ବୃଷଭ କାହିଁକି ହେଲେ ଶିବଙ୍କ ବାହାନ, ଜାଣନ୍ତୁ ବୃଷବର ଜୀବନୀ
ଶିବଲିଙ୍ଗ ସମ୍ମୁଖରେ ସର୍ବଦ ନନ୍ଦୀ ବୃଷଭକୁ ଦେଖିବାକୁ ମିଳେ। ଏହା କଣ ପାଇଁ ଥାଏ ତାହା ସମସ୍ତଙ୍କୁ ଜଣାନଥାଏ। ତେବେ ବୃଷଭ ବିନା କଣ ଶିବଲିଙ୍ଗ ଅଧୁରା? ଏମିତି କିଛି ପ୍ରଶ୍ନ ଉଙ୍କି ମାରେ ଆମ ମନରେ । ଆସନ୍ତୁ ଜାଣିବା ଏହାର ରହସ୍ୟ…
ପୌରାଣିକ ତଥ୍ୟ ଅନୁଯାୟୀ ଶିଲାଦ ନାମରେ ଜଣେ ଋଷି ଥିଲେ ଯିଏକି ବର୍ଷ ବର୍ଷ ଧରି ମହାଦେବ ଶିବଙ୍କୁ ତପସ୍ୟ କରିଥିଲେ। ତାଙ୍କ ତପସ୍ୟାରେ ଖୁସି ହୋଇ ଭଗବାନ ଶିବ ନନ୍ଦୀକୁ ପୁତ୍ର ରୂପରେ ପ୍ରଦାନ କରିଥିଲେ। ଶିଲାଦ ଋଷି ଯେଉଁ ଆଶ୍ରମରେ ରହୁଥିଲେ ସେଠାରେ ତାଙ୍କ ପୁତ୍ର ନନ୍ଦୀ ମଧ୍ୟ ରହୁଥିଲେ। ଦିନେ ତାଙ୍କ ଆଶ୍ରମକୁ ମିତ୍ର ଓ ବରୁଣ ନାମକ ଦୁଇ ସନ୍ଥ ଆସିଥିଲେ। ସେମାନଙ୍କ ସେବାର ଦାୟିତ୍ୱ ଋଷି ତାଙ୍କ ପୁତ୍ର ନନ୍ଦୀକୁ ଦେଇଥିଲେ। ଦୁଇ ସନ୍ଥ ବିଦାୟ ନେଲା ବେଳେ ଋଷିଙ୍କୁ ଦୀର୍ଘୟୁର ବର ପ୍ରଦାନ କରିଥିଲେ କିନ୍ତୁ ନନ୍ଦୀକୁ ନୁହେଁ। ଏହା ଶୁଣି ଋଷି ବିଚଳିତ ହୋଇଗଲେ ଏବଂ ଏହାର କାରଣ ପଚାରିଲେ। ସନ୍ଥ ଅଳ୍ପ ସମୟ ଚୁପ ରହି କହିଲେ ଯେ ନନ୍ଦୀ ଅଳ୍ପାୟୁ, ଏହା ଶୁଣି ଋଷିଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ଋଷି ବ୍ୟସ୍ତ ବିବ୍ରତ ହେବାକୁ ଲାଗିଲେ।
ଦିନେ ପୁତ୍ର ନନ୍ଦୀ ଋଷିଙ୍କୁ ଏହି ଚିନ୍ତାର କାରଣ ପଚାରିଲେ। ଋଷି ମଧ୍ୟ ତାଙ୍କ ଉତ୍ତରରେ କହିଥିଲେ ଯେ ସନ୍ଥ କହିଛନ୍ତି ତୁମେ ଅଳ୍ପାୟୁ, ଏହା ମୋର ଚିନ୍ତାର କାରଣ। ଋଷି ଶିଲାଦଙ୍କ କଥା ଶୁଣି ନନ୍ଦୀ ବହୁତ ଜୋରରେ ହସିବାକୁ ଲାଗିଲେ ଏବଂ କାହିଲେ ଭଗବାନ ଶିବ ମୋତେ ଆପଣଙ୍କୁ ପ୍ରଦାନ କରିଛନ୍ତି, ତେଣୁ ମୋର ରକ୍ଷା କରିବା ଦାୟିତ୍ୱ ହେଉଛି ତାଙ୍କର କର୍ତ୍ତବ୍ୟ। ସେଥିପାଇଁ ଆପଣ ବ୍ୟସ୍ତ ହେବା କିଛି ଆବଶ୍ୟକ ନାହିଁ।
ନନ୍ଦୀ ପିତାଙ୍କ ସହ ନଦୀ କୂଳରେ ତପସ୍ୟା କରିବାକୁ ଲାଗିଲେ। ଦିନରାତି ତପସ୍ୟା କରିବା ପରେ ଭଗବାନ ଶିବ ତାଙ୍କୁ ଦର୍ଶନ ଦେଲେ ଏବଂ ପଚାରିଲେ କଣ ତୁମର ଇଚ୍ଛା? ନନ୍ଦୀ କହିଲେ ମୁଁ ଆପଣଙ୍କର ସାନିଧ୍ୟପ୍ରାପ୍ତି କରିବାକୁ ଚାହୁଁଛି। ଏଥିରେ ଶିବ ଖୁସି ହୋଇ ନନ୍ଦୀଙ୍କୁ ଆଲିଙ୍ଗନ କଲେ ଏବଂ ନନ୍ଦୀଙ୍କୁ ଷେଣ୍ଢର ଚେହେରା ପ୍ରଦାନ କରି ତାଙ୍କୁ ଭଗବାନ ଶିବ ନିଜର ବାହାନ ରୂପରେ ସ୍ୱୀକାର କଲେ। ସେହି ଦିନଠାରୁ ଶିବ ମନ୍ଦିର ସମ୍ମୁଖରେ ନନ୍ଦୀକୁ ବୃଷଭ ଭାବରେ ସ୍ଥାପିତ କରାଯାଇଛି।