ଗଧ ଖୋଜିଥିଲା ୨ ହଜାର ବର୍ଷ ପୁରୁଣା ରହସ୍ୟମୟ ସ୍ଥାନ, ସମସ୍ତେ ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ସାରା ବିଶ୍ବରେ ଅନେକ ରହସ୍ୟ ଭରି ରହିଛି । ଏଥିରୁ କିଛି ରହସ୍ୟ ଏମିତି ରହିଛି ଯାହାକୁ ଆଜି ପର୍ଯ୍ୟନ୍ତ ମନୁଷ୍ୟ ସମାଜ ବୁଝିପାରୁନି । ଆଜି ଆମେ ଆପଣଙ୍କୁ ଏମିତି ଏକ ରହସ୍ୟମୟୀ ଦୁନିଆ ସମ୍ପର୍କରେ ଜଣାଇବୁ ଯାହାର ଖୁଲାସା ଏକ ଗଧ ଯୋଗୁଁ ହୋଇଥିଲା । ହୁଏତ ଏହାକୁ ସହଜରେ ବିଶ୍ବାସ କରିହେବନି କିନ୍ତୁ କୁହାଯାଏ କୋମ୍ ଏଲ୍ ଶୋକାଫାର ରହସ୍ୟ ଏକ ଗଧ ଯୋଗୁଁ ଖୁଲାସା ହୋଇଥିଲା । ୧୯୦୦ ମସିହାରେ ମିଶରର ଅଲେକଞ୍ଜ୍ରେଡିଆରେ ଏକ ଘଟଣା ଘଟିଥିଲା । ସେଠାକାର ଅଧିବାସୀମାନଙ୍କ ଅନୁସାରେ ଦିନେ ରାସ୍ତାରେ ଯାତ୍ରା କରିବା ସମୟରେ ଏକ ଗଧ ଅଚାନକ ଏକ ଖାତରେ ଖସିପଡିଲା । ଗଧର ମାଲିକ ଗଧକୁ ଖାତରୁ କାଢିବା ପାଇଁ ସେହି ସ୍ଥାନର ଖନନ ଆରମ୍ଭ କଲେ ଏବଂ ଏହା ପରେ ସେଠାରେ ଏକ ବଡ ଗର୍ତ୍ତ ନଜର ଆସିଲା ।

କୁହାଯାଏ କି ଗଧର ମାଲିକ ଯେବେ ଏହି ବଡ ଗର୍ତ୍ତ ଦେଖିଲା, ସେ ଡରିଗଲା । କିନ୍ତୁ ସାହସ ଜୁଟାଇ ସେ ତା ଭିତରକୁ ପ୍ରବେଶ କଲା । ଏହା ପରେ ସେ ଯାହା ଦେଖିଲେ ତାଙ୍କ ହୋସ୍ ଉଡିଗଲା । କାରଣ ତା ଭିତରେ ଏକ ଅଲଗା ଦୁନିଆ ନଜର ଆସିଲା । ଏହି ଗର୍ତ୍ତ ଭିତରେ ବଡ କବର ଥିଲା, ଯାହାକୁ କୋମ୍ ଅଲ୍ ଶୋକାଫା କୁହାଯାଏ । ଏହି ବଡ ସନ୍ଧାନ ଏକ ଗଧର ମାଲିକ କରିଥିଲା । ଏହା ପରେ ପ୍ରତ୍ନତତ୍ତ୍ବବିତ ଏସମ୍ପର୍କରେ ଅଧିକ ଖୋଳତାଡ ଆରମ୍ଭ କରିଦେଇଥିଲେ । ପରେ ଜଣାପଡିଲା କି ଏହାକୁ ଦ୍ବିତୀୟ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା ଯାହା କି ଗ୍ରୀକ୍-ରୋମାନ କାଳର ସବୁଠାରୁ ବଡ କବରସ୍ଥାନ ଥିଲା ।

ପ୍ରତ୍ନତତ୍ତ୍ବବିତଙ୍କ ଅନୁସାରେ ପୂର୍ବରୁ ଏଠାରେ କେବଳ ଗୋଟିଏ ହିଁ ପରିବାରର ମୃତକଙ୍କୁ କବର ଦିଆଯାଉଥିଲା । କିନ୍ତୁ ପରେ ଏହି ପରମ୍ପରାରେ ପରିବର୍ତ୍ତନ ଯୋଗୁଁ ଅନ୍ୟ ଲୋକଙ୍କୁ ମଧ୍ୟ ଏଠାରେ କବର ଦିଆଗଲା । ସବୁଠାରୁ ଚକିତ କରିଦେବା ଭଳି କଥା ହେଉଛି କି ଏହି ସ୍ଥାନରେ କବର ଦିଆଯାଉଥିବା ଅନେକ ମୃତଦେହ ଆଜି ବି ସଂରକ୍ଷିତ ଅଛି । ଏହି କବର ଗଧ ଯୋଗୁଁ ସାମ୍ନାକୁ ଆସିଥିଲା । ଆଜି ବି ସ୍ଥାନୀୟ ଲୋକେ ସେହି ଗଧ କଥା କୁହନ୍ତି । କିନ୍ତୁ ପ୍ରତ୍ନତତ୍ତ୍ବ ବିଭାଗର କହିବାନୁସାରେ ଏହାର ସୂଚନା ଏସ-ସୈୟଦ ଅଲୀ ନାମକ ଜଣେ ବ୍ୟକ୍ତି ଦେଇଥିଲେ ।

Comments are closed.