ପିଲାମାନଙ୍କ ଭିତରେ ବୈଜ୍ଞାନିକ ଦୃଷ୍ଟିକୋଣ ବିକଶିତ କରିବା ପାଇଁ ପ୍ରୟାସ କରନ୍ତୁ : ମୋଦୀ

ଆଜି ‘ଜାତୀୟ ବିଜ୍ଞାନ ଦିବସ’

ନୂଆଦିଲ୍ଲୀ : ଆଜି ‘ଜାତୀୟ ବିଜ୍ଞାନ ଦିବସ’। ରମଣ ଏଫେକ୍ଟର ଆବିଷ୍କାର ପାଇଁ ଏହି ଦିନଟି  ବେଶ ସ୍ମରଣୀୟ । ରବିବାର ଆକାାବାଣୀର ମାସିକ ରେଡିଓ କାର୍ଯ୍ୟକ୍ରମ ମନ କୀ ବାତରେ ଦେଶ ବାସୀଙ୍କ ସହ ଭାବ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛିନ୍ତି ଫେବୃଆରୀ ୨୮ ତାରିଖ ହେଉଛି ‘ଜାତୀୟ ବିଜ୍ଞାନ ଦିବସ’ । ଏହି ଦିନଟି ରମଣ ଏଫେକ୍ଟର ଆବିଷ୍କାର ପାଇଁ ମଧ୍ୟ ଜଣାଶୁଣା । ସି.ଭି. ରମଣ ଜୀଙ୍କ ସହିତ ସେହି ସମସ୍ତ ବୈଜ୍ଞାନିକମାନଙ୍କୁ ସେ ସାଦର ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ। ଯେଉଁମାନେ ଆମର ବୈଜ୍ଞାନିକ ଯାତ୍ରାକୁ ସମୃଦ୍ଧ କରିବାରେ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି ସେମାନଙ୍କୁ ଅନେକ ଅନେକ ଶ୍ରଦ୍ଧାଞ୍ଜଳି । ସେ କହିଥିଲେ ଆମ ଜୀବନର ସୁଗମତା ଓ ସରଳତାରେ ପ୍ରଯୁକ୍ତି ବହୁତ ସ୍ଥାନ ନେଇସାରିଛି। କେଉଁ ପ୍ରଯୁକ୍ତି ଭଲ, କେଉଁ ପ୍ରଯୁକ୍ତିର ଉତ୍ତମ ବ୍ୟବହାର କରାଯାଇପାରେ, ଏସବୁ ବିଷୟରେ ଆମେ ଭଲଭାବେ ଅବଗତ ତ ହୋଇଥାଉ, କିନ୍ତୁ ଏହା ମଧ୍ୟ ସତ ଯେ ଆମ ପରିବାରର ପିଲାମାନଙ୍କୁ ସେହି ପ୍ରଯୁକ୍ତିର ଆଧାର କ’ଣ, ତା’ ପଛରେ କ’ଣ ବିଜ୍ଞାନ ରହିଛି, ସେହି ଦିଗକୁ ଆମର ଧ୍ୟାନ ଯାଏ ନାହିଁ । ଏହି ବିଜ୍ଞାନ ଦିବସରେ ମୁଁ ଚାହେଁ ଯେ ସମସ୍ତ ପରିବାର ନିଜ ନିଜର ପିଲାମାନଙ୍କ ଭିତରେ ବୈଜ୍ଞାନିକ ଦୃଷ୍ଟିକୋଣ ବିକଶିତ କରିବା ପାଇଁ ନିଶ୍ଚୟ ଛୋଟ ଛୋଟ ପ୍ରୟାସ ଆରମ୍ଭ କରନ୍ତୁ। ଉଦାହରଣ ସ୍ୱରୂପ ଆଖିକୁ ଦେଖାଯାଉ ନ ଥିଲେ, ଚଷମା ଲଗାଇବା ପରେ ସଫା ଦେଖାଯାଉଛି, ତ ପିଲାଙ୍କୁ ସହଜରେ ବୁଝାଇହେବ ଯେ ଏହା ପଛରେ କି ବିଜ୍ଞାନ ରହିଛି । କେବଳ ଚଷମା ଦେଖି ଖୁସିହେବା ଯଥେଷ୍ଟ ନୁହେଁ, ଏହି କଥାକୁ ଆରାମରେ ଆପଣ ଗୋଟିଏ ଛୋଟ କାଗଜରେ ତାକୁ ବୁଝାଇ ଦେଇପାରିବେ । ତା’ର ମୋବାଇଲ ଫୋନ୍, କାଲକୁଲେଟର୍ କିପରି କାମ କରେ, ରିମୋଟ୍ କଂଟ୍ରୋଲ କିପରି କାମ କରେ ବା ସେନ୍ସର କ’ଣ ? – ସେସବୁ ବିଜ୍ଞାନର କଥା ଘରେ କ’ଣ ଆଲୋଚନା ହୁଏ ? ହୁଏତ ଆମର ଦୈନନ୍ଦିନ ଜୀବନଚର୍ଯ୍ୟା ଭିତରେ ବ୍ୟବହୃତ ଏସବୁ ଜିନିଷଗୁଡ଼ିକ ପଛରେ କି ବିଜ୍ଞାନ ରହିଛି, ଆମେ ସହଜରେ ବୁଝାଇଦେଇପାରିବା ବୋଲି ଶ୍ରୀ ମୋଦୀ କହିଥିଲେ।

ସେହିପରି କେବେ ଆମେ ପିଲାଙ୍କୁ ସାଥିରେ ନେଇ ଆକାଶକୁ ଆମେ ଦେଖିଛୁ କି ? ରାତିରେ ତାରାଙ୍କ ସମ୍ପର୍କରେ ମଧ୍ୟ ନିଶ୍ଚୟ ଆଲୋଚନା ହେଉଥିବ । ବିଭିନ୍ନ ପ୍ରକାରର ତାରକାପୁଞ୍ଜ ଦେଖାଯାଏ, ସେମାନଙ୍କ ସମ୍ପର୍କରେ ବତାନ୍ତୁ । ଏପରି କରି ଆପଣ ପିଲାଙ୍କ ଭିତରେ ଫିଜିକ୍ସ ଓ ଏଷ୍ଟ୍ରୋନୋମି ପ୍ରତି ନୂଆ ଉତ୍ସାହ ସୃଷ୍ଟି କରିପାରିବେ । ଆଜିକାଲି ତ ବହୁତ ଗୁଡ଼ାଏ ଆପ୍ ମଧ୍ୟ ଅଛି, ଯେଉଁଥିରେ ଆପଣ ତାରା ଓ ଗ୍ରହଗୁଡ଼ିକର ଅବସ୍ଥିତି ଜାଣିପାରିବେ ବା ଯେଉଁ ତାରା ଆକାଶରେ ଦେଖାଯାଉଛି ତାକୁ ଚିହ୍ନିପାରିବେ, ତା’ ସମ୍ପର୍କରେ ଜାଣିପାରିବେ । ମୁଁ, ଆମ ଷ୍ଟାର୍ଟଅପମାନଙ୍କୁ ମଧ୍ୟ କହୁଛି ଯେ ଆପଣମାନେ ରାଷ୍ଟ୍ର ନିର୍ମାଣ ସହିତ ସମ୍ପୃକ୍ତ କାର୍ଯ୍ୟରେ ମଧ୍ୟ ନିଜର କୌଶଳ ଓ ସାଇଂଟିଫିକ୍ କ୍ୟାରେକ୍ଟରର ବ୍ୟବହାର କରନ୍ତୁ । ଏହା ଦେଶ ପ୍ରତି ଆମର ସାମୂହିକ ବିଜ୍ଞାନଭିତ୍ତିକ ଦାୟିତ୍ୱ । ଯେପରିକି ଆଜିକାଲି ମୁଁ ଦେଖୁଛି ଯେ ଆମର ଷ୍ଟାର୍ଟଅପ ଗୁଡ଼ିକ ଆଭାସୀ ବାସ୍ତବ ଦୁନିଆରେ ବହୁତ ଭଲ କାମ କରୁଛନ୍ତି । ଆଭାସୀ ପାଠପଢାର ଏହି ଯୁଗରେ ପିଲାଙ୍କୁ ଦୃଷ୍ଟିରେ ରଖି ଏପରି ଏକ ଆଭାସୀ ଲ୍ୟାବ୍ ନିର୍ମାଣ କରାଯାଇପାରେ । ଆମେ ଆଭାସୀ ବାସ୍ତବତା ଦ୍ୱାରା ପିଲାଙ୍କୁ ଘରେ ବସି କେମେଷ୍ଟ୍ରି ଲ୍ୟାବର ଅନୁଭବ ମଧ୍ୟ କରାଇପାରିବା । ନିଜର ଶିକ୍ଷକ ଓ ଅଭିଭାବକମାନଙ୍କୁ ମୁଁ କହିବାକୁ ଚାହେଁ ଯେ ଆପଣମାନେ ସମସ୍ତେ ଛାତ୍ରଛାତ୍ରୀ ଓ ପିଲାମାନଙ୍କୁ ପ୍ରଶ୍ନ ପଚାରିବାକୁ ପ୍ରୋତ୍ସାହିତ କରନ୍ତୁ ଏବଂ ସେମାନଙ୍କ ସହ ମିଳିମିଶି ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତର ଅନୁସନ୍ଧାନ କରନ୍ତୁ । ଆଜି ମୁଁ, କରୋନା ବିରୋଧୀ ଲଢ଼େଇରେ ଭାରତୀୟ ବୈଜ୍ଞାନିକମାନଙ୍କର ଭୂମିକାକୁ ମଧ୍ୟ ପ୍ରଶଂସା କରିବାକୁ ଚାହୁଁଛି । ସେମାନଙ୍କର କଠିନ ପରିଶ୍ରମ କାରଣରୁ ହିଁ ‘ମେଡ୍ ଇନ୍ ଇଣ୍ଡିଆ’ ଟିକା ନିର୍ମାଣ ସମ୍ଭବ ହୋଇପାରିଲା, ଯାହାଦ୍ୱାରା ସମଗ୍ର ପୃଥିବୀକୁ ବହୁତ ବଡ଼ ସାହାଯ୍ୟ ମିଳିଲା । ମାନବତା ପାଇଁ ଏହାହିଁ ତ ବିଜ୍ଞାନର ଉପହାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Comments are closed.