ଦାଦନ ଦୁଃଖ : ୨ ମୃତ ଓ ୩ ଗୁରୁତର
ମୋହନା : ଗଜପତି ଜିଲା ଅଡବା ଥାନା ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କୁ ତାମିଲନାଡୁରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ଶ୍ରମିକଙ୍କୁ ମାଡ଼ ମାରିବା ସମୟର ଦୃଶ୍ୟକୁ ଅଭିଯୁକ୍ତମାନେ ସମ୍ପର୍କୀୟଙ୍କୁ ମୋବାଇଲରେ ଦେଖାଇଛନ୍ତି। ପରେ ପରେ ଶ୍ରମିକଙ୍କୁ ପିଟିପିଟି ହତ୍ୟା କରି ଦିଆଯାଇଥିବା ଅଭିଯୋଗ କରିଛନ୍ତି ମୃତ ଶ୍ରମିକଙ୍କ ପରିବାରବର୍ଗ। ଏଭଳି ଏକ ବର୍ବରୋଚିତ ଘଟଣାର ଅଭିଯୋଗ ଆସିଛି ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ବାରିଆ ଗାଁରୁ।
ଅଭିଯୋଗ ପ୍ରକାରେ ଅଡବା ଥାନା ଅନ୍ତର୍ଗତ ବାରିଆ ଗାଁର ଶରତ ପରିଛା କୁଲି ମଜୁରୀ ଖଟି ପରିବାର ପ୍ରତିପୋଷଣ ପାଇଁ ପ୍ରାୟ ଏକ ବର୍ଷ ହେବ ପ୍ରଥମେ କେରଳ ଯାଇଥିଲେ। ପରେ ସେଠାରୁ ସେ ତାମିଲନାଡୁ ଯାଇଥିଲେ। ତାମିଲନାଡୁର ଫୁତୁବୁଜି ଜିଲା ତଥା କାବିଲପୋତି ଥାନା ଅଞ୍ଚଳରେ ଜଣେ ଠିକାଦାରଙ୍କ ଅଧିନରେ ଘର ନିର୍ମାଣ କାମରେ ଶରତ ୮ମାସ ଧରି ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ। ଗତକାଲି ସନ୍ଧ୍ୟାରେ ଗାଁରେ ରହୁଥିବା ନିଜ ସମ୍ପର୍କୀୟଙ୍କୁ ଜଣକର ମୋବାଇଲରୁ ଶରତ କଲ କରି ପରିବାରବର୍ଗଙ୍କୁ ଭିଡିଓ କଲ କରିବା ପାଇଁ କହିଥିଲେ। ସମ୍ପର୍କୀୟ ଦେଢଶାଶୂ ମାର୍ଥା ପରିଛା ଶରତଙ୍କୁ କଲ କରିବା ବେଳେ ଗୋଟିଏ ଅନ୍ଧାର କୋଠରୀରେ ତାଙ୍କୁ କିଛି ବ୍ୟକ୍ତି ମାଡ ମାରୁଥିବାର ଦୃଶ୍ୟ ଦେଖିବାକୁ ପାଇଥିଲେ। ତାପରେ ଆଉ ସେହି ନମ୍ବରରେ ଫୋନ କରିଲେ ମଧ୍ୟ କେହି କଲ ଗ୍ରହଣ କରିନଥିଲେ। ଆଜି କେହି ଜଣେ ବ୍ୟକ୍ତି ଶରତଙ୍କୁ ପିଟି ପିଟି ମାରିବା ବେଳେ ଦୃଶ୍ୟ ଏବଂ ମୃତଦେହ ଫଟୋକୁ ସମ୍ପୃକ୍ତ ନମ୍ବରରୁ ଶରତଙ୍କ ଦେଢ଼ଶାଶୂ ମାର୍ଥା ପରିଛାଙ୍କୁ ପଠାଇଛନ୍ତି। ମୃତଦେହ ଏଠାରୁ ନେବ ଯଦି ନିଅ, ନହେଲେ ଫୋପାଡ଼ି ଦିଆଯିବ ବୋଲି କହିଥିବା କହିଛନ୍ତି ଦେଢ଼ଶାଶୂ।
ନିହତ ଶରତଙ୍କ ତିନୋଟି ପୁଅ ଓ ଝିଅ ଅଛନ୍ତି। ସ୍ତ୍ରୀ ମିନତି ଏବେ ବେସାହାରା। ପରିବାର ଲୋକେ ଆଜି ଏନେଇ ଅଡ଼ବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶରତଙ୍କ ମୃତଦେହକୁ ନିଜ ଗାଁକୁ ଆଣିବା ସହ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଘଟଣାର ତଦନ୍ତ ଚାଲିଛି। ଅତିଶୀଘ୍ର ଶରତଙ୍କ ମୃତଦେହ ଅଣାଯିବାର ବ୍ୟବସ୍ଥା କରାଯିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଅଡବା ଥାନା ଅଧିକାରୀ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି।
ହାଇଦରାବାଦରେ ଅସହ୍ୟ ନିର୍ଯାତନା
ପାତ୍ରପୁର : ହାଇଦରାବାଦର ନାଗରପଲ୍ଲୀ ଅଞ୍ଚଳରେ କାମ କରୁଥିବା ଜଣେ ଆଦିବାସୀ ଶ୍ରମିକର ମୃତ୍ୟୁ ଘଟିଥିବା ବେଳେ ଆଉ ୩ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମୃତାହତ ଖଣ୍ଡିଆ ଖାବରା ହୋଇଥିଲେ ହେଁ କେଉଁ କାରଣରୁ ଏଭଳି ଘଟଣା ଘଟିଛି ସେ ସମ୍ପର୍କରେ କାହା ପାଖରେ ସୂଚନା ନାହିଁ।
ସୂଚନା ମୁତାବକ ଗଞ୍ଜାମ ଜିଲା ଜରଡ଼ା ଥାନାର ତୁରୁବୁଡି ପଞ୍ଚାୟତ ଅନ୍ତର୍ଗତ ଝଗଡାପଲ୍ଲୀ ଗ୍ରାମର ତିନିଜଣ ଆଦିବାସୀ ଯୁବକ ଓ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପିମ୍ପଳାପଲ୍ଲୀ ଗ୍ରାମର ଜଣେ ଯୁବକ ହାଇଦରାବାଦର ନାଗରପଲ୍ଲୀ ଅଞ୍ଚଳର ଏକ ଘରେ ରହି ଦାଦନ ଖଟୁ ଥିଲେ। ଗୋଟିଏ ଘର ଭିତରେ ଜଣେ ମୃତ ଏବଂ ଅନ୍ୟ ୩ଜଣ ଗୁରୁତର ଅବସ୍ଥାରେ ପଡି ରହିଥିବା ଖବର ପାଇ ସୋମବାର ହାଇଦରାବାଦର ବିଡ଼ିଏଲ ବାନୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ ଶ୍ରମିକର ମୃତଦେହ ଜବତ କରିବା ସହ ଗୁରୁତର ଅବସ୍ଥାରେ ତିନିଜଣଙ୍କୁ ଉଦ୍ଧାର କରିଛି। ମୃତକ ଜଣକ ହେଲେ ଝଗଡାପଲ୍ଲୀ ଗ୍ରାମର
ବିଶ୍ବନାଥ ଦଳେଇ(୩୫) ଓ ଆହତମାନେ ହେଲେ ସେହି ଗ୍ରାମର ଅଭି ଦଳେଇ, ନିରଞ୍ଜନ ଦଳେଇ ଓ ଦିଗପହଣ୍ଡି ବ୍ଲକ ପିମ୍ପଳାପଲ୍ଲୀ ଗ୍ରାମର ଟୁକୁନା ଶବର । ଆହତମାନଙ୍କ ସାର୍ଟ ପକେଟରୁ ମୋବାଇଲ ନମ୍ବର ସଂଗ୍ରହ କରି ସମ୍ପୃକ୍ତ ପରିବାର ସହ ଯୋଗାଯୋଗ କରିଛି ବାନୁର ଥାନା ପୁଲିସ।
ସେଠାକାର ପୁଲିସର ସୂଚନା ଅନୁଯାୟୀ ଉପରୋକ୍ତ ୪ଜଣ ଯୁବକ ଗୋଟିଏ ଘରେ ରହି ଶ୍ରମିକ ଭାବେ କାମ କରୁଥିଲେ। ସୋମବାର ସକାଳୁ ଉକ୍ତ ଘରୁ ଜଣେ ଶ୍ରମିକର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଏବଂ ଅନ୍ୟ ୩ ଜଣ ଗୁରୁତର ଆହତ ଅବସ୍ଥାରେ ପଡି ରହିଥିବା ଖବର ପାଇଥିଲେ। ତତ୍କାଳ ପୁଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନରେ ଭର୍ତ୍ତି କରିଛନ୍ତି। ମୃତଦେହର ବ୍ୟବଚ୍ଛେଦ ବ୍ୟବସ୍ଥା କରାଇବା ପରେ ସେଠାକାର ପୁଲିସ ପରିବାରକୁ ସୂଚନା ଦେଇଛନ୍ତି। ତୁରନ୍ତ ସିକନ୍ଦରାବାଦ ଆସିବାକୁ ମୃତକଙ୍କ ପରିବାରକୁ ପୁଲିସ କହିଛି। ଗୁରୁତର ଆହତମାନଙ୍କର ଚେତା ଫେରିଲେ ପ୍ରକୃତ ତଥ୍ୟ ଜଣା ପଡିବ ବୋଲି ସେଠାକାର ପୁଲିସ କହିଛି। ବାନୁର ପୁଲିସ ଠାରୁ ସୂଚନା ପାଇ ମୃତ ବିଶ୍ୱନାଥଙ୍କ ସ୍ତ୍ରୀ ଓ ବାପା- ମା ମର୍ମାହତ ହୋଇପଡିଛନ୍ତି। ମୃତଦେହ ଗ୍ରାମକୁ ଆଣିବା ନେଇ ଚିନ୍ତାରେ ପଡିଛନ୍ତି। ପରସ୍ପର ମଧ୍ୟରେ ମାରପିଟରୁ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।
Comments are closed.