ହୋଷ୍ଟନ, ଆମେରିକା ମହାକାଶ ଅଭିଯାନର କେନ୍ଦ୍ରସ୍ଥଳୀ। ସୀମାହୀନ ଅନନ୍ତ ଆକାଶକୁ ଭେଦକରି ମହାକାଶରେ ଥିବା ରହସ୍ୟପୁରୀର ସନ୍ଧାନର ଯାତ୍ରା ଆରମ୍ଭ ହୁଏ ଏଇଠୁ। ସାରା ପୃଥିବୀର ଆକର୍ଷଣର କେନ୍ଦ୍ର। ଏଇଠି ମଧ୍ୟ ରହନ୍ତି ପ୍ରାୟ ଦେଢ଼ଲକ୍ଷ ଭାରତୀୟ। କେବେ ହୁଏତ ଏମାନେ ଆସିଥିଲେ ନିଜ ଭାଗ୍ୟ ଓ ଭବିତବ୍ୟର ସନ୍ଧାନରେ ! ଏବେ ଏମାନେ ପ୍ରବାସୀ ସତ, କିନ୍ତୁ ହୃଦୟ ଓ ଆତ୍ମାରେ ଭାରତୀୟ। ଗତବର୍ଷ ସେପ୍ଟେମ୍ବର ଊଣେଇଶରେ ଆସିଲେ ଆଉ ଜଣେ ବିଶିଷ୍ଟ ଭାରତୀୟ। ନରେନ୍ଦ୍ରଭାଇ ଦାମୋଦର ଦାସ ମୋଦୀ। ଭାରତବର୍ଷର ପ୍ରଧାନମନ୍ତ୍ରୀ। ଏକ ଭବ୍ୟ ସମ୍ବର୍ଦ୍ଧନାର ପ୍ରତୀକ୍ଷାରେ ଥିଲା ହୋଷ୍ଟନର ଏନ୍ଆର୍ବି ଫୁଟବଲ ଷ୍ଟାଡିୟମ୍। ମୋଦୀ ଆଗରୁ ଥିଲେ ଗୁଜରାଟର ମୁଖ୍ୟମନ୍ତ୍ରୀ। ଗୁଜରାଟର ଏକ ଦଙ୍ଗା ଲାଗି ତାଙ୍କୁ ଆମେରିକା ସରକାର ଦେଶ ପ୍ରବେଶ ପାଇଁ ବାରଣ କରିଥିଲେ। ସମଗ୍ର ପୃଥିବୀରେ ସେ ହେଉଛନ୍ତି ଏ ପର୍ଯ୍ୟନ୍ତ ଏକମାତ୍ର ପ୍ରମୁଖ ରାଜନୈତିକ ବ୍ୟକ୍ତି ଯାହାଙ୍କ ଉପରେ ଏ ପ୍ରତିବନ୍ଧକ ଲଗାଯାଇଥିଲା। ସେପ୍ଟେମ୍ବରର ସନ୍ଧ୍ୟା ଥିଲା ରୂପକଥା ପରି ମାୟାମୟ। ଭାରତୀୟମାନଙ୍କ ଭିତରେ ଥିଲା ଏକ ଆବେଗପ୍ରବଣ ଉଚ୍ଛ୍ବାସ। ଦେଶାତ୍ମବୋଧକ ସଙ୍ଗୀତର ତାଳେତାଳେ ବିଭୋର ପଚାଶ ହଜାର ଭାରତୀୟ, ଏକ ନୂଆ ଆଶା ଓ ସମ୍ଭାବନାର ଜୁଆରରେ। ଅତୀତର ସବୁ ସ୍ମୃତିକୁ ଫିଙ୍ଗିଦେଇ ଉତ୍ତରଳ ହେବା ପାଇଁ ଏଠାରେ ଥିଲା ଏକ ଆହ୍ବାନ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଖୁସି ଥିଲେ। ଟ୍ରମ୍ପଙ୍କର ସ୍ନେହଉଷ୍ଣ ସାନ୍ନିଧ୍ୟ ତାଙ୍କୁ ବେଶ୍ ଆମୋଦିତ କରୁଥିଲା। ଭାଷଣରେ ସ୍ପଷ୍ଟ ବାରି ହେଉଥିଲା ତାଙ୍କର ଚିରାଚରିତ ବର୍ଣ୍ଣାଢ଼୍ୟ ପ୍ରଗଳଭତା।
ଦ୍ବିତୀୟ ବିଶ୍ବଯୁଦ୍ଧ କାହିଁକି, ଭାରତର ସ୍ବାଧୀନତା ସଂଗ୍ରାମଠାରୁ ଇତିହାସର ବହୁ ଛନ୍ଦପତନ ଭିତରେ ଗଢ଼ି ଉଠିଛି ଭାରତ ସହ ଆମେରିକାର ସମ୍ପର୍କ। ଆମର ସ୍ବାଧୀନତା ପ୍ରାପ୍ତି ପରେ ବିଶ୍ବର ଦୁଇଟି ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭିତରେ ଏ ସମ୍ପର୍କ, ଗଣତନ୍ତ୍ର (ଡେମୋକ୍ରାସି) ମାନବ ଅଧିକାର (ହ୍ୟୁମାନ ରାଇଟସ୍) ଉପରେ ମୁଖ୍ୟତଃ ଆଧାରିତ। ରାଜନୀତିର ଊର୍ଦ୍ଧ୍ବରେ ଆମେରିକାର ଦୁଇ ବୃହତ୍ ଦଳ ଡେମୋକ୍ରାଟ୍ସ ଓ ରିପବ୍ଲିକାନ୍, ଭାରତକୁ ଓ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସବୁବେଳେ ସମ୍ମାନ ଦିଅନ୍ତି, କିନ୍ତୁ ହୋଷ୍ଟନରେ ଆୟୋଜିତ ‘ହାଓଡି ମୋଦୀ’ ଇଭେଣ୍ଟରେ ଥିଲା ଏକ ବଡ଼ ବ୍ୟତିକ୍ରମ। ସେଠାରେ ଉପସ୍ଥିତ ଥିବା ଦୁଇ ଡଜନ୍ ଆମେରିକୀୟ ସାଂସଦଙ୍କ ଭିତରୁ ଡେମୋକ୍ରାଟିକ୍ ଦଳରୁ ମାତ୍ର ଥିଲେ ତିନିଜଣ। ଅନ୍ୟମାନେ ଏହାକୁ ବର୍ଜନ କରିଥିଲେ। ଏହାଠାରୁ ଆହୁରି ଉଲ୍ଲେଖନୀୟ ଘଟଣା ଥିଲା ଭାରତୀୟ ବଂଶୋଦ୍ଭବ ପାଞ୍ଚଜଣ ସାଂସଦଙ୍କ ଭିତରୁ ଉପସ୍ଥିତ ଥିଲେ ମାତ୍ର ଜଣେ। ଏଇ ଆଖିଦୃଶିଆ ମହାନାଟକର ଅନ୍ତରାଳରେ ଯେଉଁ ବିଷୟଟି ଜନମାନସକୁ ବେଶି ଆନ୍ଦୋଳିତ କରୁଥିଲା, ତାହା ଥିଲା କାଶ୍ମୀର। ଏ ବିଷୟଟି ଏଭଳି ଏକ ବିୟୋଗାତ୍ମକ ଆଣ୍ଟିକ୍ଲାଇମେକ୍ସ ମୋଡ଼ ନେଇଥିଲା ଯେ ପ୍ରଧାନମନ୍ତ୍ରୀ ଭାରତ ଫେରି ଆସିବା ପରେପରେ ଆମେରିକା କଂଗ୍ରେସରେ କାଶ୍ମୀରରୁ ପ୍ରତିବନ୍ଧକ ଉଠେଇବା ପାଇଁ ଏକ ପ୍ରସ୍ତାବ ଆଗତ ହୋଇଥିଲା, ଯାହାର ପ୍ରସ୍ତାବକ ଥିଲେ ଚଉବନ ବର୍ଷ ବୟସ୍କା ଭାରତୀୟ ବଂଶୋଦ୍ଭବ ପ୍ରମିଳା ଜୟଶାଲ ଓ ଏହାର ସମର୍ଥକ ଥିଲେ ଅଣତିରିଶ ଜଣ ସାଂସଦ। ଏମାନଙ୍କ ଭିତରୁ ଅନେକ ‘ହାଓଡି ମୋଦୀ’ ଇଭେଣ୍ଟରେ ମଧ୍ୟ ଉପସ୍ଥିତ ଥିଲେ। ଆମେରିକାନ୍ମାନେ ବାସ୍ତବବାଦୀ, କିନ୍ତୁ ଭାରତୀୟମାନେ ସ୍ବଭାବତଃ ଆବେଗପ୍ରବଣ। ଭାରତୀୟମାନେ ଅନେକ ସମୟରେ ବାସ୍ତବତାର ବଳୟ ଭାଙ୍ଗି ସ୍ବପ୍ନର ଶିଡ଼ି ଚଢ଼ନ୍ତି; ହୁଏତ ଟିକିଏ ସ୍ବପ୍ନଭୋଳା ! ଆମେରିକା ଏଭଳି ଏକ ଦେଶ, ଯିଏ ଇଂଲଣ୍ଡ ଭଳି ନିଜ ସ୍ବାର୍ଥକୁ ହିଁ ବୁଝେ, ଆଉ କିଛି ନୁହେଁ। ଏଇ ପ୍ରସଙ୍ଗରେ ଇଂଲଣ୍ଡର ଏକଦା ପ୍ରଧାନମନ୍ତ୍ରୀ ଥିବା ପାଲ୍ମର୍ଷ୍ଟୋନଙ୍କ ଏକ ଉକ୍ତି ମନେପଡ଼େ- ‘ଇଂଲଣ୍ଡ ହାଜ୍ ନୋ ପରମାନେଣ୍ଟ ଫ୍ରେଣ୍ଡସ୍, ହାଜ୍ ନୋ ପରମାନେଣ୍ଟ ଏନିମିଜ୍; ହାଜ୍ ଓନ୍ଲି ପରମାନେଣ୍ଟ ଇଣ୍ଟରେଷ୍ଟ।’
ଏଇ କାଶ୍ମୀର ସମସ୍ୟା ବ୍ରିଟେନ୍ ପାର୍ଲିଆମେଣ୍ଟାରୀ ଡିବେଟ୍ରେ ମଧ୍ୟ ସ୍ଥାନ ପାଇଥିଲା। ଉଭୟେ କନ୍ଜରଭେଟିଭ୍ ଓ ଲେବର ପାର୍ଟି ତାଙ୍କର ନିକଟରେ ସମାପ୍ତ ହୋଇଥିବା ସଂଘର୍ଷପୂର୍ଣ୍ଣ ନିର୍ବାଚନରେ ଏହାକୁ ଏକ ଉତ୍ତପ୍ତ ପ୍ରସଙ୍ଗ କରି ରଖିଥିଲେ। କେବଳ ଏତିକି ନୁହେଁ, ପଡ଼ୋଶୀ ବାଂଲାଦେଶ ଭାରତବର୍ଷର ଏକ ବନ୍ଧୁରାଷ୍ଟ୍ର। ଇସ୍ଲାମିକ୍ ରାଷ୍ଟ୍ର ସମୂହଙ୍କ ଭିତରେ ଭାରତ ବର୍ଷର ଭୂମିକାକୁ ବାଂଲାଦେଶ ସବୁବେଳେ ଦୃଢ଼ ସମର୍ଥନ ଯୋଗାଇଥାଏ, କିନ୍ତୁ ନୂତନ ଭାବରେ ପାରିତ ହୋଇଥିବା ନାଗରିକତ୍ବ ସଂଶୋଧନ ଆଇନ୍(ସିଏଏ)ରେ ବାଂଲାଦେଶକୁ ମଧ୍ୟ ଆଫଗାନିସ୍ତାନ ଓ ପାକିସ୍ତାନ ସହ ସାମିଲ କରିଦିଆଯାଇଛି। ଏଥିରେ ବନ୍ଧୁରାଷ୍ଟ୍ର ବାଂଲାଦେଶ ଦୁଃଖିତ ଓ କ୍ଷୁବ୍ଧ। ଏଇବର୍ଷ ଏପ୍ରିଲ୍ ମାସରେ ଇସ୍ଲାମିକ ରାଷ୍ଟ୍ର ସମୂହଙ୍କର ଇସଲାମାବାଦରେ ଏକ ବିଶେଷ ଅଧିବେଶନ ଆହୂତ ହେବାକୁ ଯାଉଛି, ଯେଉଁଠାରେ କାଶ୍ମୀର ଓ ସିଏଏ ସମ୍ପର୍କରେ ଆଲୋଚନା ହେବ। ଏଠାରେ ବାଂଲାଦେଶ ପୂର୍ବଭଳି ଭାରତ ସପକ୍ଷରେ କେତେଦୂର ଠିଆ ହେବ ତାହା ଏବେ ସନ୍ଦେହର ଘେରରେ। ଏହା ଭିତରେ ବାଂଲାଦେଶର ଘରୋଇ ମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ତାଙ୍କ ଭାରତ ଗସ୍ତ ବାତିଲ କରିଦେଇଛନ୍ତି ଓ ଅନୁରୂପ ଭାବରେ ଜାପାନ ପ୍ରଧାନମନ୍ତ୍ରୀ ସିନ୍ଜୋଆବେ ମଧ୍ୟ ତାଙ୍କର ଭାରତ ଗସ୍ତ ବାତିଲ କରିଛନ୍ତି।
ଏଇ ନିକଟରେ ଟ୍ରମ୍ପ ତାଙ୍କର ଗସ୍ତ ସାରି ଫେରିଗଲେ। ଭାରତବର୍ଷରେ ଏକ ରକ୍ଷ୍ଟାର ଭଳି ଭବ୍ୟ ସମ୍ବର୍ଦ୍ଧନା ଓ ପ୍ରାୟୋଜିତ ଉଦାର ଆତିଥ୍ୟରେ ବାହାରକୁ ଜଣାପଡୁଥିଲେ ସେ ମୁଗ୍ଧ। ଟ୍ରମ୍ପ ଏଭଳି ଏକ ବ୍ୟକ୍ତିତ୍ବ ଯାହାଙ୍କର ନିଜ ସମ୍ପର୍କରେ ନିଜର ଧାରଣା କାଳ୍ପନିକ ଓ ସ୍ଫୀତିକୃତ- ଗ୍ରୀକ୍ ଉପକଥାର ନାର୍ସିସସ୍ ପରି।
ପ୍ରାୟ ଶହେ କୋଟି ଟଙ୍କାର ଏକ ବ୍ୟୟବହୁଳ ରାଜକୀୟ ସମ୍ବର୍ଦ୍ଧନା। ପ୍ରତି ବଦଳରେ ଭାରତ ସହ ପ୍ରତିରକ୍ଷା ନାଁରେ ଏକ ବିପୁଳ ଅର୍ଥର ବ୍ୟବସାୟିକ ଚୁକ୍ତି ସମ୍ପାଦନ କରି ଟ୍ରମ୍ପ ଏକ ସୌଦାଗରୀ ସଫଳତା ହାସଲ କଲେ। ଏହାହିଁ ମୋଟାମୋଟି ଭାବରେ ଏହାର ନିଷ୍କର୍ଷ। ଅବଶ୍ୟ ସେ କାଶ୍ମୀର କିମ୍ବା ନାଗରିକତା ପ୍ରସଙ୍ଗ ଉଠେଇଲେ ନାହିଁ, କିନ୍ତୁ ପ୍ରତ୍ୟାବର୍ତ୍ତନ ସମୟରେ କାଶ୍ମୀର ବ୍ୟାପାରରେ ପୁଣି ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ବୋଲି କହି ଭାରତର କୂଟନୈତିକ ଗଣିତକୁ ଓଲଟପାଲଟ କରିଦେଲେ। ଟ୍ରମ୍ପଙ୍କ ଯାତ୍ରା ଥିଲା ଏକ ରାଜକୀୟ ଯାତ୍ରା। ଅହମ୍ମଦାବାଦ ଲାଗୁଥିଲା ସତେ ଯେପରି ଏକ ନୂତନ ସ୍ବପ୍ନପୁରୀର ବର୍ଣ୍ଣାଢ଼୍ୟ ପ୍ରବେଶ ଦ୍ବାର। ଭାରତୀୟ ଦାରିଦ୍ର୍ୟକୁ ଲୁଚେଇବା ପାଇଁ ରାସ୍ତାର ଦୁଇପାର୍ଶ୍ବରେ ଗଢ଼ା ହୋଇଥିଲା ପ୍ରାଚୀର, କିନ୍ତୁ ପ୍ରାଚୀର ଆରପଟେ ଭାରତୀୟ ଦାରିଦ୍ର୍ୟର ମୌନ ବିଷଣ୍ଣ ମୂର୍ତ୍ତି ଶତ ବ୍ୟଗ୍ରବାହୁ ମେଲି ଉପରକୁ ଉଠିବାକୁ ଚେଷ୍ଟା କରୁଥିଲା।
ଏବେବି କାଶ୍ମୀର ଏକ ସ୍ପର୍ଶକାତର ପ୍ରସଙ୍ଗ। ନିଶ୍ଚିତ ଭାବରେ ସମ୍ବିଧାନର ୩୭୦ଧାରା ଉଚ୍ଛେଦ ଏକ ସାହସିକ ପଦକ୍ଷେପ, କିନ୍ତୁ ଏବେବି କାଶ୍ମୀର ରହିଛି ଅବୁଝା। ଭାରତ ସରକାରଙ୍କ ଆଖିବୁଜା ବିପୁଳ ସାହାଯ୍ୟ ସତ୍ତ୍ବେ କାହଁିକି ଯେ କାଶ୍ମୀରବାସୀ ଭାରତକୁ ବିଶ୍ବାସକୁ ନେଉନାହାନ୍ତି, ବୁଝାଯାଏନା। କୁହାଯାଏ କାଶ୍ମୀରବାସୀଙ୍କର ଜୀବନଧାରଣର ମାନ ଦେଶର ଅନ୍ୟାନ୍ୟ ଅଞ୍ଚଳଠାରୁ ଉନ୍ନତ।
ଏଇ ପ୍ରସଙ୍ଗରେ ମନେପଡ଼େ ନେପୋଲିୟନ୍ ବୋନାପାର୍ଟଙ୍କ କଥା। ପରାଜିତ ନେପୋଲିୟନ୍ ଆଟ୍ଲାଣ୍ଟିକ୍ ମହାସାଗରସ୍ଥିତ ଏକ କ୍ଷୁଦ୍ର ଦ୍ବୀପ ସେଣ୍ଟହେଲେନାର ବନ୍ଦୀ ହୋଇଛନ୍ତି। ଦୁରାରୋଗ୍ୟ କ୍ୟାନସର ରୋଗରେ ପୀଡ଼ିତ। କାଟୁଛନ୍ତି ଏକ ନିର୍ବାସିତ ଜୀବନ। ତାଙ୍କ ଦାୟିତ୍ବରେ ଥିବା ଇଂରେଜ ଅଫିସର ହଡସନ୍ ଥରେ ତାଙ୍କୁ ଏକାନ୍ତରେ ପଚାରିଲେ- ‘‘ସାର୍ ! ଫରାସୀ ବିପ୍ଳବରୁ ହିଁ ଆପଣଙ୍କର ରାଜନୈତିକ ଜୀବନର ଅଭ୍ୟୁଦୟ। କହିପାରିବେ କି ସତରେ କ’ଣ ଏ ବିପ୍ଳବର କାରଣ ଥିଲା, ବୋର୍ବନ୍ ରାଜତନ୍ତ୍ର ବିରୋଧରେ ଲୋକଙ୍କର ଲିବର୍ଟି, ଇକ୍ବାଲିଟି ଓ ଫ୍ରାଟରନିଟି ପାଇଁ ଦାବି।’’ ରୋଗାକ୍ରାନ୍ତ ନେପୋଲିୟନ୍ ତାଙ୍କୁ ମୁଣ୍ଡ ଟେକି ଚାହିଁଲେ। କହିଲେ, ‘‘ନା, କାରଣ ଥିଲା ଭ୍ୟାନିଟି (ଆତ୍ମସମ୍ମାନ)।’’ ବାସ୍ତବରେ ତତ୍କାଳୀନ ଫ୍ରାନ୍ସର ଲୋକଙ୍କର ଜୀବନଧାରଣର ମାନ ଥିଲା ୟୁରୋପର ଅଧିକାଂଶ ଦେଶଠାରୁ ଅପେକ୍ଷାକୃତ ଉନ୍ନତ। କାଶ୍ମୀର କ୍ଷେତ୍ରରେ ଏହାହିଁ କ’ଣ ଘଟୁଛି !
ଏତେ ବର୍ଷ ଧରି ସାରା ବିଶ୍ବରେ ଏକ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଏକ ଧର୍ମନିରପେକ୍ଷ ମୂଲ୍ୟବୋଧକୁ ନେଇ ଗଢ଼ା ହୋଇଆସିଛି ଆମ ଦେଶର ଭାବପ୍ରତିମା। ଏହାହିଁ ଦେଶର କୂଟନୈତିକ ପୁଞ୍ଜି। ଏଇଥିରୁ ହିଁ ସୃଷ୍ଟି ହୁଏ ଦେଶର ଅର୍ଥନୈତିକ ସାମର୍ଥ୍ୟ ଓ ଭୌଗୋଳିକ, ରାଜନୈତିକ ସାମର୍ଥ୍ୟ। ଏକ ତଥାକଥିତ ସ୍ବପ୍ନ, ମିଥ୍ୟା ଆଦର୍ଶ ଓ ଭ୍ରାନ୍ତି ବିଳାସ ଭିତରେ ଆମେ ତାକୁ ହରେଇ ବସୁଛୁ। କିଏ ଭରି ପାରିବ ଏ କ୍ଷତିର ଖତିଆନ୍।
ହେମେନ୍ଦ୍ରନାରାୟଣ ଦାସ
dr.hemendra.das@gmail.com



