଛକା ମାରିବା ପ୍ରୟାସରେ ବାଉଣ୍ଡରୀ ଲାଇନ୍‌ରେ କ୍ୟାଚ୍‌ ଦେଇଥିଲେ। ନୀତୀଶ କୁମାର ରେଡ୍‌ଡୀ ମ୍ୟାଚ୍‌ ଖେଳିବାର ସୁଯୋଗକୁ ହାତଛଡ଼ା କରି ୱିକେଟ୍‌ ଫିଙ୍ଗିଥିଲେ। କ୍ରିସ୍‌ ୱକ୍‌ସଙ୍କ ଇନ୍‌ସ୍ବିଙ୍ଗରକୁ ଛାଡ଼ି ନୀତୀଶ ୧ ରନ୍‌କରି ବୋଲ୍‌ଡ ହୋଇଥିଲେ। ୨୧୧ ରନ୍‌ରେ ଭାରତ ୫ଟି ୱିକେଟ୍‌ ହରାଇବା ପରେ ଶୁଭମନ ଗିଲ୍‌ ଓ ରବୀନ୍ଦ୍ର ଜାଡ଼େଜା ଓଭର ପିଛା ୪ ରନ୍‌ ହାରରେ ସ୍କୋର୍‌ କରିଥିଲେ। ୭ମ ଟେଷ୍ଟ ଶତକ ହାସଲ କରିଥିବା ଶୁଭମନ ଗିଲ୍‌ ୨୧୬ ବଲ୍‌ରୁ ୧୨ଟି ଚୌକା ସହ ୧୧୪ ରନ୍‌କରି ଅପରାଜିତ ଅଛନ୍ତି। ରବୀନ୍ଦ୍ର ଜାଡ଼େଜା ୬୭ ବଲ୍‌ରୁ ୫ଟି ଚୌକା ସହ ୪୧ ରନ୍‌କରି କ୍ରିଜ୍‌ରେ ରହିଛନ୍ତି। କ୍ରିସ୍‌ ୱକ୍‌ସ ୨ଟି ୱିକେଟ୍‌ ନେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories