ରେଳପଥ ପାଇଁ ଜମି ଅଧିଗ୍ରହଣ ବିଳମ୍ବର ପ୍ରତିବାଦ, ୧୨ ଘଣ୍ଟିଆ ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳିଲା ବିଜେପି

ନବରଙ୍ଗପୁର :  ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ୧୨ ଘଣ୍ଟିଆ  ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ସଫଳ ହୋଇଛି । ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ ନବରଙ୍ଗପୁରକୁ ରେଳପଥ  ଛୁଇଁନି ।   ଜୟପୁରଠାରୁ ନବରଙ୍ଗପୁର ପର୍ଯ୍ୟନ୍ତ ନୂତନ ରେଳପଥ ନିର୍ମାଣ ପାଇଁ ରାଜ୍ୟ  ବିଜେଡି ସରକାର ଜମି ଅଧିଗ୍ରହଣ କରୁନାହାନ୍ତି । ଗତ ୨୦୧୬ରେ  ରାଜ୍ୟ ସରକାର କେନ୍ଦ୍ର ରେଳ ମନ୍ତ୍ରଣାଳୟ  ସହ ଚୁକ୍ତିନାମା କରିଥିଲେ । ତେବେ ଦୀର୍ଘ ୮ ବର୍ଷ ପରେ ମଧ୍ୟ ଜମି ଅଧିଗ୍ରହଣ ହୋଇନାହିଁ । ଏହାକୁ ଜିଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି ।

ଏହା ସହିତ ଜିଲ୍ଲାର  ଅନ୍ୟାନ୍ୟ ସମସ୍ୟା ନେଇ ପ୍ରତିବାଦ କରି  ନବରଙ୍ଗପୁର ଜିଲ୍ଲା ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା ।   ଏହି ଅବସରରେ ଦଳୀୟ କର୍ମୀ ସକାଳ ୬ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ୧୨ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ । ସହରର  ଚାଉଁରିଆଗୁଡା  ଓ ମାଝୀଗୁଡା ଛକରେ ରାସ୍ତା ଅବରୋଧ କରାଯିବାରୁ ଶତାଧିକ ଯାନ ବାହନ ଅଟକି ରହିଥିଲା ।   ସହରର ସମସ୍ତ ଦୋକାନ ବଜାର  ବନ୍ଦ ରହିଥିବାବେଳେ  ପିକେଟିଂ କରି ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରିଥିଲେ ।

ଏହି  ବନ୍ଦରେ  ଜିଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ, ପୂର୍ବତନ ସାଂସଦ  ବଳଭଦ୍ର ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀଶଙ୍କର ମାଝୀ, ଜିଲା ଉପସଭାପତି ଦେବଦାସ ମହାଙ୍କୁଡ଼  ପ୍ରମୁଖ ଉପସ୍ଥିତ ରହି ନେତୃତ୍ୱ  ନେଇଥିଲେ।  ଏହି ବନ୍ଦ ସମୟରେ ଆମ୍ବୁଲାନ୍ସ , ଜରୁରୀକାଳୀନ ସେବା ଓ  ଅତ୍ୟାବଶ୍ୟକ  ଦୋକାନ ଗୁଡିକ  ସ୍ବଭାବିକ  ରହିଥିଲା   । ତେବେ ଏହି ବନ୍ଦକୁ ଜିଲାରେ ବିପୁଳ ସମର୍ଥନ ମିଳିଥିଲା ।

 

Comments are closed.