ଭୋଟ୍‌ ପାଇଁ ଭୋଟରଙ୍କୁ ଖୁସି କରିବାକୁ ପଡ଼ିବ : ମଧ୍ୟପ୍ରଦେଶ ରାଜ୍ୟପାଳ

0

ଭୋପାଳ : କିଭଳି ଭାବେ ନିର୍ବାଚନ ପାଇଁ ଭୋଟ ଆଦାୟ କରିହେବ ସେ ସମ୍ପର୍କରେ ବିଜେପି କର୍ମୀଙ୍କୁ ପରାମର୍ଶ ଦେଇ ବିବାଦରେ ଫସିଛନ୍ତି ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ। ସତ୍‌ନା ଜିଲାର ଚିତ୍ରକୁଟଠାରେ ବିଜେପି କର୍ମୀଙ୍କ ସହିତ ତାଙ୍କର ଏ ସମ୍ପର୍କିତ ଆଲୋଚନାର ଭିଡିଓ ଶୁକ୍ରବାର ରାତିରୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଭିଡିଓ ଦୃଶ୍ୟ ଅନୁଯାୟୀ, ‘ଭୋଟ୍‌ ଏମିତି ସେମିତି ମିଳିବ ନାହିଁ। ଗାଁକୁ ଗାଁ, ଘରକୁ ଘର ଯିବାକୁ ପଡ଼ିବ; ଲୋକଙ୍କ ପାଖରେ ବସିବାକୁ ହେବ ଓ ତାଙ୍କୁ ଖୁସି କରିବାକୁ ପଡ଼ିବ। ଭୋଟରକୁ କିଛି ଦେବାକୁ ପଡ଼ିବ; ତାହା ହେଲେ ଯାଇ ଭୋଟ୍‌ ମିଳିବ’ ବୋଲି ରାଜ୍ୟପାଳ ପଟେଲ କହିଲାବେଳେ ତାଙ୍କ ପାଖରେ ସତ୍‌ନା ମହାନଗର ନିଗମ ମେୟର ମମତା ପାଣ୍ଡେ ଓ ଅନ୍ୟ ଦଳୀୟ କର୍ମୀମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଅନାଥ ପିଲାମାନଙ୍କ ଥଇଥାନ ପ୍ରସଙ୍ଗରେ ସେ ଏହା କହିଥାଇପାରନ୍ତି ବୋଲି ଅନେକ ମତ ଦେଉଛନ୍ତି; କାରଣ ରାଜ୍ୟପାଳ କହୁଛନ୍ତି କି ତୁମେ ସେତିକିବେଳେ ଭୋଟ୍‌ ପାଇବ ଯେତେବେଳେ ଜଣେ ଅନାଥ ତଥା ନିହାତି ଆବଶ୍ୟକ ଶିଶୁକୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିବ, ସେମାନଙ୍କ ଉତ୍ଥାନ ପାଇଁ ଏକ ଅଭିଯାନ ଚଳାଇବ ଓ ଏଥିରେ ଅନ୍ୟମାନଙ୍କୁ ସାମିଲ କରିବ। ଏହା ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇଙ୍କ ୨୦୨୨ର ସ୍ୱପ୍ନ ପୂରଣ ହେବ। ‘ତୁମମାନଙ୍କର ଭୋଟ ଦରକାର ହୋଇ ନ ପାରେ କିନ୍ତୁ ଆମ ପାଇଁ ଅପରିହାର୍ଯ୍ୟ’ ବୋଲି ଆନନ୍ଦିବେନ୍‌ କହୁଥିବା ଭିଡିଓରେ ଶୁଣାଯାଉଛି।
କଂଗ୍ରେସ ମୁଖପାତ୍ର କେ.କେ ମିଶ୍ର ଟ୍ୱିଟ୍‌ କରି କହିଛନ୍ତି ଯେ ‘ଲୋକ-ରାଜ ସବ୍‌ ଚୋର୍‌ କର ହେଁ, ସମ୍ବିଧାନ ପର୍‌ ଚୋଟ୍‌, ରାଜ୍ୟପାଲ ଭି ମାଙ୍ଗ୍‌ ରହି ହେଁ, ମୋଦି କେ ଲିୟେ ଭୋଟ୍‌’। ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ରାଜ୍ୟପାଳ ନିଜର ସାମ୍ବିଧାନିକ ପଦମର୍ଯ୍ୟାଦାର ଅପବ୍ୟବହାର କରି ବିଜେପି ଓ ମୋଦିଙ୍କ ସପକ୍ଷରେ ଭୋଟ ମାଗୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ରାଷ୍ଟ୍ରପତି ରାଜ୍ୟପାଳଙ୍କର ଏଭଳି ଦଳୀୟ କାର୍ଯ୍ୟପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି। ଏହି ପ୍ରସଙ୍ଗ ନେଇ କଂଗ୍ରେସ ରାଷ୍ଟ୍ରପତିଙ୍କୁ ଆପତ୍ତି ଜଣାଇବ ବୋଲି ସେ କହିଛନ୍ତି।

Leave A Reply