ସରକାରୀ ଅଧିକାରୀଙ୍କଠାରୁ ଭଲ ରୂପଜୀବୀ: ବିଜେପି ବିଧାୟକ
ନୂଆଦିଲ୍ଲୀ: ସରକାରୀ ଅଧିକାରୀଙ୍କ ସହିତ ରୂପଜୀବୀଙ୍କୁ ତୁଳନା କରି ଚର୍ଚ୍ଚାକୁ ଆସିଛନ୍ତି ବିଜେପି ନେତା। ‘ସରକାରୀ ଅଧିକାରୀଙ୍କଠାରୁ ବରଂ ରୂପଜୀବୀମାନେ ଭଲ।’ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଉତ୍ତରପ୍ରଦେଶର ବୈରିୟା ବିଜେପି ବିଧାୟକ ସୁରେନ୍ଦ୍ର ସିଂହ। ସରକାରୀ ଅଧିକାରୀମାନେ ଯଦି ଲାଞ୍ଚ ମାଗୁଛନ୍ତି ସେମାନଙ୍କୁ ଉଚିତ ଜବାବ ଦେବା ଆବଶ୍ୟକ ବୋଲି ଏଥିପୂର୍ବରୁ ଆହ୍ୱାନ ଦେଇଥିବା ଶ୍ରୀ ସିଂହ କହିଛନ୍ତି ଯେ ରୂପଜୀବୀମାନେ ବରଂ ଟଙ୍କା ନେଇ ଠିକ୍ କାମ କରୁଛନ୍ତି। କିନ୍ତୁ ସରକାରୀ ବାବୁମାନେ ଲାଞ୍ଚ ନେଇ କାମ କରିବେ କି ନାହିଁ ସେ ପ୍ରତିଶ୍ରୁତି ଦେଉନାହାନ୍ତି। ‘ଚେତାବନୀ ଦିବସ’ ପାଳନ ଅବସରରେ ଶ୍ରୀ ସିଂହ ଲୋକଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ ‘ଘୁସ୍ ମାଙ୍ଗେ ତୋ ଘୁସା ଦୋ, ନେହିଁ ମାନେ ତୋ ଜୁତା ଦୋ’(ଲାଞ୍ଚ ମାଗିଲେ ମୁଥ ମାର, ତଥାପି ନ ମାନିଲେ ଜୋତାରେ ମାର)। ୨୦୧୯ ନିର୍ବାଚନ ‘ଇସ୍ଲାମ୍ ଓ ଭଗବାନଙ୍କ ମଧ୍ୟରେ ହେବ’ ବୋଲି ବିବାଦୀୟ ମନ୍ତବ୍ୟ ଦେଇ ଶ୍ରୀ ସିଂହ ଏହାପୂର୍ବରୁ ଚର୍ଚ୍ଚାକୁ ଆସିଥିଲେ। ଏଥିସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୂର୍ପଣ୍ଣଖା ଭାବେ ଚିତ୍ରିତ କରି ବିବାଦୀୟ ହୋଇଥିଲେ।