୯ ବିଶ୍ବବିଦ୍ୟାଳୟ, ୩୨୮ ମହାବିଦ୍ୟାଳୟର ନାହିଁ ‘ନାକ୍‌’ ମାନ୍ୟତା

ଅଟକୁଛି ଅନୁଦାନ, ପ୍ରଭାବିତ ହେଉଛି ଉଚ୍ଚଶିକ୍ଷା, ଡିସେମ୍ବର ସୁଦ୍ଧା ନାକ୍ ମାପଦଣ୍ଡ ପୂରଣ ଲକ୍ଷ୍ୟ

ଭୁବନେଶ୍ବର : ବିନା ଜାତୀୟ ମୂଲ୍ୟାଙ୍କନ ଓ ସ୍ବୀକୃତି ପରିଷଦ (ନାକ୍) ମାନ୍ୟତାରେ ରାଜ୍ୟରେ ଚାଲିଛି ଉଚ୍ଚ ଶିକ୍ଷାନୁଷ୍ଠାନ। ହେଲେ ୯ଟି ବିଶ୍ବବିଦ୍ୟାଳୟ ଏବଂ ୩୨୮ ମହାବିଦ୍ୟାଳୟର ନାକ୍ ମାନ୍ୟତା ନାହିଁ। ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ନୂଆ ବିଶ୍ବବିଦ୍ୟାଳୟ ଖୋଲୁଛନ୍ତି। ହେଲେ ଅଧିକାଂଶ ଉଚ୍ଚଶିକ୍ଷାନୁଷ୍ଠାନ ନାକ୍ ମାପଦଣ୍ଡ ପୂରଣ କରୁନାହାନ୍ତି। ଅନୁନ୍ନତ ଭିତ୍ତିଭୂମି ଓ ଶିକ୍ଷକ ଅଭାବ ଲାଗି ଅଧିକାଂଶ ଉଚ୍ଚଶିକ୍ଷାନୁଷ୍ଠାନ ନାକ୍ ମାନ୍ୟତା ହାସଲ କରିପାରୁନାହାନ୍ତି। ଯାହାଫଳରେ ଅନୁଦାନ ଅଟକିବା ସହ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ମଧ୍ୟ ପ୍ରଭାବିତ ହେଉଛି।
ଉଚ୍ଚଶିକ୍ଷା ବିଭାଗର ତଥ୍ୟ ଅନୁସାରେ, ନାକ୍ ମାନ୍ୟତା ହାସଲ ପାଇଁ ସମ୍ପୃକ୍ତ ମହାବିଦ୍ୟାଳୟ ବିଶ୍ବବିଦ୍ୟାଳୟଗୁଡ଼ିକ ସହ ଅନୁବନ୍ଧିତ ହେବା ଦରକାର। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ୟୁଜିସି ଅଧିନିୟମ, ୧୯୫୬ର ଧାରା ୨ (ଏଫ) ଏବଂ ୧୨ (ବି)ରେ ପଞ୍ଜୀକୃତ ହୋଇଥିବା ଆବଶ୍ୟକ। ଶିକ୍ଷାନୁଷ୍ଠାନଗୁଡ଼ିକରେ ୨ ଦଫାରେ ପିଲାମାନେ ଉତ୍ତୀର୍ଣ୍ଣ ହୋଇଥିବା ଦରକାର। ରାଜ୍ୟରେ ୧୬ଟି ସରକାରୀ ବିଶ୍ବବିଦ୍ୟାଳୟ ମଧ୍ୟରୁ ମାତ୍ର ୭ଟି ବିଶ୍ବବିଦ୍ୟାଳୟ ନାକ୍ ମାନ୍ୟତା ହାସଲ କରିଛନ୍ତି। ସେହିପରି ୟୁଜିସି ଅଧିନିୟମ, ୧୯୫୬ର ଧାରା ୨ (ଏଫ) ଏବଂ ୧୨ (ବି)ରେ ପଞ୍ଜୀକୃତ ହୋଇଥିବା ମୋଟ ୫୧୬ ମହାବିଦ୍ୟାଳୟରୁ କେବଳ ୧୮୮ଟି ମହାବିଦ୍ୟାଳୟ ନାକ୍ ମାନ୍ୟତା ହାସଲ କରିଛନ୍ତି।
ଜିଲାୱାରୀ ତଥ୍ୟ ଅନୁସାରେ, ନବରଙ୍ଗପୁର ଜିଲାରେ କୌଣସି ଗୋଟିଏ ମହାବିଦ୍ୟାଳୟ ନାକ୍ ମାନ୍ୟତା ହାସଲ କରିନି। ଖୋର୍ଦ୍ଧା ଜିଲାରେ ୧୦ଟି ମହାବିଦ୍ୟାଳୟ ନାକ୍ ମାନ୍ୟତା ଲାଭ କରିଥିବାବେଳେ ଅନୁଗୋଳରେ ୬ଟି, ବାଲେଶ୍ବରରେ ୧୪, ବରଗଡ଼ରେ ୯, ଭଦ୍ରକରେ ୭, ବଲାଙ୍ଗୀରରେ ୨, ବୌଦ୍ଧରେ ୨, କଟକରେ ୨୩, ଢେଙ୍କାନାଳରେ ୧୦, ଦେବଗଡ଼ରେ ୧, ଗଜପତିରେ ୨, ଗଞ୍ଜାମରେ ୧୬, ଜଗତସିଂହପୁରରେ ୪, ଯାଜପୁରରେ ୧୨, ଝାରସୁଗୁଡ଼ାରେ ୩, କଳାହାଣ୍ଡିିରେ ୨, କନ୍ଧମାଳରେ ୧, କେନ୍ଦ୍ରାପଡ଼ାରେ ୮, କେନ୍ଦୁଝରରେ ୩, କୋରାପୁଟରେ ୨, ମାଲକାନଗିରିରେ ୧, ମୟୂରଭଞ୍ଜରେ ୧୮, ନୟାଗଡ଼ରେ ୭, ନୂଆପଡ଼ାରେ ୨, ପୁରୀରେ ୭, ରାୟଗଡ଼ାରେ ୨, ସମ୍ବଲପୁରରେ ୪, ସୁବର୍ଣ୍ଣପୁରରେ ୧ ଏବଂ ସୁନ୍ଦରଗଡ଼ ଜିଲାରେ ୯ଟି ମହାବିଦ୍ୟାଳୟର ନାକ୍ ମାନ୍ୟତା ରହିଛି। କଳାହାଣ୍ଡି ବିଶ୍ବବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ, ବିକ୍ରମଦେବ ବିଶ୍ବବିଦ୍ୟାଳୟ, ଧରଣୀଧର ବିଶ୍ବବିଦ୍ୟାଳୟ ଏବଂ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ନାକ୍ ମାପଦଣ୍ଡ ପୂରଣ କରୁନାହାନ୍ତି। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ନାକ୍ ମାପଦଣ୍ଡଗୁଡ଼ିକ ପୂରଣ କରିବାକୁ ଲକ୍ଷ୍ୟ ରହିଛି। ସେହିପରି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଏବଂ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ନାକ୍ ମାପଦଣ୍ଡ ପୂରଣ କରୁଛନ୍ତି ଏବଂ ଏହି ଦୁଇ ବିଶ୍ବବିଦ୍ୟାଳୟ ନାକ୍ ମାନ୍ୟତା ପାଇଁ ଦରଖାସ୍ତ କରିବାକୁ ଯୋଗ୍ୟ। ଆସନ୍ତା ଡିସେମ୍ବର ମଧ୍ୟରେ ଏହା ସମ୍ପନ୍ନ କରିବାକୁ ଉଚ୍ଚଶିକ୍ଷା ବିଭାଗ ଏବଂ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ସହାୟତା କରୁଥିବା ଜଣାପଡ଼ିଛି। ସେହିପରି ନାକ୍ ମାନ୍ୟତା ହାସଲ କରିନଥିବା ୩୨୮ ମହାବିଦ୍ୟାଳୟଗୁଡ଼ିକ କିପରି ନାକ୍ ମାନ୍ୟତା ହାସଲ କରିବେ, ସେଥିପାଇଁ ପ୍ରଚେଷ୍ଟା ଜାରି ରହିଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜଣାପଡ଼ିଛି। ଏଥିପାଇଁ ଉଚ୍ଚଶିକ୍ଷା ପରିଷଦ ଦ୍ବାରା ବିଭିନ୍ନ ବୈଠକ ଓ ପ୍ରଶିକ୍ଷଣ ଜାରି ରହିଛି। ଏହି ମହାବିଦ୍ୟାଳୟଗୁଡ଼ିକ ନାକ୍ ୱେବ୍‌ସାଇଟ୍‌ରେ ଆନୁଆଲ କ୍ବାଲିଟି ଆସ୍ୟୁରାନ୍ସ ରିପୋର୍ଟ (ବାର୍ଷିକ ଗୁଣାତ୍ମକ ସୁନିଶ୍ଚିତତା) ସେଲ୍ଫ ଷ୍ଟଡି ରିପୋର୍ଟ ଦାଖଲ କରିବା ଉପରେ ଗୁରୁତ୍ବ ଦିଆଯାଉଛି। ଏଥିସହ ମକ୍ ପରିଦର୍ଶନ ଦ୍ବାରା ଉତ୍ତମ ନାକ୍ ନିର୍ଦ୍ଧାରିତ ଗ୍ରେଡ୍ କିପରି ହାସଲ କରିହେବ, ସେଥିପାଇଁ ଆବଶ୍ୟକ ସହାୟତା ପ୍ରଦାନ କରାଯାଉଥିବା ଉଚ୍ଚଶିକ୍ଷା ବିଭାଗ କହିଛି।
ଏନେଇ ଶିକ୍ଷାବିତ ଆର୍.ଏନ୍ ପଣ୍ଡା କହିଛନ୍ତି, ରାଜ୍ୟର ବହୁ ଉଚ୍ଚଶିକ୍ଷାନୁଷ୍ଠାନ ନାକ୍ ମାପଦଣ୍ଡ ପୂରଣ କରୁନାହାନ୍ତି। ଏଥିପାଇଁ ଉତ୍ତରଦାୟିତ୍ବର ଅଭାବ ରହିଛି। ମହାବିଦ୍ୟାଳୟଗୁଡ଼ିକରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି। ସବୁଠି ଇନଚାର୍ଜଙ୍କୁ ନେଇ କାମଚଳା ଯାଉଛି। ବହୁ ସ୍ବୟଂଶାସିତ ମହାବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିଦିଆଯାଇଛି। କିନ୍ତୁ ସେଠାରେ ପ୍ରଫେସର ନାହାନ୍ତି। ଆବଶ୍ୟକ ଅଧ୍ୟାପକ-ଅଧ୍ୟାପିକା ମଧ୍ୟ ସବୁ ମହାବିଦ୍ୟାଳୟରେ ନାହାନ୍ତି। ଅତିଥି ଅଧ୍ୟାପକଙ୍କ ଭରସାରେ ପାଠପଢ଼ା ଚାଲିଛି। ବିଶ୍ବବିଦ୍ୟାଳୟଗୁଡ଼ିକରେ ପ୍ରଫେସର ଓ ପ୍ରାଧ୍ୟାପକ (ରିଡର) ନଥିବାରୁ ଗବେଷଣା ସମେତ ଅନ୍ୟାନ୍ୟ କାର୍ଯ୍ୟକଳାପ (ଆକ୍ଟିଭିଟି) ହେଉନି। ଏହାଫଳରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ନିଜସ୍ବ ହରାଇ ବସୁଛନ୍ତି। ଏହାଦ୍ବାରା ପିଲାମାନେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ସରକାର ଏଥିପାଇଁ ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି।
ସୂଚନାଯୋଗ୍ୟ, ନାକ୍ ନିଜ ମାନ୍ୟତା ଦେବା ପୂର୍ବରୁ ଶିକ୍ଷାନୁଷ୍ଠାନର ତିନୋଟି ଦିଗ ଉପରେ ତର୍ଜମା କରିଥାଏ। ପ୍ରଥମଟି ହେଲା ଭିତ୍ତିଭୂମି ଓ ଶିକ୍ଷକ। ଦ୍ବିତୀୟଟି ହେଲା ଗବେଷଣା ଓ ତୃତୀୟଟି ହେଲା ପାରଦର୍ଶିତା। ଏହା ଅନୁଯାୟୀ, ୟୁଜିସିଠାରୁ ଆରମ୍ଭ କରି ରୁସା ଓ ବିଶ୍ବବ୍ୟାଙ୍କ ପାଣ୍ଠି ଆସିଥାଏ।

Comments are closed.