ମୋହନା: ଗଜପତି ଜିଲ୍ଲାର ମୋହନା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏହି ବ୍ଲକରେ ଅବସ୍ଥିତ ବହୁ ଉପାନ୍ତ ଅଞ୍ଚଳରେ ଏବେ ବି ମୌଳିକ ସୁବିଧା ଅପହଞ୍ଚ। ଗ୍ରୀଷ୍ମ ଦିନ ଆସିଲେ ବହୁ ଗ୍ରାମରେ ଦେଖାଯାଏ ଜଳ ସଙ୍କଟ। ମୁନ୍ଦାଏ ପାନୀୟ ଜଳ ପାଇବା ପାଇଁ ଲୋକେ ଡହଳ ବିକଳ। ତେବେ ‘ସମାଜ’ରେ ଖବର ପ୍ରକାଶ ହେବା ପରେ ଏବେ ଗାଁରେ ଖନନ କରାଯାଇଛି ଏକ ନଳକୂପ। ଏଭଳି ଏକ ଗ୍ରାମ ହେଉଛି ମୋହନା ବ୍ଲକ ଅନ୍ତର୍ଗତ କର୍ଚ୍ଚବାଡ଼ି ପଞ୍ଚାୟତ ଅଧିନ ଲୁଣ୍ଡୁଦୁଆ ଗାଁରେ।
ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟଠାରୁ ମାତ୍ର ୪କିମି ଦୂରରେ ଏହି ଗ୍ରାମ ଅବସ୍ଥିତ। ଏହି ଗାଁରେ ୧୦ଟି ପରିବାରର ପ୍ରାୟ ୪୦ ଜଣ ଲୋକ ବସବାସ କରନ୍ତି। ପରିବାରର ମୁରବୀମାନେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିବା ବେଳେ ସେମାନେ ରୋଜଗାର କରି ପଠାଉଥିବା ଅର୍ଥରେ ପରିବାର ଚ଼ଳେ। ଏଠାକାର ଲୋକେ ପାନୀୟ ଜଳ ଅଭାବରୁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଗାଁରେ ନଳକୂପ କି କୂଅ ଆଦୌ ନାହିଁ। ଗାଁଠାରୁ ୧ କିମି ଦୂରରେ ବହିଯାଉଥିବା ନଦୀର ଦୂଷିତ ପାଣିକୁ ଆଣି ପାନୀୟ ଜଳ ଭାବେ ବ୍ୟବହାର କରିବାକୁ ଲୋକେ ବାଧ୍ୟ ହେଉଛନ୍ତି। ପାହାଡିଆ ଓ ପଥର ରାସ୍ତା ଦେଇ ନଦୀକୁ ଯିବାକୁ ପଡ଼େ । ନଦୀର ଦୂଷିତ ଜଳ ପିଇ ଲୋକେ ବିଭିନ୍ନ ସମୟରେ ପେଟ ଜନିତ ରୋଗର ଶୀକାର ହେଉଥିବା କହିଛନ୍ତି। ଦୀର୍ଘ ବର୍ଷ ହେଲା ପାନୀୟ ଜଳ ଯୋଗାଇ ଦେବାକୁ ଗ୍ରାମବାସୀ ବିଡିଓ, ସରପଞ୍ଚ, ସମିତି ସଭ୍ୟଙ୍କୁ ଲିଖିତ ଓ ମୌଖିକ ଭାବେ ଅଭିଯୋଗ କରି ଆସୁଥୁଲେ ମଧ୍ୟ ସୁଫଳ ମିଳୁନଥିବା ଗ୍ରାମର ରୀନା ନାୟକ, ରୁନି ସିଂ, ମମତା ମଳିକ,ଭାବୁ ନାୟକ, ସୁକୁମାରୀ ମଳିକ, ସଙ୍ଗୀତା ନାୟକ, ସୁମିତ୍ରା ନାୟକ, ରଶ୍ମିତା ମଳିକ, ଗୋପବନ୍ଧୁ ମଳିକ ଅଭିଯୋଗ କରିଥିଲେ। ‘ସମାଜ’ ପୋର୍ଟାଲ ଓ ଖବରକାଗଜରେ ଏହି ଖବର ପ୍ରକାଶନ ପରେ ଶୁକ୍ରବାର ଦିନ ଗ୍ରାମ ଜଳ ଯୋଗାଣ ଓ ପରିମଳ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦ୍ମନାଭ ଖଣ୍ଡାଇ ଓ କର୍ମଚାରୀଙ୍କ ଉପସ୍ଥିତିରେ ଲୁଣ୍ଡୁଦୁଆ ଗ୍ରାମରେ ଜଳକଷ୍ଟକୁ ଦୂର କରିବା ପାଇଁ ଏକ ନଳକୂପ ଖନନ କରାଯାଇଛି। ଯାହାଫଳରେ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି।



