ବେଜିଂ : ତିବ୍ବତୀୟଙ୍କ ଧର୍ମଗୁରୁ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ମନୋନୟନ ପ୍ରସଙ୍ଗକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି। ଦଲାଇ ଲାମା ଗତ ରବିବାର ୯୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ଦେଇଥିବା ବାର୍ତ୍ତାରେ କହିଛନ୍ତି ଯେ ୬୦୦ ବର୍ଷ ପୁରୁଣା ତିବ୍ବତୀୟ ବୌଦ୍ଧ ଧର୍ମର ପରମ୍ପରା ଅନୁଯାୟୀ ତାଙ୍କ ମୃତ୍ୟୁ ପରେ ହିଁ ପରବର୍ତ୍ତୀ ଦଲାଇ ଲାମା ଜନ୍ମଗ୍ରହଣ କରିବେ। ତେବେ ଦଲାଇ ଲାମାଙ୍କ ଏଭଳି ବିବୃତିକୁ ନେଇ ଚୀନ୍ ପକ୍ଷରୁ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ଦଲାଇ ଲାମାଙ୍କ ଉତ୍ତରାଧିକାରୀ ମନୋନୟନ କରିବାର କ୍ଷମତା କେବଳ ଚୀନ୍ ସରକାରଙ୍କ ନିକଟରେ ରହିଛି ବୋଲି ଚୀନ୍ ଦାବି କରିଛି। ଚୀନ୍ ସରକାରଙ୍କ ସ୍ବୀକୃତି ବିନା ନୂଆ ଦଲାଇ ଲାମା ନିଯୁକ୍ତ ହେବାର କୌଣସି ସମ୍ଭାବନା ନାହିଁ ବୋଲି ମଧ୍ୟ କୁହାଯାଇଛି। ସୂଚନାଯୋଗ୍ୟ ୧୯୫୯ରେ ଚୀନ୍ ବଳପୂର୍ବକ ତିବ୍ବତ ମାଡି ବସିବାପରେ ଦଲାଇ ଲାମା ପ୍ରାଣ ବଞ୍ଚାଇବାକୁ ଭାରତ ପଳାଇ ଆସିଥିଲେ। ସେତେବେଳେ ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିଲା। ସେହିଦିନଠାରୁ ଚୀନ୍ ସରକାର ଦଲାଇ ଲାମାଙ୍କୁ ଜଣେ ବିଚ୍ଛିନ୍ନତାବାଦୀ ଭାବେ ବିବେଚନା କରିଆସୁଛି। ଦଲାଇ ଲାମାଙ୍କୁ ଆଶ୍ରୟ ଦେଇଥିବାରୁ ଚୀନ ସହ ଭାରତର ସମ୍ପର୍କ ମଧ୍ୟ ତିକ୍ତ ହୋଇପଡିଛି। ୧୯୮୯ରେ ଦଲାଇ ଲାମାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଥିବାବେଳେ ଆମେରିକାର ଖ୍ୟାତନାମା ‘ଟାଇମ’ ପତ୍ରିକା ପକ୍ଷରୁ ଅହିଂସା ପ୍ରସଙ୍ଗରେ ତାଙ୍କୁ ମହାତ୍ମା ଗାନ୍ଧୀଙ୍କ ପ୍ରକୃତ ଉତ୍ତରାଧିକାରୀ ବୋଲି ବିବେଚନା କରାଯାଇଛି। ଦଲାଇ ଲାମାଙ୍କ ପ୍ରକୃତ ନାମ ତେନ୍ଜିନ୍ ଗ୍ୟାତ୍ସୋ। ୧୯୪୦ରେ ସେ ଚତୁର୍ଦଶ ଦଲାଇ ଲାମା ଭାବେ ମନୋନୀତ ହୋଇଥିଲେ।
Popular Categories



