କାର୍ଯ୍ୟରେ ନିରପେକ୍ଷତା ଓ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଛି ମୋ ସ୍କୁଲ୍: ସୁସ୍ମିତା ବାଗ୍ଚୀ
ଭୁବନେଶ୍ୱର : ମୋ ସ୍କୁଲ୍ ଅଭିଯାନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିର ଏକ ସଫଳ ନିଦର୍ଶନ। ମୋ ସ୍କୁଲ୍ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି ଏବଂ ଏହି ଅଭିଯାନ ମାଧ୍ୟମରେ ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଉଦାହରଣ ସୃଷ୍ଟିକରିଛି। ମୋ ସ୍କୁଲ୍ ସହ ଲୋକଙ୍କର ଯେଉଁ ବିଶ୍ୱାସ ଓ ଭରସା ଯୋଡ଼ି ହୋଇରହିଛି ତାହାକୁ ଧରିରଖିବା ଆମ ଦାୟିତ୍ୱ। ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ବ୍ୟାପକ କରିବା ଏବଂ ଓଡ଼ିଶାର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପହଞ୍ଚିବା ପାଇଁ ଆମର ପ୍ରୟାସ ଜାରି ରହିଛି ଓ ରହିବ। ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ କିଭଳି ମୋ ସ୍କୁଲ୍ ମାଧ୍ୟମରେ ସେମାନେ ପଢିଥିବା ବିଦ୍ୟାଳୟ ସହ ଯୋଡ଼ାଯାଇ ପାରିବ ତାହା ଆମର ପ୍ରାଥମିକତା ରହିବ ବୋଲି ମୋ ସ୍କୁଲ୍ ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍ଚୀ କହିଛନ୍ତି।
ଶୁକ୍ରବାର ଭର୍ଚୁଆଲ୍ ମୋଡ୍ରେ ଅନୁଷ୍ଠିତ ମୋ ସ୍କୁଲ୍ ଅଭିଯାନର ୯ମ ପରିଳନା ପରିଷଦ ବୈଠକରେ ଯୋଗଦେଇ ଶ୍ରୀମତୀ ବାଗ୍ଚୀ କହିଥିଲେ, ମୋ ସ୍କୁଲ୍ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ବ୍ୟାପକତାକୁ ଦୃଷ୍ଟିରେ ରଖି ସ୍କୁଲ୍ସ୍ତରରେ ମନିଟରିଂକୁ ପ୍ରାଥମିକତା ଦିଆଯାଉଛି। ସ୍କୁଲ୍ଗୁଡ଼ିକରେ ଚାଲିଥିବା ପ୍ରକଳ୍ପଗୁଡ଼ିକ କିଭଳି ଠିକ୍ ସମୟରେ ଶେଷହେବ ଏବଂ ଛାତ୍ରଛାତ୍ରୀମାନେ ଯେପରି ଏହାର ସୁଫଳ ପାଇପାରିବେ ସେଥିଲାଗି ମୋ ସ୍କୁଲ୍ କାର୍ଯ୍ୟାଳୟ ପକ୍ଷରୁ ଏକାଧିକ ପଦକ୍ଷେପ ହାତକୁ ନିଆଯାଇଛି। ସେହିଭଳି କାର୍ଯ୍ୟରେ ନିରପେକ୍ଷତା ଓ ସ୍ୱଚ୍ଛତା ବଜାୟକୁ ପ୍ରାଥମିକତା ଦିଆଯାଉଥିବା ସେ କହିଥିଲେ। ବୈଠକରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଥିଲେ ଯେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ କ୍ଷେତ୍ରରେ ଦକ୍ଷ କରାଯାଉଛି। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ସଂସ୍ଥା ସହ ମିଳିତ ଭାବରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପାଠପଢା ସହ ପିଲାମାନଙ୍କୁ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଏବଂ ଅନ୍ୟ କ୍ଷେତ୍ରରେ ଦକ୍ଷ କରିବା ପାଇଁ ମୋ ସ୍କୁଲ୍ ପଦକ୍ଷେପ ନେଇଛି । ତେବେ ପ୍ରକଳ୍ପ କାର୍ଯ୍ୟର ତଦାରଖ ସହ ଜନଜାତି ଅଞ୍ଚଳରେ ଥିବା ସ୍କୁଲ୍ ଏବଂ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଶ୍ରୀ ସେଠୀ ନିର୍ଦ୍ଦେଶ ଦେଇଥିଲେ।
୫-ଟି ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମରେ ସ୍ୱଚ୍ଛତା ବଜାୟ ପାଇଁ ଗୋଷ୍ଠୀ ସହଭାଗିତା ଓ ସମ୍ପୃକ୍ତିକୁ ଗୁରୁତ୍ୱ ଦିଆଯାଉଛି। ୩,୪୧୫ଟି ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ, ପୁରାତନ ଛାତ୍ରଛାତ୍ରୀ ଏବଂ ସ୍କୁଲ୍ ପରିଚାଳନା କମିଟି ସଦସ୍ୟମାନଙ୍କୁ ନେଇ ବୈଠକର ଆୟୋଜନ କରାଯାଇଛି ଏବଂ ରୂପାନ୍ତରୀକରଣ ପ୍ରକ୍ରିୟାରେ ସେମାନଙ୍କ ସହଯୋଗ ଲୋଡ଼ାଯାଇଛି। ଏହାସହ ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକଙ୍କ ଦକ୍ଷତା ବିକାଶ, ଶିକ୍ଷାକ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଅଭିବୃଦ୍ଧି, ଶିକ୍ଷା ଉପକରଣ ଆଦି ପ୍ରସ୍ତୁତ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ନିୟୋଜିତ କରିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା। ସେହିଭଳି ମୋ ସ୍କୁଲ୍ ଅଭିଯାନରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପ୍ରତି ଜିଲ୍ଲାର ୩ ଜଣ ଲେଖାଁଏ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଚୟନ କରି ପୁରସ୍କୃତ କରାଯିବାକୁ ସ୍ଥିର ହୋଇଥିଲା।
ରାଜ୍ୟରେ ଥିବା ଉଚ୍ଚ ବିଦ୍ୟାଳୟଗୁଡ଼ିକ ସହ ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ି ସେବା ପ୍ରଦାନ ମାଧ୍ୟମରେ ସେମାନଙ୍କୁ ସ୍କୁଲ୍ର ବିକାଶ ପ୍ରକ୍ରିୟାରେ ଭାଗୀଦାର ହେବାକୁ ଉତ୍ସାହିତ କରାଯିବ। ଏଥିପାଇଁ ପ୍ରତ୍ୟେକ ସ୍କୁଲ୍ ପୁରାତନ ଛାତ୍ରଛାତ୍ରୀ, ସେମାନଙ୍କର ଠିକଣା ଏବଂ ସେମାନେ ବର୍ତ୍ତମାନ କଣ କରୁଛନ୍ତି ତାହାର ଏକ ଡାଟାବେସ୍ ପ୍ରସ୍ତୁତ କରିବ। ସ୍କୁଲ୍ସ୍ତରରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ କମିଟି ଗଠନ କରାଯିବ ଏବଂ ଏହି କମିଟି ସ୍କୁଲ୍ରେ କ୍ରୀଡ଼ା, ବିଜ୍ଞାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିବେ। ଏହାସହ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଟକ୍ ସେସନ୍, ମେଣ୍ଟରିଂ ଓ କ୍ୟାରିୟର୍ କାଉନ୍ସେଲିଂ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ପ୍ରତି ସ୍କୁଲ୍ର ପୁରାତନ ଛାତ୍ରଛାତ୍ରୀ ସଂଘ ପକ୍ଷରୁ ସ୍କୁଲ୍ ଏବଂ ନିକଟସ୍ଥ ଅଞ୍ଚଳରେ ବୃକ୍ଷରୋପଣ, କିଚେନ୍ ଗାର୍ଡେନ୍ ଏବଂ ଅନ୍ୟାନ୍ୟ ଗୋଷ୍ଠୀ ସହଭାଗିତାଭିତ୍ତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।
କୋଭିଡ୍-୧୯ ମହାମାରୀ ସମୟରେ ସ୍କୁଲ୍ ବନ୍ଦ ଥିବାରୁ ପଲାମାନଙ୍କ ପାଠପଢ଼ାରେ ଯେଉଁ ବ୍ୟାଘାତ ସୃଷ୍ଟି ହୋଇଛି ତାହାର ଭରଣା ପାଇଁ ୟୁନିସେଫ୍ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ସହଭାଗିତାରେ ଆସନ୍ତା ୨ ବର୍ଷ ପାଇଁ ମୋ ସ୍କୁଲ୍ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ। ପ୍ରଥମେ ପ୍ରାଥମିକ ବିଦ୍ୟାଳୟକୁ ଏବଂ ପରବର୍ତ୍ତୀ ସମୟରେ ମାଧ୍ୟମିକ ବିଦ୍ୟାଳୟକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ସ୍ଥିର ହୋଇଛି। ବୈଠକରେ ମୋ ସ୍କୁଲ୍ ସଦସ୍ୟ ସଚିବ ତଥା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ପ୍ରଦାନ କରିଥିଲେ। ମୋ ସ୍କୁଲ୍ ଅଭିଯାନ ମୁଖ୍ୟ ପରିଳନା ଅଧିକାରୀ ଅମରଜିତ ଜେନା କାର୍ଯ୍ୟକାରୀ ହେଉଥିବା ସମସ୍ତ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ନିର୍ଦ୍ଦେଶିକା ପୁନମ ଗୁହା ତାପସ କୁମାର, ମୋ ସ୍କୁଲ୍ ଅଭିଯାନ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରବୀର କୁମାର ଖିଲାରଙ୍କ ସମେତ ଢେଙ୍କାନାଳ ଜିଲ୍ଲାପାଳ ଓ ଖୋର୍ଦ୍ଧା ପିଡିଡିଆର୍ଡିଏ ଉପସ୍ଥିତ ଥିଲେ।
Comments are closed.