ଭୁବନେଶ୍ୱର : ଓଡ଼ିଆ ପକ୍ଷ ପାଳନ ଅବସରରେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ମାଷ୍ଟର୍ କ୍ୟାଣ୍ଟିନ ଛକରେ ଓଡ଼ିଆରେ ନାମଫଳକ ଅଭିଯାନ ସଚେତନତା ପଦଯାତ୍ରା ଆୟୋଜିତ ହୋଇଯ।ଇଛି । ଶ୍ରମ ଓ କର୍ମଚାରୀ ରାଜ୍ୟବୀମା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପଦଯାତ୍ରାକୁ ଉଦଘାଟନ କରିଥିଲେ। ଏହି ଅବସରରେ ରାଜ୍ୟର ବ୍ୟବସାୟୀ ଭାଇଭଉଣୀମାନେ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନର ନାମଫଳକ ଓଡ଼ିଆରେ ସ୍ପଷ୍ଟ ଭାବେ ଲେଖିବାକୁ ସେ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଥିଲେ ଯେ, ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗାଦପୀ ଗରୀୟସୀ । ନିଜ ମାଆ ଏବଂ ନିଜ ଜନ୍ମଭୂମି ସ୍ୱର୍ଗଠାରୁ ଗରୀୟାନ ଓ ଶ୍ରେଷ୍ଠ । ମାତୃଭୂମିର ଭାଷା ବା ମାତୃଭାଷା ହେଉଛି ଗୋଟିଏ ଜାତିର ଅସ୍ତିତ୍ୱ ଓ ଭବିଷ୍ୟତ । ଏଣୁ ଆମ ମାତୃଭାଷା ଓଡ଼ିଆର ବ୍ୟାପକ ପ୍ରଚାର ପ୍ରସାର ଓ ସଠିକ୍ ବ୍ୟବହାର ଉପରେ ବିଶେଷ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ଏପ୍ରିଲ ୧ ତାରିଖ ଓଡ଼ିଶା ଦିବସଠାରୁ ଏପ୍ରିଲ ୧୪ ତାରିଖ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳନ ହେଉଛି ଓଡ଼ିଆ ପକ୍ଷ। ଏହି ଅବସରରେ ରାଜ୍ୟର ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନର ନାମଫଳକ ସ୍ପଷ୍ଟ ଭାବେ ଓଡ଼ିଆ ଭାଷାରେ ଲେଖିବା ସୁନିଶ୍ଚିତ କରିବା ପାଇଁ ଆରମ୍ଭ ହୋଇଛି ସାରା ରାଜ୍ୟରେ ବ୍ୟାପକ ଅଭିଯାନ।
ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ (୧୯୫୬) ଅନୁଯାୟୀ ଓଡ଼ିଆ ଭାଷାରେ ସ୍ପଷ୍ଟ ଭାବରେ ନାମଫଳକ ଲେଖିବା ବାଧ୍ୟତାମୂଳକ। ଏଥିରୁ ଖିଲାପକାରୀଙ୍କ ବିରୋଧରେ ମକଦ୍ଦମା ରୁଜୁ ସହ ଜୋରିମାନା ଆଦାୟ ଭଳି ଦଣ୍ଡବିଧାନ ରହିଛି। ଯେଉଁମାନେ ଏହି ନିୟମର ଉଲ୍ଲଂଘନ କରିବେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏଣୁ ଯେଉଁମାନେ ଏପର୍ଯ୍ୟନ୍ତ ନିଜର ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନଗୁଡ଼ିକରେ ଓଡ଼ିଆ ଭାଷାରେ ନାମଫଳକ ଲେଖି ନାହାନ୍ତି, ସେମାନେ ଯଥାଶୀଘ୍ର ଏଥିପ୍ରତି ଯତ୍ନବାନ ହୁଅନ୍ତୁ। ନିର୍ଭୁଲ ଏବଂ ସ୍ପଷ୍ଟ ଭାବେ ଓଡ଼ିଆ ଭାଷାରେ ନାମଫଳକ ଲେଖି ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ଦ୍ୱାରା ଆରମ୍ଭ ହୋଇଥିବା ଏହି ଅଭିଯାନକୁ ସଫଳ କରିବାରେ ସହଯୋଗ କରନ୍ତୁ। ଓଡ଼ିଆ ଭାଷାର ପ୍ରଚାର ସହ ଓଡ଼ିଆ ଅସ୍ମିତାର ପ୍ରସାର ଆମର ସଂକଳ୍ପ । ମିଳିମିଶି ଆମ ମାତୃଭାଷା ଓଡ଼ିଆକୁ ସମୃଦ୍ଧ କରିବା ଓ ନିଜ ନିଜ ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନର ନାମଫଳକ ଓଡ଼ିଆ ଭାଷାରେ ସ୍ପଷ୍ଟ ଭାବେ ଲେଖିବାକୁ ଶ୍ରମମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଆହ୍ୱାନ ଦେଇଥିଲେ ।
ପଦଯାତ୍ରାରେ ଶ୍ରମ ଆୟୁକ୍ତ ଇନ୍ଦ୍ରମଣି ତ୍ରିପାଠୀ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ରାଜେଶ ଅଗ୍ରୱାଲା, ଡିଭିଜନାଲ ଶ୍ରମ ଆୟୁକ୍ତ ଅଜୟ କୁମାର ପ୍ରଧାନ, ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଣବ କୁମାର ପାତ୍ର, ଅତିରିକ୍ତ ଶ୍ରମ ଆୟୁକ୍ତ ଘାସିରାମ ଟୁଡୁ ଓ ମଦନମୋହନ ପାଇକ, ଖୋର୍ଦ୍ଧା ଜିଲ୍ଲାର ଉପ- ଜିଲାପାଳ ମନୋରଞ୍ଜନ ସାହୁ; ଖୋର୍ଦ୍ଧା ଜିଲା ଶ୍ରମ ଅଧିକାରୀ ପ୍ରଭାକର ବିଶ୍ୱାଳ, ଭୁବନେଶ୍ୱର ଶ୍ରମ କାର୍ଜ୍ୟାଳୟର ଅନ୍ୟ ଅଧିକାରୀ, ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନର ପ୍ରତିନିଧି ଓ ଶ୍ରମିକ ସଂଗଠନଗୁଡିକର ସଦସ୍ୟବୃନ୍ଦ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ପଦଯାତ୍ରାର ଅଂଶଗ୍ରହଣକାରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଶତାଧିକ ମହିଳା ଓ ପୁରୁଷମାନେ ‘ମାତୃଭୂମି ମାତୃଭାଷାରେ ମମତା ଯା’ ହୃଦେ ଜନମି ନାହିଁ, ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ, କୌଶଳ ଜନକ “ଜ୍ଞାନ’’ ଅଟେ ସିନା, ଜନମି ନ ପାରେ ଜ୍ଞାନ ଭାଷା ବିନା, ଓଡ଼ିଆ ବୋଲି ତୁ ମନେ ଗର୍ବ ବହି ଚାଲରେ ଟେକି ତୋ ମଥା, ନୀତି ମନେ ମନେ ଗୁଣି ହେଉ ଥାଆ ପୂର୍ବପୁରୁଷଙ୍କ କଥା, ଆମ ଭାଷାର ପ୍ରଗତି, ଆମ ରାଜ୍ୟର ଉନ୍ନତି, ଆସ ନିଜେ ଓଡ଼ିଆ ପଢ଼ିବା ଲେଖିବା ଓ ସମସ୍ତଙ୍କୁ ଶିଖାଇବା, ଓଡ଼ିଆ ଭାଷାକୁ ଶ୍ରେଷ୍ଠ କରିବା ଆମର ଲକ୍ଷ୍ୟ ହେଉ, ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ, ପୂରୁବ ଗୌରବ ପୂରୁବ ସାହାସ ପଡ଼ିବ କି କେବେ ମନେ, ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା, ମହାନ୍ ଆମ ମାତୃଭାଷା, କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା, ମୁଁ ଓଡ଼ିଆ, ମୋ ଜାତି ପାଇଁ, ମୋ ମାଟି ପାଇଁ, ମୋ ଭାଷା ପାଇଁ ଜଣେ ଓଡ଼ିଆ ଭାବରେ ମୁଁ ଗର୍ବିତ” ଆଦି ପ୍ରେରଣାଦାୟୀ ଲେଖା ସମ୍ବଳିତ ପ୍ଲାକାର୍ଡମାନ ଧରି ମାଷ୍ଟର୍ କ୍ୟାଣ୍ଟିନ ଛକରୁ ରାମ ମନ୍ଦିର ଓ ପୁନଶ୍ଚ ରାମ ମନ୍ଦିର ଛକ ଠାରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରାରେ ଯାଇ ଓଡିଆରେ ନାମ ଫଳକ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିଥିଲେ।
ଏହି ପଦଯାତ୍ରା ଛଡା ଭୁବନେଶ୍ୱରର ଅନ୍ୟ ତିନିଗୋଟି ସ୍ଥାନ ଯଥା ନୟାପଲ୍ଲୀ ଦୁର୍ଗାମଣ୍ଡପ, ଲିଙ୍ଗରାଜ ଷ୍ଟେସନ ଓ କଳ୍ପନା ଛକଠାରେ ମଧ୍ୟ ଓଡ଼ିଆରେ ନାମଫଳକ ଅଭିଯାନ ସମ୍ବନ୍ଧୀୟ ବ୍ୟାପକ ସଚେତନତା କରାଯାଇଥିଲା।



