ମୋଦୀ, ଶାହାଙ୍କୁ ସିବିଆଇ ଗିରଫ କରିବାକୁ ଚାହୁଁଥିଲା

0

ଅହମ୍ମଦାବାଦ : ଇସରତ ଜାହାନ ମିଥ୍ୟା ଏନ୍‍କାଉଣ୍ଟର ମାମଲାରେ ଗୁଜରାଟର ପୂର୍ବତନ ଉପପୁଲିସ ମହାନିର୍ଦେଶକ ଡି. ଜି. ବଞ୍ଜାରାଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରାଯାଇଛି। ଏହି ମାମଲାରେ ସିବିଆଇ ଗୁଜରାଟର ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହାଙ୍କୁ ଗିରଫ କରିବାକୁ ଚାହୁଁଥିଲା, ମାତ୍ର ସେଭଳି କିଛି ଘଟିଲା ନାହିଁ ବୋଲି ବଞ୍ଜାରାଙ୍କୁ ମୁକ୍ତ କରିବା ଲାଗି ହୋଇଥିବା ଆବେଦନର ଶୁଣାଣି ବେଳେ ତାଙ୍କ ଓକିଲ ମଙ୍ଗଳବାର ସ୍ଥାନୀୟ ଏକ ସ୍ୱତନ୍ତ୍ର କୋର୍ଟରେ କହିଛନ୍ତି। ବଞ୍ଜାରାଙ୍କ ବିରୋଧରେ ଭରସା ଯୋଗ୍ୟ ପ୍ରମାଣ ନ ଥିବା ସେ ଯୁକ୍ତି ବାଢିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୋଦୀଙ୍କୁ ତଦନ୍ତକାରୀ ଅଧିକାରୀମାନେ ଗୁପ୍ତରେ ଜେରା କରିଥିଲେ ବୋଲି ପୂର୍ବରୁ ବଞ୍ଜାରା କୋର୍ଟରେ କହିଥିଲେ। ଏହି ମାମଲାରେ ଉପଯୁକ୍ତ ପ୍ରମାଣ ଅଭାବରୁ ସିବିଆଇ ଶାହାଙ୍କୁ ୨୦୧୪ରେ କ୍ଲିନ୍‍ଚିଟ୍‍ ପ୍ରଦାନ କରିଥିଲା। ବଞ୍ଜାରା ମଧ୍ୟ ବେଲ୍‍ରେ ମୁକୁଳିଛନ୍ତ; କିନ୍ତୁ ତାଙ୍କୁ ମାମଲାରୁ ମୁକ୍ତ କରାଯିବା ନେଇ ହୋଇଥିବା ଆବେଦନକୁ ସିବିଆଇ ବିରୋଧ କରୁଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍‍ ୧୫ରେ ହେବ। ୨୦୦୪ ଜୁନ୍‍ରେ ୧୯ ବର୍ଷ ବୟସ୍କ ଇସରତ୍‍ ଜାହାନ ଓ ତାଙ୍କ ବନ୍ଧୁ ଜାଭେଦ୍‍ ଓରଫ ପ୍ରଣେଶ ଏବଂ ୨ ପାକିସ୍ତାନୀ ନାଗରିକ ଜୀଶାନ ଜୋହର ଓ ଅମଜାଦ ଅଲ୍ଲୀ ରାଣାଙ୍କୁ ବଞ୍ଜାରାଙ୍କ ନେତୃତ୍ୱରେ ପୁଲିସ ଦଳ ଅହମ୍ମଦାବାଦ ଉପକଣ୍ଠରେ ଗୁଳି କରିଥିଲେ। ଇସରତ ଏବଂ ତାଙ୍କ ବନ୍ଧୁଙ୍କୁ ଆତଙ୍କବାଦୀ ବୋଲି ପୁଲିସ ଦର୍ଶାଇଥିଲା। ସେମାନେ ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ମୋଦୀଙ୍କୁ ହତ୍ୟା କରିବାକୁ ଆସିଥିଲେ ବୋଲି କୁହାଯାଇଥିଲା। ମାତ୍ର ଇସରତ୍‍ ଏବଂ ତାଙ୍କ ବନ୍ଧୁଙ୍କୁ ମିଥ୍ୟା ଏନ୍‍କାଉଣ୍ଟର କରାଯାଇଥିବା ପରେ ସିବିଆଇ ତଦନ୍ତରୁ ସ୍ପଷ୍ଟ ହୋଇଥିଲା।

Leave A Reply