କେନ୍ଦ୍ରୀୟ ଅନୁଦାନରେ ନିର୍ମାଣ ହେବ ହାତୀ ନଦୀ ଖଣ୍ଡିଡଙ୍ଗରୀଗୁଡା ଘାଟର ପୋଲ : ସାଂସଦ ବସନ୍ତ ପଣ୍ଡା

କଲମପୁର : କଳହାଣ୍ଡି ସାଂସଦ ବସନ୍ତ ପଣ୍ଡା ଗୁରୁବାର କଲମପୁର ବ୍ଲକ ଅଧିନସ୍ଥ ଖଣ୍ଡିଡଙ୍ଗରୀଗୁଡା ଗସ୍ତ କରି ଲୋକମାନଙ୍କର ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ଲାଗି ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରୁଛନ୍ତି। ଗ୍ରାମବାସୀଙ୍କ ତରଫରୁ ଗୌତମ ବିହାରୀ, ଶୁସାନ୍ତ ବିହାରୀ ଓ ନିଳକଣ୍ଠ ସୁନାନୀ ପ୍ରମୁଖ ସାଂସଦଙ୍କୁ ସ୍ୱାଗତ କରିଥିଲେ। ଗତ କିଛି ମାସ ତଳେ ସାଂସଦ ଶ୍ରୀ ପଣ୍ଡାଙ୍କ ନିକଟରେ ଅଂଚଳବାସୀ ହାତୀ ନଦୀର ଖଣ୍ଡିଡଙ୍ଗରୀଗୁଡା ଓ ବଙ୍କାପଲା ଘାଟ ମଧ୍ୟରେ ଏକ ପୋଲ ନିର୍ମାଣ ପାଇଁ ଦାବୀ କରିଥିଲେ। ଏହି ପୋଲ ନିର୍ମାଣ ହେଲେ କୋଟଗାଁ, ମଣ୍ଡଳ ଓ ନୁଆଗାଁ ପଞ୍ଚାୟତ ସମେତ ଜୟପାଟଣା ବ୍ଲକର ରଣମାଲ ପଞ୍ଚାୟତର ୧୦ ହଜାରରୁ ଅଧିକ ଲୋକ ସୁବିଧାର ସହ କଲମପୁର ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ଏବଂ ଜୁନାଗଡ ଓ ଭବାନିପାଟଣା ପାଇଁ ଯାତାୟତର ସୁବିଧା ପାଇ ପାରିବେ। ଏହାସହ ଜୁନାଗଡ ବ୍ଲକ ଅଂଚଳର ବହୁ ଲୋକ ମଧ୍ୟ ସୁବିଧା ପାଇ ପାରିବେ। ଅନ୍ୟପଟେ ଦେପୁର ଏବଂ ଜୁନାଗଡ ବ୍ଲକ ଦାସିଗଗାଁ ପଞ୍ଚାୟତର ସାଧାରଣ ଜନତା ମଧ୍ୟ କୋକସରା ଜୟପାଟଣା ସମେତ ନବରଙ୍ଗପୁର ଓ ଛତିଶଗଡ ରାଜ୍ୟ ପାଇଁ ଗମନା ଗମନ ସୁବିଧା ପାଇ ପାରିବେ।

ସାଂସଦ ଶ୍ରୀ ପଣ୍ଡା ଏହି ପୋଲ ନିର୍ମାଣର ଗୁରୁତ୍ୱ ଦୃଷ୍ଟିରୁ କେନ୍ଦ୍ର ମନ୍ତ୍ରୀ ନିତୀନ ଗଡକରିଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ। ଶ୍ରୀ ଗଡକରି ଏହି ପୋଲ ନିର୍ମାଣ ପାଇଁ  କେନ୍ଦ୍ରୀୟ ସଡ଼କ ଓ ଭିତ୍ତିଭୂମି ପାଣ୍ଠିରୁ ୨୫ କୋଟି ଟଙ୍କାର ଅନୁଦାନ ମଞ୍ଜୁରୀ କରିବା ପାଇଁ ସୂଚନା ଦେଇଛନ୍ତି । ଯେଉଁଥିପାଇଁ ଗୁରୁବାର ସାଂସଦ ଶ୍ରୀ ପଣ୍ଡା ଖଣ୍ଡିଡଙ୍ଗରୀଗୁଡା ଠାରେ ପହଞ୍ଚି ସାଧାରଣ ଜନତାଙ୍କ ତରଫରୁ ମାନ୍ୟବର ମନ୍ତ୍ରୀ ଗଡକରୀ ଏବଂ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆୟୋଜିତ ସଭାରେ ବରିଷ୍ଠ ନେତା ସୁଧିର ରଞ୍ଜନ ପାଟ୍ଟଯୋଷୀ ଙ୍କ ସମେତ କୋଟାଗାଁ ସରପଞ୍ଚ ଚନ୍ଦନ ପଣ୍ଡା, ମଣ୍ଡଳ ସରପଞ୍ଚ ତ୍ରୟମ୍ବକ ଭୋଇ, କୋଟଗାଁ ସମିତି ସଭ୍ୟ ରୁଦ୍ର ମାଝୀ ଓ ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହାରା, ବିଜମରା ମଣ୍ଡଳ ସଭାପତି ଅରୁଣ କୁମାର ପଣ୍ଡା, କଲମପୁର ମଣ୍ଡଳ ସଭାପତି କମଳ ବାଗ, ବରିଷ୍ଠ ନେତା ଘନଶ୍ୟାମ ନାଏକ, ହୃଷିକେଶ ବେହରା ପ୍ରମୁଖ ଉପସ୍ଥିତ ଥିଲେ। ଖଣ୍ଡିଡଙ୍ଗରୀଗୁଡା ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।

Comments are closed.