ଓଡ଼ିଆରେ ନାମଫଳକ ଅଭିଯାନ, ସଚେତନତା ପଦଯାତ୍ରା

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଏନଏସିରେ ଶୁକ୍ରବାର ଜିଲ୍ଲା ପ୍ରଶାସନ ଏବଂ ଶ୍ରମବିଭାଗ ତରଫରୁ ରାଜ୍ୟରେ ଓଡ଼ିଶା ପକ୍ଷ ପାଳନ ଅବସରରେ ନିଜ ନିଜ ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନର ନାମ ଫଳକ ଓଡ଼ିଆ ଭାଷାରେ ଲେଖିବା ଓ ପଞ୍ଜିକରଣ ପାଁଇ ଏକ ସଚେତନତା ପଦଯାତ୍ରା କରାଯାଇଛି। ସକାଳ ୧୦ଟାରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ନିକଟରୁ ଶତାଧିକ ପୁରୁଷ ଓ ମହିଳା ସ୍ଲୋଗାନ ଲେଖାଥିବା ବିଭିହ୍ନ ପ୍ଲାକାର୍ଡ଼ ଧରି ବାହାରିବା ସହ ସହରର ମୁଖ୍ୟ ରାସ୍ତାରେ ସଚେତନତା ପଦଯାତ୍ରାରେ ବାହାରି ସଚେତନ କରିବା ସହ ଏନଏସି ଛକକୁ ଫେରି ଆସିଥିଲେ। ଏହି ପଦଯାତ୍ରାରେ କଣ୍ଟାବାଞ୍ଜି ଦାୟିତ୍ୱରେ ଥିବା ଅତିରିକ୍ତ ଶ୍ରମ ଅଧିକାରୀ ବିନୋଦ କୁମାର ନାୟକ, ତୁରେକେଲା ଅତିରିକ୍ତ ଶ୍ରମ ଅଧିକାରୀ କେଶବ ବେହେରା, ପୁଲିସ ଏସଆଇ ସଚିତ୍ର ଛତ୍ରିଆଙ୍କ ସହ ଶ୍ରମିକ ସଂଗଠନ ସାମିଲ ଥିଲେ। ଜିଲ୍ଲାରେ ବଲାଙ୍ଗୀର ମୁନିସିପାଲଟି ସହ କଣ୍ଟାବାଞ୍ଜି ଏନ୍‌ଏସି ୨ଟି ସ୍ଥାନରେ ପଦଯାତ୍ରା ଅନୁଷ୍ଠିତ ହୋଇଥିବା ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ ସେଠି ସୂଚନା ଦେଇଛନ୍ତି। ଏଥିସହ ଯେଉଁ ବାଣିଜ୍ୟ ପ୍ରତିଷ୍ଠାନ ଓଡ଼ିଆ ଭାଷାକୁ ସମ୍ମାନ ଜଣାଇ ନିଜ ନିଜ ବ୍ୟବସାୟ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାରେ ଖିଲାପି କରିବେ, ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ୫ ହଜାର ଟଙ୍କା ଜୋରିମାନା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି।

Comments are closed.