ବେକାର ଯୁବକଯୁବତୀଙ୍କୁ ମିଳୁନି କାମଧନ୍ଦା : ଦାଦନ ରୋକି ପାରୁନି ମନରେଗା
ରାୟଗଡା : ବେକାର ଯୁବକଯୁବତୀଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ରହିଛି। ସେହି ଯୋଜନା ବାସ୍ତବରେ କେତେ କାର୍ଯ୍ୟକାରୀ ହେଉଛି ତାହା ଗ୍ରାମାଞ୍ଚଳକୁ ଗଲେ ହିଁ ସ୍ପଷ୍ଟ ଜଣାପଡୁଛି। କାମଧନ୍ଦା ଅଭାବକୁ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲି ଯାଉଛନ୍ତି। ଉକ୍ତ ସ୍ଥାନରେ ଶ୍ରମିକ ଅତ୍ୟାଚାରର ଶିକାର ହେଉଛନ୍ତି। ଅଭିଯୋଗ ଆସିବା ପରେ ପ୍ରଶାସନ ସଚେତନ ହେଉଥିବା ବେଳେ କର୍ମ ନିଯୁକ୍ତି ପ୍ରଦାନ କରି ଲୋକଙ୍କୁ ଦାଦନ ମୁହଁାରୁ ବଞ୍ଚାଇବା ପାଇଁ ସେପରି କିଛି ରୋଡମ୍ୟାଫ୍ ପ୍ରସ୍ତୁତ କରାଯାଉନି। ଜିଲାର କେଉଁ ସ୍ଥାନରୁ କେତେ ଦାଦନ ପ୍ରତି ମାସରେ ଜିଲା ଛାଡୁଛନ୍ତି, ତାହାର ହିସାବ ନା’ ପ୍ରଶାସନ ନା’ ଶ୍ରମ ବିଭାଗ ପାଖରେ ରହୁଛି। ୨୦୦୮-୯ ମସିହାରେ ସରକାର ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ପ୍ରଣୟନ କରିଥିବା ବେଳେ ଏହି ଯୋଜନା ମାଧ୍ୟମରେ କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ପାଇଁ ଅନେକ ସହାୟତା ରହିଥିବା କୁହାଯାଉଛି। ତୃଣମୂଳସ୍ତରରେ ତାହା ଲୋକାଭିମୁଖୀ ବା ଜନକଲ୍ୟାଣରେ ଲାଗୁ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ପ୍ରାପ୍ତ ବୟସର ଲୋକେ ଦାଦନ ଖଟିବାକୁ ଗଲେ ପଞ୍ଚାୟତସ୍ତରରେ ପଞ୍ଜୀକରଣ କରିବା ବ୍ୟବସ୍ଥା ରହିଛି। ଲୋକେ ପଞ୍ଜିକରଣ ନକରି ବାହାର ରାଜ୍ୟକୁ ଚାଲି ଯାଉଛନ୍ତି। ଶ୍ରମ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ନିର୍ମାଣ ଶ୍ରମିକ ପଞ୍ଜିକରଣ ପାଇଁ ଜିଲାରୁ ପ୍ରାୟ ୮୪ ହଜାର ହିତାଧିକାରୀ ଆବେଦନ କରିଥିବା ବେଳେ ପ୍ରାୟ ୬୦ ହଜାରରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ପଞ୍ଜିକରଣ କରାଯାଇଛି। ସେହିପରି ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ରିପୋର୍ଟ ଅନୁଯାୟୀ ୨୦୧୯-୨୦ ମସିହାରେ ଜିଲାର ୨ ଲକ୍ଷ ୮ ହଜାର ୩୭୪ ଲୋକଙ୍କୁ ଜବକାର୍ଡ ମିଳିଥିବା ବେଳେ ୯୨ ହଜାର ୮୦୨ ଶ୍ରମିକ ଶହେ ଦିନର କାମ ପାଇଛନ୍ତି। ସେହିପରି ପ୍ରାୟ ୨୯୧୯ ପରିବାର ମନରେଗା ଯୋଜନାରେ କାମ ପାଇଥିବା କୁହାଯାଉଛି। ଜିଲାର କାଶୀପୁର ବ୍ଲକର ୪୧,୬୪୦ ଶ୍ରମିକ ସର୍ବାଧିକ କର୍ମନିଯୁକ୍ତି ପାଇଥିବା ବେଳେ ଚନ୍ଦ୍ରପୁର ବ୍ଲକର ମାତ୍ର ୧୦,୦୬୮ ଜଣ ଶହେ ଦିନର କାମ ପାଇଛନ୍ତି। ସେହିପରି ୨୦୨୦-୨୧ ବର୍ଷରେ ୨ ଲକ୍ଷ ୩୦ ହଜାର ୨୯୮ ଜଣ ଜବକାର୍ଡ ପାଇଥିବା ବେଳେ ୧ ଲକ୍ଷ ୩୨ ହଜାର ୮୨୧ ଜଣକୁ ଶହେ ଦିନର କାମ ମିଳିଛି। ଏହି ତୁଳନାରେ ମୋଟ ୨୦ ହଜାର ୨୮୦ ଜଣ ପରିବାରକୁ ଶହେ ପ୍ରତିଶତ ଶହେ ଦିନର କାମ ମିଳିଛି। ସେହିପରି ଗତବର୍ଷ କାଶୀପୁର ବ୍ଲକରେ ସର୍ବାଧିକ ୨୪ ହଜାର ୩୦ ଜଣ ଶ୍ରମିକ କର୍ମନିଯୁକ୍ତି ପାଇଥିବା ବେଳେ ଚନ୍ଦ୍ରପୁର ବ୍ଲକର ମାତ୍ର ୮୦୩୯ ଜଣ ଶହେ ଦିନର କାମ ପାଇଛନ୍ତି। ଗତ ୫ ବର୍ଷ ହେବ ଜିଲାରେ ମହିଳାମାନଙ୍କୁ ଅଧିକ କର୍ମନିଯୁକ୍ତି ମିଳିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ବାସ୍ତବରେ ଲୋକେ କେତେ କର୍ମ ନିଯୁକ୍ତି ମିଳିଛି। ଦୁଇ ଓଳାର ଦାନ ମିଳିଛି। ତାହା ତଦନ୍ତ ସାପେକ୍ଷ। ମନରେଗାରେ ମାଧ୍ୟମରେ ଜିଲାର ୧୧ ଟି ବ୍ଲକରେ ପକ୍କା ରାସ୍ତା ନିର୍ମାଣ, ପୋଖରୀ ଖନନ, ପୋଖରୀର ପୁନରୁଦ୍ଧାର, ଗାର୍ଡୱେଲ୍ କାର୍ଯ୍ୟ ସାଙ୍ଗକୁ ଅନେକ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ଜିଲାର କାଶୀପୁର ବ୍ଲକରେ ସର୍ବାଧିକ ଲୋକଙ୍କୁ କାମ ମିଳିଥିବା ବେଳେ କାଶୀପୁର ବ୍ଲକର ଲୋକେ ହିଁ ଅଧିକ ସଂଖ୍ୟାରେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଇଛନ୍ତି। କେତେ ଜଣ ପ୍ରତିବର୍ଷ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି, ତାହାର ତଥ୍ୟ ଶ୍ରମ ବିଭାଗ ନିକଟରେ ନ ଥିବା ବେଳେ ସେମାନଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ମଧ୍ୟ ଶ୍ରମ ବିଭାଗର ଆନ୍ତରିକତା ଦେଖାଯାଉ ନ ଥିବା ଜଣାପଡିଛି। ଜିଲାରେ ମାତ୍ର ୩ ଶ୍ରମିକ ଠିକାଦାରଙ୍କୁ ଶ୍ରମିକ ଚାଲାଣ କରିବା ପାଇଁ ଅନୁମତି ଦିଆଯାଇଛି। ବେଆଇନ ଭାବେ ଦଲାଲମାନେ ଜିଲାର ଯୁବକଯୁବତୀଙ୍କୁ ବାହାର ରାଜ୍ୟ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, କେରଳ ଓ ଗୁଜୁରାଟ ନେଇ ଚାଲି ଯାଉଛନ୍ତି। ଅଧିକ ଟଙ୍କା ପ୍ରଲୋଭନରେ ଉକ୍ତ ସ୍ଥାନରେ ଦାଦନ ଠିକାଦାରଙ୍କ ଆକ୍ରୋଶର ଶିକାର ହେଉଥିବା ନଜରକୁ ଆସିଛି। ଅଭିଯୋଗ ଆସିଲେ ଶ୍ରମ ବିଭାଗ ପକ୍ଷରୁ ଦାଦନ ରୋକିବା ପାଇଁ ଗ୍ରାମାଞ୍ଚଳରେ ସଚେତନତା କରାଯାଉଛି ବୋଲି ଅତିରିକ୍ତ ଜିଲା ଶ୍ରମ ଅଧିକାରୀ ଛୋଟରାଏ ଟୁଡୁ ପ୍ରକାଶ କରିଛନ୍ତି। ଗାଁରେ ଲୋକେ କିପରି ଶହେ ଦିନର କର୍ମ ନିଯୁକ୍ତି ପାଇପାରିବେ ସେ ନେଇ ଉଦ୍ୟମ ଜାରି ରହିଛି ବୋଲି ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦେଶକ ରବିନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି।
Comments are closed.