ସହାବସ୍ଥାନ ଓ ସହଯୋଗ ଭାରତର ମୂଳ ନୀତି: ନରେନ୍ଦ୍ର ମୋଦି

0

କ୍ୱିଙ୍ଗଡୋ: ପଡ଼ୋଶୀ ରାଷ୍ଟ୍ର ସହିତ ସହାବସ୍ଥାନକୁ ଭାରତ ସବୁବେଳେ ଅଗ୍ରାଧିକାର ଦେଇ ଆସିଛି। ସାଂଘାଇ ସହଯୋଗ ସଂଗଠନ(ଏସ୍‍ସିଓ)କୁ ସହଯୋଗ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ। ଚୀନ୍‍ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପରୋକ୍ତ ମତ ଦେଇଛନ୍ତି।
ଏସ୍‍ସିଓ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଇଂରାଜୀ ଶବ୍ଦ ‘ସିକ୍ୟୁର’(ନିରାପଦ) ଉପରେ ଗୁରୁତ୍ୱାରୋପ କରିବା ସହିତ ଏହି ଶବ୍ଦର ବିଶ୍ଲେଷଣ କରିଥିଲେ। ‘ଏସ୍‍’ – ସିକ୍ୟୁରିଟିି ଫର ସିଟିଜେନ୍‍(ନାଗରିକଙ୍କ ସୁରକ୍ଷା), ‘ଇ’- ଇକୋନୋମିକ୍‍ ଡେଭେଲପ୍‍ମେଣ୍ଟ(ଅର୍ଥନୈତିକ ବିକାଶ), ‘ସି’- କନେକ୍ଟିଭିଟି ଇନ୍‍ ଦି ରିଜନ୍‍(ଆଞ୍ଚଳିକ ସଂଯୋଗ), ‘ୟୁ’ – ୟୁନିଟି(ଏକତା), ‘ଆର’- ରେସପେକ୍ଟ ଅଫ୍‍ ସୋଭେରେନ୍‍ଟି ଆଣ୍ଡ ଇଣ୍ଟିଗ୍ରିଟି(ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ସମ୍ମାନ), ‘ଇ’- ଏନ୍‍ଭାର୍ୟନମେଣ୍ଟ ପ୍ରୋଟେକ୍‍ସନ୍‍(ପରିବେଶ ସୁରକ୍ଷା)। ତେଣୁ ଏହି ସବୁ କ୍ଷେତ୍ର ପ୍ରତି ଦୃଷ୍ଟି ଦେଲେ ସାମୂହିକ କଲ୍ୟାଣ ଓ ବିକାଶ ସାଧନ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି।
ଏସ୍‍ସିଓର ସଦସ୍ୟ ରାଷ୍ଟ୍ରର ପର୍ଯ୍ୟଟକଙ୍କୁ ଭାରତ ଆକୃଷ୍ଟ କରିବା ପାଇଁ ଭାରତରେ ଖୁବ୍‍ ଶୀଘ୍ର ଏସ୍‍ସିଓ ଖାଦ୍ୟ ମେଳା ଓ ବୁଦ୍ଧ ମହୋତ୍ସବ ଆୟୋଜନ କରାଯିବ ବୋଲି ମୋଦି କହିଛନ୍ତି। ଏହି ଅବସରରେ ଆଫ୍‍ଗାନିସ୍ତାନରେ ଚାଲିଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ମୋଦି ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରିବା ସହିତ ଶାନ୍ତି ପ୍ରତିଷ୍ଠା ପାଇଁ ସେଠାକାର ରାଷ୍ଟ୍ରପତି ଅସ୍ରଫ୍‍ ଘାନିଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଏହି ସମ୍ମିଳନୀରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‍, ଚୀନ୍‍ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗ, ଇରାନ୍‍ ରାଷ୍ଟ୍ରପତି ହାସନ୍‍ ରୌହାନି ଓ ପାକିସ୍ତାନ ରାଷ୍ଟ୍ରପତି ମାମ୍‍ନୁନ୍‍ ହୁସେନ୍‍ ଯୋଗ ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୦୧ରେ ରୁଷ, ଚୀନ୍‍, କାଜାଖ୍‍ସ୍ତାନ୍‍, ତାଜିକିସ୍ତାନ, ଉଜ୍‍ବେକିସ୍ତାନକୁ ନେଇ ଏସ୍‍ସିଓ ଗଠନ କରାଯାଇଥିଲା। ବିଶ୍ୱର ୪୨% ଲୋକସଂଖ୍ୟାକୁ ଏସ୍‍ସିଓ ସଦସ୍ୟ ରାଷ୍ଟ୍ର ପ୍ରତିନିଧିତ୍ୱ କରୁଥିବା ବେଳେ ବିଶ୍ୱର ମୋଟ ଘରୋଇ ଉତ୍ପାଦନରେ ସେମାନଙ୍କର ୨୦% ଅବଦାନ ରହିଛି। ଗତ ବର୍ଷ ଭାରତ ଓ ପାକିସ୍ତାନ ଏସ୍‍ସିଓରେ ଯୋଗ ଦେଇଛନ୍ତି।

Leave A Reply