ସହରାଞ୍ଚଳ ସମନ୍ବିତ ‘ମୋ ସେବା କେନ୍ଦ୍ର’ ପରିଦର୍ଶନ କଲେ ପ୍ରଯୁକ୍ତି ସୂଚନା ପ୍ରଯୁକ୍ତି ଉପଦେଷ୍ଟା ଅନୁଭବ ପଟ୍ଟନାୟକ
ଭୁବନେଶ୍ୱର: ରାଜ୍ୟ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଆଜି ବାପୁଜୀ ନଗର ସ୍ଥିତ ସହରାଞ୍ଚଳ ସମନ୍ବୀତ ମୋ ସେବା କେନ୍ଦ୍ର ପରିଦର୍ଶନ କରି ଏଠାରେ ଲୋକମାନଙ୍କୁ ମିଳୁଥିବା ବିଭିନ୍ନ ସେବା ସମ୍ବଦ୍ଧରେ ପଚାରି ବୁଝିଛନ୍ତି।
ସହରାଞ୍ଚଳ ବାସୀଙ୍କୁ ବିଭିନ୍ନ ସରକାରୀ ସେବା ଯୋଗାଉଥିବା ଏହି କେନ୍ଦ୍ରରେ ୪ଟି ସାଧାରଣ କାଉଣ୍ଟର ଏବଂ ୨ଟି ଆଧାର କାଉଣ୍ଟର ବ୍ୟବସ୍ଥା ରହିଛି। ଫଳରେ ଆଧାର ବ୍ୟବସ୍ଥା ଠାରୁ ଆରମ୍ଭ କରି ଅନଲାଇନ ମାଧ୍ୟମରେ ମିଳୁଥିବା ସମସ୍ତ ସରକାରୀ ସୁବିଧା ଯଥା ରାସନ୍ କାର୍ଡ, ପ୍ୟାନ କାର୍ଡ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ, ମଧୁବାବୁ ପେନସନ ଯୋଜନା ସମ୍ବନ୍ଧୀୟ ସେବା ଏଠାରେ ଉପଲବ୍ଧ ହୋଇପାରୁଛି।
ରାଜ୍ୟ ସହରାଞ୍ଚଳ ସମନ୍ବୀତ କେନ୍ଦ୍ର ଭାବେ ପ୍ରଥମ କରି ସେବା ଯୋଗାଉଥିବା ଏହି କେନ୍ଦ୍ରରେ ୧୫୦ରୁ ଉର୍ଦ୍ଧ ସେବା ଅଞ୍ଚଳବାସୀଙ୍କୁ ଗୋଟିଏ ସ୍ଥାନରେ ଉପଲବ୍ଧ ହୋଇପାରୁଛି। ରାଜ୍ୟ ସରକାରଙ୍କର ୫ଟି କାର୍ଯ୍ୟ ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ବାପୁଜୀ ନଗର ଠାରେ ଖୋଲାଯାଇଥିବା ଏହି କେନ୍ଦ୍ର ଜନସାଧାରଣଙ୍କୁ ସମସ୍ତ ସେବା ଯୋଗାଇବାରେ ସଫଳ ହୋଇଥିବାରୁ ସେ ଏଥିରେ ଖୁସି ବ୍ୟକ୍ତ କରିଥିଲେ।
ଏହାପରେ ଶ୍ରୀ ପଟ୍ଟନାୟକ ବାରିମୁଣ୍ଡ ଗ୍ରାମ ପଞ୍ଚାୟତ ଠାରେ ଥିବା ମୋ ସେବା କେନ୍ଦ୍ର ପରିଦର୍ଶନ କରିଥିଲେ। ମିଶନ ଶକ୍ତିରେ ସାମିଲ ହୋଇଥିବା ଅଞ୍ଜନା ବାରିକଙ୍କ ତତ୍ତ୍ବାବଧାନରେ ଏହି ସେବା କେନ୍ଦ୍ରଟି ଦ୍ୱାରା ପାଖାପାଖି ଗ୍ରାମର ଲୋକମାନେ ଉପକୃତ ହେଉଛନ୍ତି। ଶ୍ରୀ ପଟ୍ଟନାୟକ ସେଠାରେ ଥିବା କର୍ମଚାରୀ ମାନଙ୍କ ସହ ଆଲୋଚନା କରି ମୋ ସେବା କେନ୍ଦ୍ର ଜରିଆରେ ଅଞ୍ଚଳର ଜନସାଧାରଣଙ୍କୁ କିପରିଭାବେ ସହଜ ଓ ସୁଲଭ ଭାବରେ ସରକାରୀ ସେବା ଉପଲବ୍ଧ ହେବ ତା ଉପରେ ଗୁରୁତ୍ବାରୋପ କରିଥିଲେ। ସରକାରୀ ସେବା ପାଇବା ପାଇଁ ବିଭିନ୍ନ କାର୍ଯ୍ୟାଳୟକୁ ଯିବା ପରିବର୍ତ୍ତେ ଗୋଟିଏ ଛାତ ତଳେ ଜନସାଧାରଣଙ୍କୁ ସମସ୍ତ ସୁବିଧା ମିଳିପାରୁଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ଗସ୍ତ ଅବସରରେ ମୋ ସେବା କେନ୍ଦ୍ରର ମୁଖ୍ୟ ବିବେକାନନ୍ଦ ପାଣିଗ୍ରାହୀଙ୍କ ସହ ଓକାକର କର୍ମଚାରୀ ମାନେ ଉପସ୍ଥିତ ଥିଲେ।
Comments are closed.