ମୋଦୀ-ସି. ଜିନପିଙ୍ଗ ବୈଠକ ; ଦୁଇଟି ରାଜିନାମା ସ୍ୱାକ୍ଷରିତ

0

କିଙ୍ଗ୍‍ଦାଓ : ଚୀନର କିଙ୍ଗ୍‍ଦାଓରେ ଠାରେ ଶନିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ମଧ୍ୟରେ ଦୁଇପାକ୍ଷୀୟ ଆଲୋଚନା ଓ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହା ପରେ ଭାରତ ଓ ଚୀନ ଦୁଇଟି ଦ୍ୱିପାକ୍ଷୀୟ ରାଜିନାମା ସ୍ୱାକ୍ଷର କରିଛନ୍ତି। ଗୋଟିଏ ରାଜିନାମା ବନ୍ୟା ସମୟରେ ବ୍ରହ୍ମପୁତ୍ର ନଦୀ ଜଳ ସଂକ୍ରାନ୍ତ ତଥ୍ୟର ଆଦାନ ପ୍ରଦାନ ଉପରେ ସ୍ୱାକ୍ଷରିତ ହୋଇଥିବାବେଳେ ଅନ୍ୟଟି ଭାରତରୁ ଚୀନକୁ ଅଣବାସୁମତି ଚାଉଳ ରପ୍ତାନୀ ଉପରେ ସ୍ୱାକ୍ଷରିତ ହୋଇଛି। ୱାହାନ ଅଣ ଆନୁଷ୍ଠାନିକ ଶିଖର ବୈଠକ ପରେ ଦ୍ୱିପକ୍ଷୀୟ ସମ୍ପର୍କ ବୃଦ୍ଧି ପାଇଥିବାବେଳେ ଶ୍ରୀ ମୋଦୀଙ୍କର ଚୀନ ରାଷ୍ଟ୍ରପତିଙ୍କ ସହିତ ଫଳପ୍ରଦ କଥାବାର୍ତ୍ତା ହୋଇଛି ବୋଲି ଏକ ଟ୍ୱିଟ୍‍ କରି ବୈଦେଶିକ ବିଭାଗ ମୁଖପାତ୍ର ରବୀଶ କୁମାର କହିଛନ୍ତି। ଅଷ୍ଟାଦଶ ସାଂଘାଇ ସହଯୋଗ ସଂଗଠନ(ଏସସିଓ) ଶିଖର ବୈଠକରେ ଯୋଗ ଦେବାକୁ ଯାଇଥିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓ ଚୀନ ରାଷ୍ଟ୍ରପତିଙ୍କ ମଧ୍ୟରେ ଏହି କଥାବାର୍ତ୍ତା ହୋଇଛି। ପ୍ରଧାନମନ୍ତ୍ରୀ ଏସସିଓ ସଦସ୍ୟ ଦେଶଗୁଡିକର ନେତାମାନଙ୍କ ସହ ଦ୍ୱିପକ୍ଷୀୟ କଥାବର୍ତ୍ତା କରିବେ। ପୂର୍ବରୁ ଶ୍ରୀ ମୋଦି ଆଜି ଅପରାହ୍ନରେ ଯାଇ ଚୀନର କିଙ୍ଗଦାଓ ସହରରେ ପହଞ୍ଚିଥିଲେ। ଆଠ ସଦସ୍ୟ ରାଷ୍ଟ୍ର ବିଶିଷ୍ଟ ଏସସିଓରେ ପୂର୍ଣ୍ଣାଙ୍ଗ ସଦସ୍ୟ ହେବା ପରେ ଭାରତର ଏହା ହେଉଛି ପ୍ରଥମ ଏସସିଓ ବୈଠକ। ଏସସିଓରେ ଭାରତ ଚୀନ ଓ ଋଷ ସମେତ ୮ଟି ଦେଶ ସଦସ୍ୟ ଅଛନ୍ତି। ଚୀନ ରାଷ୍ଟ୍ରପତି ଶ୍ରୀ ମୋଦୀଙ୍କ ସମ୍ମାନାର୍ଥେ ଏକ ନୈଶ ଭୋଜି ସଭାର ଆୟୋଜନ କରିଛନ୍ତି।

Leave A Reply