ସମାଜ ପ୍ରଭାବରେ–ନନ୍ଦନକାନନ ପ୍ରାଣୀଉଦ୍ୟାନ: ଶାରୀ ଚୋରି ଉଦ୍ୟମ ଓ ରାତିରେ ପିଚୁକାମରେ ଅନିୟମିୟତାକୁ ନେଇ ତଦନ୍ତ ନିର୍ଦେଶ,

ନନ୍ଦନକାନନ- ନନ୍ଦନକାନନ ପ୍ରାଣୀଉଦ୍ୟାନ ପରିସର ମଧ୍ୟରେ ୭ନମ୍ବର (ଗ) ଶାରୀ ଖୁଆଡରୁ ଶାରୀ ଚୋରି କରିବା ଉଦ୍ୟମ ବ୍ୟର୍ଥ ହୋଇଛି।ତେବେ ଏହି ଶାରୀ ଖୁଆଡର ତାଲାଭାଙ୍ଗିବା ଘଟଣା ଓ ଉଦ୍ୟାନ ପରିସରରେ ରାତିରେ କରାଯାଉଥିବା ପିଚୁରାସ୍ତା କାମରେ ଅନିୟମିୟତା ଆଦି ଦୁଇଟି ଘଟଣାକୁ ନେଇ ଗତ ୭ତାରିଖରେ “ସମାଜ’ରେ ଖବର ପ୍ରସାରିତ ହେବାପରେ ନନ୍ଦନକାନନ ନିର୍ଦେଶକ ତଦନ୍ତ ଦାୟିତ୍ବ ପ୍ରାଣୀଉଦ୍ୟାନ ଉପନିର୍ଦେଶକଙ୍କୁ ଦେଇଛନ୍ତି। ଉପନିର୍ଦେଶକ ସନଥ୍ କୁମାର ନାରାୟଣ ଏଥିପାଇଁ ଶାରୀ ଖୁଆଡ ତାଲାଭାଙ୍ଗା ଯିବା ଘଟଣା ପାଇଁ ପ୍ରାଣୀଉଦ୍ୟାନ ନିରାପତ୍ତା ବିଭାଗର ଦୁଇ ରାତ୍ରି ଜଗୁଆଳି ଓ ରାତ୍ରିରେ ପିଚୁରାସ୍ତା କାମରେ ବ୍ୟାପକ ଅନିୟମିୟତା ହୋଇଥିବା ଘଟଣାରେ ସ୍ବତନ୍ର ପ୍ରକଳ୍ପ ବିଭାଗର ବନପାଳ ଓ ବନରକ୍ଷୀକୁ ଜବାବ ତଲବ କରିଛନ୍ତି।

ଅପରପକ୍ଷରେ ରାତ୍ରିରେ ପ୍ରାଣୀଉଦ୍ୟାନର ପରିସର ମଧ୍ୟରେ ମୁଖ୍ୟରାସ୍ତା ଗୁଡିକୁ ନିର୍ମାଣ ପାଇଁ ଅନୁମତି ଦେଲା କିଏ?ଏହି ପିଚୁ ରାସ୍ତା ନିର୍ମାଣ ତଦାରଖ ଦାୟିତ୍ବରେ ଥିବା ବନାଞ୍ଚଳ(ରେଞର)ଅଧିକାରୀ କିଏ? ଓ ତାଙ୍କ ଜ୍ଞାତସାରରେ ନିର୍ମାଣ କାର୍ଯ୍ୟ କିପରି ଚାଲୁଥିଲା?ପ୍ରାଣୀଉଦ୍ୟାନର ସମସ୍ତ ଆଇନ ଉଲ୍ଲଘଂନ କରି ନିର୍ମାଣ କରୁଥିବା ଠିକାଦାର ଓ ଶ୍ରମିକ ପ୍ରାଣୀଉଦ୍ୟାନ ହଳହସ୍ତୀ ଖୁଆଡ ପାଖରେ ଥିବା ୪ଟି କଟେଜରେ ରାତ୍ରିଯାପନ କଲେ କିପରି?ସ୍ବାଭାବିକ ଭାବରେ ଶାରୀ ଖୁଆଡ ତାଲାଭାଙ୍ଗିବା ଘଟଣାରେ ଏମାନଙ୍କ ସଂପୃକ୍ତି ଅଣଦେଖା କରାଯାଇ ନ ପାରେ।ସବୁଠାରୁ ବଡକଥା ହେଲା,ସୋମବାର ଛୁଟି ଦିନଥିବା ସତ୍ତ୍ବେ ରାତ୍ରିରେ ରାସ୍ତା ନିର୍ମାଣ କାହିଁକି ହେଉଥିଲା।ଦେଢ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଅନୁଦାନରେ ବ୍ୟୟ ନିର୍ମାଣ ପିଚୁ ରାସ୍ତାରେ ବ୍ୟାପକ ଅନିୟମିୟତା ହୋଇଥିବା ସ୍ପଷ୍ଟ ବାରି ହୋଇ ଯାଉଛି।

ଏହି କାର୍ଯ୍ୟ ଭୁବନେଶ୍ବର ପୂର୍ତ୍ତ ଡିଭିଜନ-୩ ଦ୍ବାରା କରାଯାଉଥିଲା।ପ୍ରକଳ୍ପ ଏଷ୍ଟିମେଣ୍ଟ ଅନୁଯାୟୀ ରାସ୍ତା କାମ ନ ହୋଇ ନିମ୍ନମାନର କାର୍ଯ୍ୟ ହେବା ଫଳରେ ବିଭାଗୀୟ କନିଷ୍ଠଯନ୍ତ୍ରୀ, ଠିକାଦାର ଓ ଦାୟିତ୍ବରେ ଥିବା ସ୍ୱତନ୍ତ୍ର ପ୍ରକଳ୍ପ ବନାଞ୍ଚଳ(ରେଞର)ଅଧିକାରୀ ବେଶ୍ ମୁନାଫା ଉଠାଇଥିବା ଆଲୋଚନା ହେଉଛି।ଯାହା ଦିନରେ ନିର୍ମାଣ କାର୍ଯ୍ୟ ନ ହୋଇ ରାତ୍ରିରେ ହେବା ଘଟଣା ହିଁ ସ୍ପଷ୍ଟ ସୂଚନା ଦେଉଛି।ଶାରୀ ଖୁଆଡ ତାଲାଭାଙ୍ଗି ନଥିଲେ ଏହି ପିଚୁରାସ୍ତା ନିର୍ମାଣ କାର୍ଯ୍ୟର ଅନିୟମିୟତା ଓ ଆଇନ ଉଲ୍ଲଘଂନ ହେବା ବିଷୟ ଲୋକଲୋଚନକୁ ଆସି ନ ଥାନ୍ତା। ଉଦ୍ୟାନର କର୍ମଚାରୀଙ୍କ ଠାରୁ ଶୁଣାଯାଉଛି,ଏହି ପିଚୁରାସ୍ତା ନିର୍ମାଣ କାର୍ଯ୍ୟର ଦାୟିତ୍ବରେ ଥିବା ପ୍ରାଣୀଉଦ୍ୟାନର ସ୍ବତନ୍ର ପ୍ରକଳ୍ପ ବନାଞ୍ଚଳ(ରେଞର)ଅଧିକାରୀଙ୍କୁ ବାଦ୍ ଦେଇ ତଳିଆ କର୍ମଚାରୀ ତଥା ବନପାଳ ଓ ବନରକ୍ଷୀଙ୍କୁ କୈଫିୟତ ମଗା ଯାଇଛି।ଯଦି ଏହା ସତ୍ୟ ହୋଇଥାଏ,ତେଲିଆ ମୁଣ୍ଡରେ ତେଲ’ ନ୍ୟାୟରେ ବରିଷ୍ଠ ଅଧିକାରୀଙ୍କୁ (ବଡବଡିିଆ)ଛାଡି ତଳିଆ କର୍ମଚାରୀଙ୍କୁ ଦୋଷୀ ସାବସ୍ତ୍ୟ କରିବାକୁ ଚକ୍ରାନ୍ତ ଚାଲିଛି।ତେଣୁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ସତ୍ୟ ଉନ୍ମୋଚିତ ହୋଇପାରିବ ବୋଲି ନନ୍ଦନକାନନ ଜୀବଜନ୍ତୁ ଓ ଜଙ୍ଗଲ ସୁରକ୍ଷା ମଞ୍ଚ ଦାବି କରିଛି।

Comments are closed.