ବିଶ୍ୱପ୍ରସିଦ୍ଧ ଚନ୍ଦନେଶ୍ୱର ଚଡ଼କ ମେଳା: ପାଟପର୍ବରେ ୬ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାବେଶ, ଆଜି ଲାଗି ହେବ ପଣା

ଚନ୍ଦନେଶ୍ୱର : ବାଲେଶ୍ବର ଜିଲା ଭୋଗରାଇ ବ୍ଲକର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ବରରେ ଦୀର୍ଘ ୧୪ ଦିନ ଧରି ଚାଲିଥିବା ଚଡ଼କ ମେଳାର ରବିବାର ଥିଲା ପ୍ରଥମ ଅର୍ଘ୍ୟ। ଭକ୍ତ ଓ ଭଗବାନଙ୍କ ମିଳନ, ଭାଇଚାରାର ଶ୍ରେଷ୍ଠ ନିଦର୍ଶନ, ମେଳାର ଆକର୍ଷଣୀୟ ଅଙ୍ଗ ପାଟପର୍ବ ମହା ଆଡ଼ମ୍ବରରେ ସମ୍ପନ୍ନ ହୋଇଛି। ଶ୍ରୀଜୀଉଙ୍କ ଘଟ ଓ ଦଶଲକ୍ଷୀ ବେଶକୁ ୬ ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ। ମାନସିକଧାରୀ ଭକ୍ତ କଟି ଓ ଜିହ୍ୱାକୁ ଲୌହ ଶାଳାକାରେ ବିଦ୍ଧ କରି ହାକାଣ୍ଡ ପୋଖରୀରୁ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ। ଆଜି ମହାବିଷୁବ ସଂକ୍ରାନ୍ତିରେ ଶ୍ରୀଜୀଉଙ୍କ ନିକଟରେ ପଣାଭୋଗ ଲାଗି ହେବ ବୋଲି ମୌରସୀ ତପନ କୁମାର ପଣ୍ଡା କହିଛନ୍ତି। ବିବରଣୀରୁ ପ୍ରକାଶ, ପାଟପର୍ବ ଅବସରରେ ଜ୍ୟେଷ୍ଠତ୍ବ ଦୃଷ୍ଟିରୁ ପାଟଭକ୍ତ ହରିଶ୍ଚନ୍ଦ୍ର ସାହୁ, ବେକଡ଼ାର ମୁଖ୍ୟ ଶ୍ରୀବେକିଡ଼ି ନିରଞ୍ଜନ ଲେଙ୍କା, ଦେଉଳିଆ ଅଜିତ ପାତ୍ର ପ୍ରମୁଖ ହାକାଣ୍ଡ ପୋଖରୀକୁ ମାର୍ଜନା କରିଥିଲେ। ପରେ ୧୩ ମୁଖ୍ୟ ଭକ୍ତା ଓ ସେବାୟତଙ୍କ ଗହଣରେ ବିଗ୍ରହଙ୍କ ପ୍ରତୀକ ସଜ୍ଜିତ ଘଟକୁ ବାଡ଼ସରିଷା ହାକାଣ୍ଡ ପୋଖରୀ ନିକଟରୁ ମନ୍ଦିର ଅଭିମୁଖେ ଧରି ବାହାରି ଥିଲେ। ଭଜନ, କୀର୍ତ୍ତନ ଓ ନର୍ତ୍ତନ ପୂର୍ବକ ଏହି ଭବ୍ୟ ପଟୁଆର ମନ୍ଦିର ପରିସରରେ ପହଞ୍ଚି ୩ ଥର ପରିକ୍ରମା କରିଥିଲେ। ଭକ୍ତମାନଙ୍କର ଶେଷ ଅର୍ଘ୍ୟ, ଶିବ ଓ ଶକ୍ତି ସ୍ପର୍ଶ ସହିତ ବ୍ରତ ଉଦ୍‌ଯାପିତ ହୋଇଥିଲା। ମହାବିଷୁବ ସଂକ୍ରାନ୍ତିରେ ପଣା ନିବେଦନ, ତହିଁ ପରଦିନ ସ୍ତମ୍ଭୀ କାଷ୍ଠ ବିସର୍ଜନ, ଗର୍ଭଗୃହ ଶୋଧନ, ଦୁର୍ଗାଘଟ ପୁନଃ ସ୍ଥାପନ ଓ ବଳି ପ୍ରଦାନ ପରେ ପର୍ବ ଶେଷ ହେବ ବୋଲି ଜଣାପଡ଼ିଛି। ହେଲେ ମେଳାର ଅସ୍ଥାୟୀ ବିପଣିମାନ ଅକ୍ଷୟ ତୃତୀୟା ଯାଏଁ ଅବ୍ୟାହତ ରହିବ। ଏହି ପାଟ ପର୍ବରେ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ବାଲେଶ୍ୱର ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ, ମୁନିଗୁଡ଼ା ଉପ ଜିଲାପାଳ, ଅତିରିକ୍ତ ଜିଲାପାଳ ସୁଧାକର ନାୟକ, ଜିଲା ପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ, କଂଗ୍ରେସ ନେତା ସତ୍ୟଶିବ ଦାସ, ନିର୍ବାହୀ ଅଧିକାରୀ ସୂର୍ଯ୍ୟ କୁମାର ନାୟକ, ଉପ ମୌରସୀ ବୁଦ୍ଧଦେବ ପଣ୍ଡା, ଜିଲା ପରିଷଦ ସଦସ୍ୟ ଗିରୀଶ ଚନ୍ଦ୍ର ଦତ୍ତ, ସନ୍ତୋଷ କୁମାର ଜେନା, କବିତା ମହାନ୍ତି, ପ୍ରତିମା ଚାନ୍ଦ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର, ସମାଜସେବୀ ଅଭିଜିତ ଦାସ, ଯାଦବେଶ ମିଶ୍ର, ବିଦୁବେନ୍ଦୁ ପାତ୍ର, ରାଜ କୁମାର ଦାସ ପ୍ରମୁଖ ସାମିଲ ଥିଲେ।

Comments are closed.