ସାମାଜିକ ପରିବର୍ତ୍ତନ ପାଇଁ ଶିକ୍ଷକ ସୃଷ୍ଟିକରନ୍ତୁ ସୁଯୋଗ୍ୟ ଛାତ୍ର – ଜିଲ।ପାଳ

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ ବାଲ୍ୟବିବାହକୁ ରୋକିବା ନିମନ୍ତେ ଆଉ ପାଦେ ଆଗକୁ ଗଲା ଜିଲା ପ୍ରଶାସନ। ଅଧାରୁ ପାଠ ଛାଡିଥିବା ସମସ୍ତ କିଶୋର କିଶୋରୀମାନଙ୍କୁ ବିଦ୍ୟାଳୟକୁ ଫେରାଇବା ସହିତ ବିଭିନ୍ନ ପ୍ରକାର ଧନ୍ଦାମୂଳକ ଶିକ୍ଷାରେ ସେମାନଙ୍କୁ ସାମିଲ କରିବାର ଅଭିଯାନ ଆରମ୍ଭ କରାଯାଇଛି। ଏହି ମର୍ମରେ ଆଜି ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଜିଲାପାଳ ଡ.କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲାର ୫୦ ଜଣ ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ଜିଲାପାଳ ଡ.ମିଶ୍ର କହିଥିଲେ ଯେ ଜିଲାରେ ପ୍ରତ୍ୟେକ ଶିଶୁ ମାନଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନ ର ବିଭିନ୍ନ ବିଭାଗ କାର୍ୟ୍ୟ କରୁଛନ୍ତି। ବାଲ୍ୟବିବାହ ସମସ୍ୟା ଟି ସମାଜରେ ଅତିପୁରାତନ। ଶିକ୍ଷା ଓ ସଚେତନ ଅଭାବରୁ ପ୍ରଥା ପରମ୍ପରା ନାମରେ କିଶୋରୀ ବାଳିକା ମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇ ଯାଉଛନ୍ତି। ଏଥିପାଇଁ ଶିକ୍ଷକ ସମାଜକୁ ଏକ ଗୁରୁ ଦାୟିତ୍ବ ପ୍ରଦାନ କରାଯାଇଛି। ଶିକ୍ଷକ ସମାଜ ସାମାଜିକ ପରିବର୍ତ୍ତନ ପାଇଁ ସୁଯୋଗ୍ୟ ଛାତ୍ର ସୃଷ୍ଟିକରନ୍ତୁ। ଯେଉଁ ଛାତ୍ର ଛାତ୍ରୀ ମାନେ ଆଗାମୀ ଦିନରେ ଏକ ସୁସ୍ଥ ସମାଜ ଗଠନର ବାହକ ସାଜି ସମାଜରୁ ବାଲ୍ୟବିବାହ ପରି କୁସଂସ୍କାରକୁ ଦୂରେଇବାରେ ସହାୟକ ହୋଇପାରିବେ। ଜିଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ବୈଠକ ଉଦେଶ୍ୟ ସମ୍ପର୍କରେବକହିବା ସହିତ ଜିଲ୍ଲାରେ ବାଲ୍ୟବିବାହ କୁ ରୋକିବା ନିମନ୍ତେ ଜିଲ। ଶିଶୁ ସୁରକ୍ଷା ୟୁନିଟି, ଜିଲା ସମାଜ କଲ୍ୟାଣ ବିଭାଗ, ୟୁନିସେଫ ଓ ଆକ୍ସନଏଡର ମିଳିତ ପ୍ରୟାସରେ ଏକ ଯୋଜନାବଦ୍ଧ କାର୍ୟ୍ୟକ୍ରମ ପ୍ରସ୍ତୁତି କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ୟ୍ୟ କ୍ରମ ଚାଲୁଥିବାର ସୂଚନା ଦେଇଥିଲେ।

ଏଥିସହିତ ଅଧାରୁ ପାଠ ଛାଡିଥିବା ସମସ୍ତ କିଶୋର କିଶୋରୀ ମାନଙ୍କୁ ବିଦ୍ୟାଳୟକୁ ଫେରାଇବା ସହିତ ବିଭିନ୍ନ ପ୍ରକାର ଧନ୍ଦାମୂଳକ ଶିକ୍ଷାରେ ସେମାନଙ୍କୁ ସାମିଲ କରିବାର ପାଇଁ ପରାମର୍ଶ ଦେଇଥିଲେ। ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ୍ତ କୁମାର ନାଗ ପ୍ରତ୍ୟେକ ଶନିବାର ଦିନ ସମସ୍ତ ବିଦ୍ୟାଳୟରେ ବାଲ୍ୟବିବାହ ଓ ସ୍ୱାସ୍ଥ୍ୟ ଉପରେ ଶିକ୍ଷା ଦାନ କରିବା ସହିତ, ପ୍ରତି ମାସରେ ଗ୍ରାମ ପଞ୍ଚାୟତ ସ୍ତରରେ ଶିକ୍ଷା ଦାନ ପାଇଁ ଗଠନ କରାଯାଇ ଥିବା କାଉନସିଲର ବୈଠକ କରାଇ ଅଭିଭାବକ ଓ ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷାର ଗୁରୁତ୍ବ ତଥା ବାଲ୍ୟବିବାହର କୁପରିଣାମ ଉପରେ ସଚେତନ କରାଇବା ପାଇଁ ସମସ୍ତ ଶିକ୍ଷକ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ଏହାପରେ ଆକ୍ସନଏଡର ଜିଲା ପରାମର୍ଶ ଦାତା ଫକିର ଚରଣ ରାଉତ ଶିଶୁ ମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହର ସମାପ୍ତ ଉଦ୍ଦେଶ୍ୟରେ ଜିଲାରେ ନିଆଯାଇ ଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନର କାର୍ୟ୍ୟକ୍ରମ ଉପରେ ବୈଠକରେ ଉପସ୍ଥାପନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲା କର୍ମ ନିୟୋଜନ କାର୍ଯ୍ୟାଳୟର କାଉନସିଲର ଆଲୋକ ମହାପାତ୍ର, ଓରମାସର କାଉନସିଲର ଅମ୍ବିକା ରଥ, ଜିଲା ଶିଶୁ ସୁରକ୍ଷା ୟୁନିଟିର ଲିଗାଲ ପ୍ରୋବେଶନ ଅଫିସର କିଶୋର ମର୍ଥା, ବ୍ଲକ ସଂଯୋଜକ ଉତ୍ତମ କୁମାର ବିଶ୍ବାଳ, ସ୍ବେଛାସେବୀ ଜଗନ କୁମାର ପାତ୍ର ,ମନୋରଞ୍ଜନ ବିଶୋଇ ଓ ପ୍ରଧାନ ଶିକ୍ଷକ ମାନେ ଆଲୋଚନାରେ ଭାଗନେଇ ବାଲ୍ୟବବାହକୁ ରୋକିବା ଓ ଅଧାରୁ ପାଠ ଛାଡିଥିବା ସମସ୍ତ କିଶୋର କିଶୋରୀମାନଙ୍କୁ ବିଦ୍ୟାଳୟକୁ ଫେରିବା ପାଇଁ ଉତ୍ସାହିତ କରିବାକୁ ମତ ପ୍ରକାଶ ପାଇଥିଲା।

Comments are closed.