ନିର୍ବାଚନରୁ ନୱାଜ୍ ବାସନ୍ଦ
ଇସ୍ଲାମ୍ବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ ଆଉ ନିର୍ବାଚନ ଲଢ଼ିପାରିବେ ନାହିଁ। ଏଥିସହିତ ସେ କୌଣସି ସରକାରୀ ପଦପଦବୀରେ ମଧ୍ୟ ରହିପାରିବେ ନାହିଁ। ପାକିସ୍ତାନ ସମ୍ବିଧାନର ଧାରା ୬୨(୧)(ଏଫ୍) ଅନୁଯାୟୀ ନୱାଜ୍ଙ୍କୁ ନିର୍ବାଚନ ଲଢ଼ିବା ପାଇଁ ପାକିସ୍ତାନ ସୁପ୍ରିମକୋର୍ଟ ଆଜୀବନ ଅଯୋଗ୍ୟ ଘୋଷଣା କରିଛନ୍ତି। ନୱାଜ୍ଙ୍କ ସହିତ ପାକିସ୍ତାନ ତେହେରିକ୍ – ଇ- ଇନ୍ସାଫ୍ର ପୂର୍ବତନ ମହାସଚିବ ଜାହାଙ୍ଗୀର ତରିନ୍ଙ୍କୁ ପାକିସ୍ତାନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସକିବ୍ ନିଶାରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ କଟକଣା ଜାରି କରିଛନ୍ତି। ପାନାମା ପେପର ପ୍ରସଙ୍ଗରେ ନୱାଜ୍ଙ୍କୁ ୨୦୧୭, ଜୁଲାଇ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ କରାଯାଇଥିଲା।